ଭୁବନେଶ୍ବର,୨୯/୫ :  ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ଅଭିଯୋଗ ଘଟଣାରେ ୬ଘଣ୍ଟା ପରେ ରାସ୍ତାରୋକରୁ ହଟିଲେ ଲୋକେ । ଲୋକଙ୍କୁ ପୋଲିସର ବୁଝାସୁଝା ପରେ ହଟିଲା ଆନ୍ଦୋଳନ। ରାସ୍ତା ଅବରୋଧ କରି ଚାଲିଥିଲା ପ୍ରତିବାଦ । ସୂଚନା ଅନୁସାରେ, ବାରଙ୍ଗ ଥାନା ଚଣ୍ଡୀ ପ୍ରସାଦ ଗାଁର ରାକେଶ ବେହେରାଙ୍କୁ ପୋଲିସର ଥାର୍ଡ଼ ଡିଗ୍ରୀ ମାମଲାକୁ ନେଇ ପୁଣି ଉତ୍ତେଜନା ଦେଖିବାକୁ ମିଳିଥିଲା । ପରିବାରକୁ ନ ଜଣାଇ କଟକରେ ଚିକିତ୍ସାଧୀନ ରାକେଶଙ୍କୁ ଅନ୍ୟତ୍ର ନେବାକୁ ବିରୋଧ କରି ଗ୍ରାମବାସୀ ଥାନା ସମ୍ମୁଖରେ ଭୁବନେଶ୍ୱର- କଟକ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଏହା ପୂର୍ବରୁ ଗ୍ରାମବାସୀ ପ୍ରଥମେ ଥାନା ଭିତରକୁ ଧସେଇ ପଶିଥିଲେ । ତେବେ ରାସ୍ତା ଅବରୋଧ ଯୋଗୁ ଭୁବନେଶ୍ୱରରୁ କଟକ ମଧ୍ୟରେ ଯାନବାହନ ଚଳାଚଳ ଠପ୍ ହୋଇଥିଲା ।

ସେପଟେ ଏହି ଘଟଣାରେ ଡିଜିପି ଓ୍ବାଇ.ବି ଖୁରାନିଆ, ପୋଲିସ କମିଶନରଙ୍କୁ ତଦନ୍ତ ରିପୋର୍ଟ ମାଗିଥିବାବେଳେ ବାରଙ୍ଗ ଥାନାରେ ରାକେଶଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି କଟକ ଡିସିପି । କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି, ବାରଙ୍ଗ ଥାନାରେ ଯୁବକଙ୍କୁ ନିର୍ଯାତନା ଦିଆଯାଇନାହିଁ। ଥାନାକୁ ଡାକିବାର ୨୪ ଘଣ୍ଟା ପରେ ଛାଡ଼ି ଦିଆଯାଇଥିଲା । ଯୁବକଙ୍କୁ ନିର୍ଯାତନା ଦେବାର କୌଣସି ପ୍ରମାଣ ନାହିଁ। ସଂପୃକ୍ତ ଯୁବକ କିଡନୀ ରୋଗରେ ପୀଡ଼ିତ ଥିଲେ।