ଭୁବନେଶ୍ୱର,୧୫/୦୫: ବିଳମ୍ବିତ ରାତିରେ ମାଇନ୍ସ ବିଭାଗର ଜଳେଶ୍ୱର ଥାନା ଅଂଚଳରେ ଚଢ଼ାଉ । ଚଢ଼ାଉ ସମୟରେ ମାଇନ୍ସ ଗାଡି ସହିତ ଆସିଥିବା ପୋଲିସ ଗାଡିକୁ ଧକ୍କା ଦେଲା ଚୋରା ବାଲି ବୋଝେଇ ଟ୍ରାକ୍ଟର । ଅଳ୍ପକେ ରକ୍ଷା ପାଇଲେ ୩ ପୋଲିସ କର୍ମଚାରୀ । ଘଟଣା ସ୍ଥଳରୁ ଫେରାର ହେଲା ଟ୍ରାକ୍ଟର ଡ୍ରାଇଭର । ଜବତ ହେଲା ଚୋରା ବାଲି ବୋଝେଇ ଟ୍ରାକ୍ଟର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ତ ସୁବର୍ଣ୍ଣରେଖା ନଦୀର ବାଲି ଏବେ ସୁନା ପାଲଟିଛି । ବିଭିନ୍ନ ସ୍ଥାନରେ ବାଲି ମାଫିଆମାନେ ରାତିରେ ଶହ ଶହ ଟ୍ରିପ୍ ବାଲି ଉତ୍ତୋଳନ କରି ଚୋରାରେ ପରିବହନ କରି ଆସୁଛନ୍ତି । ତେବେ ବୁଧବାର ବିଳମ୍ବିତ ରାତିରେ ବାଲେଶ୍ୱର ମାଇନ୍ସ ବିଭାଗ ଜଳେଶ୍ୱର ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ପଥରପୁରା ଅଞ୍ଚଳରେ ଏକ ଟ୍ରାକ୍ଟର ବାଲି ବୋଝେଇ କରି ଚୋରାରେ ପରିବହନ କରୁଥିଲା । ଏହି ସମୟରେ ଟ୍ରାକ୍ଟରଟି ମାଇନ୍ସ ଗାଡି ସହିତ ଆସିଥିବା ପୋଲିସ ଗାଡିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର ସାଇଟରେ ମାଡ଼ ହୋଇଥିଲା ବେଳେ ଅଳ୍ପକେ ରକ୍ଷା ପାଇଥିଲେ ୩ ଜଣ ପୋଲିସ କର୍ମଚାରୀ । ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ମାଇନ୍ସ ବିଭାଗ ବାଲି ଟ୍ରାକ୍ଟରକୁ ଜବତ କରି ଜଳେଶ୍ୱର ଥାନାରେ ଜିମା ଦେଇ ଅଧିକ ତଦନ୍ତ ଜାରି ରଖିଛି ।