ଭୁବନେଶ୍ୱର,୦୨/୦୧: ୨୦୨୫ରେ ମୋଟ ୪ଟି  ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ସେଥିରେ  ରହିଛି ଦୁଇଟି ଆଶିଂକ ସୂର୍ଯ୍ୟ ପରାଗ ଏବଂ ଦୁଇଟି ପୂର୍ଣ୍ଣ  ଚନ୍ଦ୍ର ଗ୍ରହଣ । ସେଥିମଧ୍ୟରୁ କେବଳ ଗୋଟିଏ ପୂର୍ଣ୍ଣ  ଚନ୍ଦ୍ର ଗ୍ରହଣ ଭାରତରୁ ଦେଖିହେବ । ତା’ସହିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ରେ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ  ଆଟଲାଣ୍ଟିକ୍‌ ମହାସାଗର ପରି ଅଞ୍ଚଳରେ ଦେଖାଯିବ । ହେଲେ ଏହା ଭାରତରୁ ଦୃଶ୍ୟମାନ ହେବ ନାହିଁ । 

ଆଂଶିକ ସୂର୍ଯ୍ୟ ପରାଗ ମାର୍ଚ୍ଚ ୨୯ ତାରିଖରେ  ଉତ୍ତର ଆମେରିକା, ଗ୍ରୀନ୍‌ଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର  ଆଟଲାଣ୍ଟିକ୍‌ ମହାସାଗର, ୟୁରୋପ ଏବଂ ଉତ୍ତର ପଶ୍ଚିମ  ଋଷରେ ଦୃଶ୍ୟମାନ ହେବ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର  ୭-୮ ତାରିଖରେ ଭାରତ ସହ ଏସିଆର ଅନ୍ୟ ଦେଶ ତଥା ୟୁରୋପ, ଆଣ୍ଟାର୍ଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର,  ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରର କିଛି ଅଞ୍ଚଳରେ  ଦୃଶ୍ୟମାନ ହେବ । 

ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ୭ତାରିଖ  ରାତି ୮ଟା ୫୮ରୁ ୨ଟା ୨୫ ପର୍ଯ୍ୟନ୍ତ ରହିବ । ପୂର୍ଣ୍ଣ  ଗ୍ରହଣ ରାତି ୧୦ଟାରୁ ୧୨ଟା ୨୨ ଦୀର୍ଘ ୨ଘଣ୍ଟା ୨୨ମିନିଟ୍‌  ଧରି ଦେଖାଯିବ । ସେ ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତ ବର୍ଣ୍ଣ  ଧାରଣ କରିବ । ବର୍ଷର ଅନ୍ତିମ ଆଂଶିକ ସୂର୍ଯ୍ୟ ପରାଗ  ସେପ୍ଟେମ୍ବର ୨୧-୨୨ତାରିଖରେ ନ୍ୟୁଜିଲ୍ୟାଣ୍ଡ, ଇଷ୍ଟର୍ଣ୍ଣ  ମେଲାନେସିଆ ଏବଂ ପଶ୍ଚିମ ଆଣ୍ଟାର୍ଟିକାରେ ଦୃଶ୍ୟମାନ  ହେବ । ଏହା ବି ଭାରତରେ ଦୃଶ୍ୟମାନ ହେବ ନାହିଁ  ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ପୂର୍ବତନ  ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।