ଜଗତପୁର,୨୯/୦୬: ଚାରି ଜଣ ସାଙ୍ଗ  ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇ  ୩ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଚତୁର୍ଥ ଯୁବକ ପହଁରି ପହଁରି  କୂଳକୁ ପଳାଇ ଆସିଥିବା ଜଣାପଡ଼ିଛି । ଜଗତପୁର ଥାନାନ୍ତର୍ଗତ ସାତବାଟିଆ ମହାନଦୀ ଘାଟରେ ରବିବାର  ସନ୍ଧ୍ୟାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।  ମୃତ ତିନ ଯୁବକ ହେଲେ ମୁକ୍ତି ପ୍ରସାଦ  ଦାସ(୨୧) ଓ ଅମ୍ଲାନ ପ୍ରସାଦ ନାୟକ(୨୦), ଅରିଜିତ୍‌  ସାହୁ(୨୧)  । ମୁକ୍ତି  ପ୍ରସାଦଙ୍କ ଘର ଚାଉଳିଆଗଞ୍ଜ ଥାନା ଅଧୀନ ବେଲେଶ୍ୱର  ଅଞ୍ଚଳରେ । ଅମ୍ଲାନ ପ୍ରସାଦଙ୍କ ଘର ମଧୁପାଟଣା ଥାନା  ଅନ୍ତର୍ଗତ କଲ୍ୟାଣୀନଗର ଅଞ୍ଚଳରେ । ସିଆର୍‌ଆର୍‌ଆଇ  ଥାନା ଅଧୀନସ୍ଥ ପୋତାପୋଖରୀ ଅଞ୍ଚଳର ଅରିଜିତ୍‌  ସାହୁ(୨୧) । ଜଗତସିଂହପୁର  ଜିଲ୍ଲା କୃଷ୍ଣାନନ୍ଦପୁର ଲଙ୍କାପଡ଼ା ଅଞ୍ଚଳର ପ୍ରତ୍ୟୁଷ  ସ୍ୱାଇଁ(୨୦) ନଦୀ ସ୍ରୋତରେ ପହଁରି ପହଁରି କୂଳକୁ  ଆସି ପାରିଛନ୍ତି । କଟକ ସହରର ୧୦ଟି ଦମକଳ ବାହିନୀର କର୍ମଚାରୀମାନେ ଅତ୍ୟାଧୁନିକ ବୋଟ୍‌  ଓ ଲାଇଟ୍‌ ସହାୟତାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ  ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ଅରିଜିତ୍‌ଙ୍କ  ପତ୍ତା ମିଳିନଥିଲ। ସୋମାବାର ସକାଳୁ ଖୋଜା ଖୋଜି ପରେ ଅରିଜିତ୍‌ଙ୍କ ମୃତଦେହକୁ ଅଗ୍ନିଶମ ଟିମ୍ ଉଦ୍ଧାର କରିଛନ୍ତି। ଅରିଜିତ୍‌ କଟକ ଷ୍ଟୁଆର୍ଟ  ବିଜ୍ଞାନ ମହାବିଦ୍ୟାଳୟରୁ +୩ ପାସ୍‌ କରିଥିଲେ ।  ଘଟଣାଟି ଅଞ୍ଚଳରେ ଶୋକ ଖେଳାଇ ଦେଇଛି ।  

ମିଳିଥିବା ଖବର ମୁତାବକ, କଟକ ସହରର  ପୂର୍ବାଞ୍ଚଳରୁ ୪ ଜଣ ସାଙ୍ଗ ରବିବାର ଅପରାହ୍ନରେ ଘରୁ  ବାହାରି ଏକାଠି ଜଗତପୁର ଅଭିମୁଖେ ଯାଇଥିଲେ ।  ସାତବାଟିଆ ନିକଟରେ ମହାନଦୀ ଘାଟରେ ପହଞ୍ଚି ଗାଧୋଉଥିବା ସମୟରେ ପ୍ରଥମେ ଅମ୍ଲାନ ବୁଡ଼ି  ଯାଉଥିବା ବେଳେ ଅନ୍ୟ ତିନି ଜଣ ତାଙ୍କୁ ଉଦ୍ଧାର  କରିବାକୁ ଉଦ୍ୟମ କରିଥିଲେ । ତେବେ ପହଁରା ଶିଖି ନ  ଥିବାରୁ ତିନି ଜଣ ଯାକ ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । କେବଳ ପ୍ରତ୍ୟୁଷ ପହଁରି ପହଁରି  କୂଳକୁ ଆସି ପାରିଥିଲେ । ଖବର ପାଇ ଚାଉଳିଆଗଞ୍ଜ  ଦମକଳ କେନ୍ଦ୍ର ଓ କଟକ ବକ୍ସିବଜାର ଦମକଳ କେନ୍ଦ୍ରର  ୨୦ରୁ ଅଧିକ କର୍ମଚାରୀ ମହାନଦୀରେ ଦୀର୍ଘ ୩ ଘଣ୍ଟାରୁ  ଅଧିକ ତଲାସି କରିବା ପରେ ପ୍ରଥମେ ମୁକ୍ତିପ୍ରସାଦଙ୍କୁ  ଉଦ୍ଧାର କରିଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ  ହୋଇସାରିଥିଲା । ରାତି ପ୍ରାୟ ସାଢ଼େ ୧୧ଟା ବେଳେ  ଅମ୍ଲାନ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଜି ସକାଳୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ବହୁତ ଖୋଜା ଖୋଜି ପରେ ଗଭୀର ପାଣି ଭିତରୁ ଅରିଜିତ ସାହୁଙ୍କ ମୃତଦେହକୁ ଉଦ୍ଧାରକାରୀ ଟିମ୍ ଠାବ କରିଥିଲା ।ମୃତଦେହକୁ ଉଦ୍ଧାର କରିବା ପରେ ପୁଲିସ ଜବତ କରିଛି। ପରେ ଅରିଜିତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଯାଇଥିବା ସୂଚନା ମିଳିଛି।  

ଅଧିକ ପଢ଼ନ୍ତୁ :-  Tamil Nadu Gas Tragedy : ଅଧାରୁ ପାଠପଢ଼ା ଛାଡ଼ି ରୋଜଗାର ଆଶାରେ ଯାଇଥିଲେ, ରାତି ଡ୍ୟୁଟି ସାରି ନିଦରେ ଶୋଇଥିଲେ, ଆଉ ଉଠିଲେନି...

 ଅମ୍ଲାନ, ଅରିଜିତ୍‌, ମୁକ୍ତିପ୍ରସାଦ, ପ୍ରତ୍ୟୁଷ ୪  ଜଣ ଅନ୍ୟ ଦିନ ପରି ଗାଡ଼ିରେ ଏକାଠି ଜଗତପୁର  ଯାଇ ମହାନଦୀର ସାତବାଟିଆ ଘାଟ ପାଖ ରୋଡ଼ରେ  ଗାଡ଼ି ରଖି ସାଙ୍ଗ ହୋଇ ଗାଧୋଇବାକୁ ପାଣି ଭିତରେ  ପଶିଥିଲେ । ଗାଧୋଇବା ବେଳେ ପ୍ରଥମେ ଅମ୍ଲାନ ବୁଡ଼ି  ଯାଇଥିଲେ । ଅମ୍ଲାନଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ  ୩ ଜଣ ବନ୍ଧୁ ଉଦ୍ୟମ କରି ବିଫଳ ହୋଇଥିଲେ ।  ଏହି ଘଟଣା ପ୍ରଚାର ହେବା କ୍ଷଣି ସାତବାଟିଆ  ଅଞ୍ଚଳର ନଦୀ ପଠା ଲୋକାରଣ୍ୟ ହୋଇଯାଇଥିଲା ।  ସେହିପରି ନଦୀରେ ଭାସିଯାଇଥିବା ଛାତ୍ରଙ୍କ ପରିବାର  ଓ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ  କାନ୍ଦରେ ନଦୀକୂଳରେ ଶୋକାକୁଳ ପରିବେଶ ସୃଷ୍ଟି  ହୋଇଥିଲା । ୪ ଜଣ ସାଙ୍ଗଙ୍କ ଭିତରୁ ୩ ଜଣ  ବିଏସ୍‌ସି ପାସ୍‌ କରିଥିବା ଜଣାପଡ଼ିଛି । ଅମ୍ଲାନ ଏବେ  ରାଉରକେଲାର ଏକ ଇଞ୍ଜିନିୟରିଂ କଲେଜର ଛାତ୍ର  ବୋଲି ଖବର ମିଳିଛି । ଜଗତପୁର ଥାନା ପୁଲିସ ମୃତ  ଛାତ୍ର ମୁକ୍ତିପ୍ରସାଦ ଓ ଅମ୍ଲାନଙ୍କ ମୃତଦେହକୁ ବ୍ୟବଚ୍ଛେଦ  ପାଇଁ ଏସ୍‌ସିବି ମେଡିକାଲ୍‌ ପଠାଇଛି । ସୋମାବର  ବ୍ୟବଚ୍ଛେଦ ହେବ ବୋଲି ପୁଲିସ କହିଛି । ୪ ଜଣ  ଯାକ ସାଙ୍ଗ ପୂର୍ବରୁ ଅନେକ ଥର ସାତବାଟିଆ ପଠାକୁ  ବୁଲାବୁଲି କରିବାକୁ ଆସିଥାନ୍ତି ବୋଲି ଖବର ମିଳିଛି।