ଭୁବନେଶ୍ବର, ୧୨।୩ : ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ। ଇ-ମେଲ ଜରିଆରେ କୋର୍ଟକୁ ଉଡାଇ ଦେବାକୁ ଧମକ ମିଳିଥିଲା। କୋର୍ଟ ପରିସରରେ ସନ୍ଧାନୀ କୁକୁର ଓ ବମ୍ ସ୍କ୍ବାଡ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି । ଦମକଳ ବାହିନୀ ମଧ୍ୟ କୋର୍ଟ ପରିସରରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ବରଗଡ ପୁଲିସ ସମେତ କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ। ପୁଲିସ ଯାଞ୍ଚ ପରେ ଗୁଜବ ବୋଲି ଜଣାପଡିଥିଲା
ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟକୁ ବୋମାରେ ଉଡାଇଦେବାକୁ ଇ-ମେଲ୍ ଯୋଗେ ଧମକ ଆସିଥିଲା । କୋର୍ଟକୁ ବୋମାରେ ଉଡ଼ାଇଦେବା ଖବର ମିଳିବା ପରେ ବଡ଼ଗଡ଼ ଥାନା ପୋଲିସ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା । ଏହାସହ ଡଗ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର କୋର୍ଟ ପରିସରରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଯାଞ୍ଚ କରିଥିଲା । ଏଭଳି ଖବର ପ୍ରଚାରିତ ହେବା ପରେ କୋର୍ଟ ଭିତରେ ଭୟର ବାତାବରଣ ଖେଳିଯାଇଥିଲା । ଯାଞ୍ଚ ପରେ ଏହା ଗୁଜବ ବୋଲି ଜଣାପଡିଥିଲା । ତେବେ କିଏ ଓ କାହିଁକି ଏଭଳି ଇ-ମେଲ୍ ପଠାଇ ଆତଙ୍କ ସୃଷ୍ଟି କଲେ ତାକୁ ନେଇ ପୋଲିସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି ।
ସୁଚନାଯୋଗ୍ୟ ଯେ, ଗତ କିଛି ମାସ ହେବ ରାଜ୍ୟର ବିଭିନ୍ନ କୋର୍ଟକୁ ଏଭଳି ଇ-ମେଲ୍ ଆସିବାରେ ଲାଗିଛି। ଗତ ୯ ତାରିଖରେ ପୁରୀ କୋର୍ଟକୁ ମଧ୍ୟ ଏଭଳି ଇ-ମେଲ୍ ଯୋଗେ ଧମକ ମିଳିଥିଲା । ତେବେ ଯାଞ୍ଚ ପରେ ତାହା ଗୁଜବ ବୋଲି ଜଣାପଡିଥିଲା । ଗତ ଜାନୁଆରୀ ୮ ତାରିଖରେ ହାଇକୋର୍ଟ ସମେତ ସମ୍ବଲପୁର, ଦେବଗଡ଼ ଜିଲ୍ଲା କୋର୍ଟକୁ ମଧ୍ୟ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଥିଲା । ପରେ ତାହା ଗୁଜବ ବୋଲି ଜଣାପଡିଥିଲା