ଭୁବନେଶ୍ବର,୧୭।୧୦ : ସାତକୋଶିଆକୁ ଆସିବେ ମହାବଳ ବାଘ । ୧୨ରୁ ୧୬ଟି ମହାବଳ ବାଘ ଅଣାଯିବ। ଏନଟିସିଏର ଟାଇଗର ରିକଭରି ପ୍ଲାନ ଅନୁସାରେ ୧୨ ରୁ ୧୬ ଟି ବାଘ ଆଣିବାକୁ ଯୋଜନା କରାଯାଇଛି ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।
ମହାବଳ ବାଘ ଆଣିବା ପାଇଁ ବୈଷୟିକ ଅନୁମୋଦନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାରେ ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ବାଘ ଅଣାଯିବ। ବାଘ ଅଣାଯାଇ ବଂଶ ବିସ୍ତାର ପାଇଁ ଯୋଜନା କରାଯାଇଛି ବୋଲି ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି।
ଅନ୍ୟପକ୍ଷରେ ଅନୁଗୁଳ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ୧୨ଟି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ ପ୍ରଦାନ କରାଯାଇଛି । ଏହାସହ ବାଲୁଖଣ୍ଡ ଅଭୟାରଣ୍ୟ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ କେତେକ ପାଟ୍ରୋଲିଂ ଯାନ ପ୍ରଦାନ କରାଯାଇଛି । ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଭେଇକିଲ୍ ଦିଆଯାଇଛି । ଜୀବଜନ୍ତୁଙ୍କ ସୁରକ୍ଷାରେ ଏହି ପାଟ୍ରୋଲିଂ ଭ୍ୟାନ ନିୟୋଜିତ ହେବ । ଏହି ପାଟ୍ରୋଲିଂ ଭ୍ୟାନରେ ଜିପିଏସ ନାଭିଗେସନ ସହ ବନ୍ୟପ୍ରାଣୀଙ୍କ ଉଦ୍ଧାର ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ଭୁବନେଶ୍ୱରସ୍ଥିତ ଭରତପୁର ଅଭୟାରଣ୍ୟ ନିକଟରେ ଏହି ପାଟ୍ରୋଲିଂ ଯାନର ଶୁଭାରମ୍ଭ କରିଛନ୍ତି ।