ଗଞ୍ଜାମ, ୨୮।୨: "ରୂପା ଶଗଡ଼ିରେ ସୁନା କନିଆ, ନୂଆ ଜହ୍ନ ପରି ଛନଛନିଆ... ଆଜି ବି ଏ ଗୀତ ଦର୍ଶକଙ୍କ ମନରେ ଛାପ ଛାଡ଼ିଯାଇଛି । ସେଦିନ ପରଦାରେ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ସେହି ଶଗଡ଼ ଗାଡ଼ିର ଏଣ୍ଟ୍ରିକୁ ଦେଖି ସାରା ଓଡ଼ିଶା ବିଭୋର ହୋଇଥିଲା । କିନ୍ତୁ ଆଜିର ଏହି ଡିଜିଟାଲ୍ ଯୁଗରେ, ଯେଉଁଠି ଲୋକେ ବିବାହରେ ଲକ୍ଷାଧିକ ଟଙ୍କାର ବିଳାସପୂର୍ଣ୍ଣ କାର୍ ଖୋଜୁଛନ୍ତି, ସେଠାରେ ବାସ୍ତବ ଜୀବନରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଫିକା ପଡ଼ିଲା କାର୍, ଜିତିଲା ପରମ୍ପରା ! ଗଞ୍ଜାମ ଜିଲ୍ଲାରୁ ଆସିଛି ଏମିତି ଏକ ଖବର, ଯାହାକୁ ଦେଖିଲେ ଲାଗୁଛି ସତେ ଯେମିତି ସେଇ ପୁରୁଣା ଦିନ ସବୁ ଫେରି ଆସିଛି ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସାମନ୍ତରାପଲ୍ଲି ଗାଁର ଯୁବକ ଶନିଶ୍ଚର ପ୍ରଧାନ ନିଜ ବିବାହକୁ ସବୁଦିନ ପାଇଁ ସ୍ମରଣୀୟ କରିବାକୁ ନେଇଥିଲେ ଏକ ଭିନ୍ନ ପଦକ୍ଷେପ । କବିସୂର୍ଯ୍ୟନଗରରୁ ଏକ ପୁରୁଣା ଶଗଡ଼ ଗାଡ଼ି ସଂଗ୍ରହ କରି ତାକୁ ଫୁଲରେ ଅତି ସୁନ୍ଦର ଭାବେ ସଜାଯାଇଥିଲା । ଆଉ ସେହି ସଜା ଶଗଡ଼ରେ ବସି ସାମନ୍ତରାପଲ୍ଲିର ସୁନା କନିଆ ଗାଁ ଦାଣ୍ଡରେ ଧୂଳି ଉଡ଼ାଇ ଶାଶୁଘରକୁ ଏଣ୍ଟ୍ରି କରିଥିଲେ । ଡିଜେ ବଦଳରେ ଓଡ଼ିଶାର ପାରମ୍ପରିକ 'ବାଘ ନୃତ୍ୟ' ଓ 'ଷଣ୍ଢ ନୃତ୍ୟ' ପରିବେଷଣ କରାଯାଇ ବରଯାତ୍ରୀ ଯାଇଥିଲେ । ଯାହାକୁ ଦେଖିବା ପାଇଁ ଗାଁର ଛୋଟ ପିଲାଠୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିଡ଼ ଜମିଥିଲା ।
ବର୍ଷ ବର୍ଷ ପୁର୍ବେ ବିବାହ କାର୍ଯ୍ୟଟିଏ ହେଲେ ଖୋଜା ପଡୁଥିଲା ଶଗଡଗାଡି । ତାକୁଅତି ସୁନ୍ଦର ଭାବରେ ସଜା ଯାଇ ନବବଧୂ କୁ ଆଣିବାକୁ ବ୍ୟବହାର କରାଯାଉଥିଲା । ହେଲେ କାଳକ୍ରମେ ସେହି ପରମ୍ପରା ଧିରେ ଧିରେ ଲୋପ ପାଇଗଲା । ଶଗଡ ବଦଳରେ ନବ ବଧୂ କାରରେ ଶାଶୁ ଘର ଗଲେଣି । ତେବେ ସେହି ବର୍ଷ ବର୍ଷର ପରମ୍ପରାକୁ ପୁଣି ମନେ ପକାଇବା ସହ ନିଜ ବିବାହ କାର୍ଯ୍ୟକୁ ସବୁଦିନ ପାଇଁ ସ୍ମୃତି କରିବା ଉଦ୍ଧେଶ୍ୟରେ ପୁରୁଷୋତ୍ତମପୁର ବ୍ଲକ ସାମନ୍ତରାପଲ୍ଲି ଗାଁର ଶନିଶ୍ଚର ପ୍ରଧାନ ନେଇଥିଲେ ଭିନ୍ନ ପଦକ୍ଷେପ । କବିସୂର୍ଯ୍ୟନଗର ସହରରୁ ଶଗଡ ସଂଗ୍ରହ କରି ତାକୁ ରାତି ତମାମ ସଜାଇ ନିଜ ବିବାହ କାର୍ଯ୍ୟରେ ବ୍ୟବହାର କରିଥିଲେ । ଏଥିସହ ଶନିଶ୍ଚର ନିଜର ଧର୍ମପତ୍ନୀଙ୍କୁ ଆଣିବା ପାଇଁ କାର ବଦଳରେ ଶଗଡକୁ ବ୍ୟବାହର କରିଥିଲେ । ତାହା ସହ ଡିଜେ ସାଉଣ୍ଡ ବଦଳରେ ବାଘ ଷଣ୍ଢ ନୃତ୍ୟକୁ ମଧ୍ୟ ପରିବେଷଣ କରିଥିଲେ । କାଳକ୍ରମେ ଗାଁ ଗହଳିରୁ ଶଗଡ଼ ଗାଡ଼ି ବିଲୁପ୍ତ ହୋଇଯାଇଥିବା ବେଳେ, ଶନିଶ୍ଚରଙ୍କ ଏହି ପ୍ରୟାସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ଏବଂ ଏହା ଆଧୁନିକ ଯୁବପିଢ଼ିଙ୍କ ପାଇଁ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି ।