ଅହମ୍ମଦାବାଦ, ୨୨/୦୫ : ବୁଧବାର ଖେଳାଯିବ ଆଇପିଏଲ୍ର ଏଲିମିନେଟର ମୁକାବିଲା । ସାମ୍ନାସାମ୍ନି ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ମ୍ୟାଚ୍ର ବିଜେତା ଦ୍ୱିତୀୟ କ୍ୱାଲିଫାୟରକୁ ଯୋଗ୍ୟତା ଅର୍ଜନ କରିବ । ପରାଜିତ ଦଳ ପାଇଁ ଆଉ ଦ୍ୱିତୀୟ ସୁଯୋଗ ନଥିବାରୁ ଆସନ୍ତା କାଲି ଉଭୟ ଦଳ ବିଜୟ ପାଇଁ ସବୁ ଶକ୍ତି ଲଗାଇ ଦେବେ । ଫଳରେ ମ୍ୟାଚ୍ଟି ତୀବ୍ର ସଂଘର୍ଷପୂର୍ଣ୍ଣ ରହିବା ନିଶ୍ଚିତ ।
ଏପ୍ରିଲ ୬ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ରାଜସ୍ଥାନ ରୟାଲ୍ସ ୬ୱିକେଟ୍ରେ ଉକ୍ତ ମ୍ୟାଚ୍ ଜିତିଥିଲା । ଏହି ମ୍ୟାଚ୍ ଅନେକ ସ୍ମରଣୀୟ ଫର୍ଦ୍ଦ ଯୋଡିଥିଲା। ବିରାଟ କୋହଲିଙ୍କ ଶତକ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ୩/୧୮୩ ରନ୍ ସଂଗ୍ରହ କରିଥିଲା । ଜବାବରେ ଜୋସ ବଟଲର ଶତକୀୟ ପାଳି ଖେଳି ରୟାଲ୍ ଚ୍ୟାଲେଞ୍ଜର୍ସ ଠାରୁ ବିଜୟ ଛଡ଼ାଇ ଆଣିଥିଲେ । ୫ଟି ବଲ୍ ବାକି ଥାଇ ଦଳ ବିଜୟ ହାସଲ କରିଥିଲା । ଏଥର ରୟାଲ ଚ୍ୟାଲେଞ୍ଜର୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ପୂର୍ବ ରେକର୍ଡ ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୩୧ଥର ଭେଟିଛନ୍ତି । ଏଥିରୁ ରୟାଲ୍ ଚ୍ୟାଲେଞ୍ଜର୍ସ ୧୫ଟି ମ୍ୟାଚ୍ ଜିତିଛି ଓ ରାଜସ୍ଥାନ ରୟାଲ୍ସ ୧୩ଟି ମ୍ୟାଚ୍ରେ ବିଜୟୀ ହୋଇଛି । ବର୍ତ୍ତମାନ ମଧ୍ୟ ରୟାଲ୍ ଚ୍ୟାଲେଞ୍ଜର୍ସ ଚମତ୍କାର ଫର୍ମରେ ରହିଛି । ଭାଗ୍ୟ ଦଳର ସାଥ୍ ଦେଉଛି । ପ୍ରଥମ ୮ଟି ମ୍ୟାଚ୍ ମଧ୍ୟରୁ ରୟାଲ୍ ଚ୍ୟାଲେଞ୍ଜର୍ସ ୭ଟିରେ ପରାଜିତ ହୋଇଥିଲା । ଏହାପରେ ଦଳ କ୍ରମାନ୍ୱୟରେ ୬ଟି ମ୍ୟାଚ୍ ଜିତି ପ୍ଲେ-ଅଫ୍ରେ ପ୍ରବେଶ କରିଥିଲା । ବର୍ତ୍ତମାନ ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ବିରାଟ କୋହଲି ୧୪ଟି ମ୍ୟାଚ୍ରୁ ୭୦୮ ରନ୍ ସଂଗ୍ରହ କରିସାରିଛନ୍ତି । ଡୁ ପ୍ଲେସି, ରଜତ ପାତିଦାର, କାମରେନ ଗ୍ରୀନ, ଦିନେଶ କାର୍ତ୍ତିକ ପ୍ରମୁଖ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି ।
ବିଶେଷ କରି ବୋଲିଂ ବିଭାଗ ଫର୍ମକୁ ଫେରିଥିବାରୁ ରୟାଲ୍ ଚ୍ୟାଲେଞ୍ଜର୍ସ ଶକ୍ତି ବୃଦ୍ଧି ପାଇଛି । ରାଜସ୍ଥାନ ରୟାଲ୍ସର ପ୍ରଦର୍ଶନ ସମ୍ପୂର୍ଣ୍ଣ ଓଲଟା । ପ୍ରଥମ ୯ଟି ମ୍ୟାଚ୍ରୁ ରାଜସ୍ଥାନ ରୟାଲ୍ସ ୮ଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ହାସଲ କରିଥିଲା । ମାତ୍ର ଏହାପରେ ଦଳ କ୍ରମାନ୍ୱୟରେ ୪ଟି ମ୍ୟାଚ୍ ପରାଜିତ ହୋଇଥିଲା ଓ ଅନ୍ତିମ ଲିଗ୍ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ଦଳକୁ ୧୭ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଆସନ୍ତା କାଲି ଶେଷ ସୁଯୋଗ ରହିଥିବାରୁ ଦଳ ବିଜୟକୁ ଫେରିବା ଜରୁରି । ବଟଲରଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିବା ନିଶ୍ଚିତ । ମାତ୍ର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଆସନ୍ତା କାଲି ଉଭୟ ଦଳ ଅପରିବର୍ତ୍ତିତ ରହିବା ନିଶ୍ଚିତ । ସିମରନ ହେତମାୟର ଫିଟ୍ ଘୋଷିତ ହୋଇଛନ୍ତି । ମାତ୍ର ତାଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ରାଜସ୍ଥାନ ରୟାଲ୍ସ ସୁଯୋଗ ଦେଇପାରେ । ଏଲିମିନେଟର ମୁକାବିଲା ପାଇଁ ପ୍ରସ୍ତୁତ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଗ୍ରୀଷ୍ମ ପ୍ରବାହ ଯୋଗୁଁ ପିଚ୍ ଶୁଷ୍କ ରହିବା ସ୍ୱାଭାବିକ । ଫଳରେ ପିଚ୍ରୁ ସ୍ପିନରମାନେ ଯଥେଷ୍ଟ ଫାଇଦା ଉଠାଇ ପାରିବେ । ରାତ୍ରିରେ ମ୍ୟାଚ୍ ରହିଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ । ଆସନ୍ତା କାଲି କୋହଲି ଓ ରାଜସ୍ଥାନ ରୟାଲ୍ସର ଦୁଇ ସ୍ପିନର ରବି ଅଶ୍ୱିନ ଓ ୟୁଝବେନ୍ଦ୍ର ଚହଲଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିବ ।