ମାଲକାନଗିରି/ପଡ଼ିଆ,୨୪/୧୨ : ସାଙ୍ଗକୁ ଟ୍ରେନରେ ବସାଇବାକୁ ଆସି ଟ୍ରେନ୍ ଚକା ତଳେ ଚାଲିଯାଇଛି ଜଣେ ଯୁବକର ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ହାଇଦ୍ରାବାଦ ଷ୍ଟେସନରେ l ମୃତ ଯୁବକ ଜଣଙ୍କ ହେଲେ ୱାନ୍ତାଲ ବିଜୟ ରତ୍ନମ(୨୩)।
ସୂଚନା ଅନୁସାରେ, ବିଜୟ ମାଲକାନଗିରି ଜିଲ୍ଲା ପଡ଼ିଆ ସଦର ମହକୁମା ଖ୍ରୀଷ୍ଟିୟାନ ସାହିର । ଗରିବ ପରିବାର ମଧ୍ୟରେ ଦିନ କଟାଉଥିଲାବେଳେ ଯୁବକ ଜଣଙ୍କ ନିଜ ସାହିର ବନ୍ଧୁ ନାକା କିରଣଙ୍କ କଥାରେ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ଆସୁଥିଲେ l ଯେଉଁ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ସେ କମ୍ପାନୀ ମାଲିକ ୩ମାସ ହେବ ଦରମା ଦେଇନଥିବାରୁ ବଡ଼ଦିନ ପାଳିବାକୁ ଘରକୁ ଆସି ପାରି ନ ଥିଲେ । ବନ୍ଧୁ ନାକା କିରଣଙ୍କୁ ଛାଡିବାକୁ ହାଇଦ୍ରାବାଦ ରେଳ ଷ୍ଟେସନକୁ ଆସିଥିଲେ । ବିଜୟ ଟ୍ରେନ ମଧ୍ୟରେ ବନ୍ଧୁଙ୍କୁ ବସାଇ ଟ୍ରେନରୁ ଓହ୍ଲାଇବା ପୂର୍ବରୁ ଟ୍ରେନଟି ଛାଡ଼ି ଦେଇଥିଲା ।ଏହି ସମୟରେ ଟ୍ରେନରୁ ଓହ୍ଲାଇଲାବେଳେ ଗୋଡ଼ ଖସି ଯାଇଥିଲା । ଫଳରେ ଟ୍ରେନ ଚକ ତଳେ ତାଙ୍କର ବାମ ଗୋଡ଼ଟି ସମ୍ପୂର୍ଣ୍ଣ କଟି ଯାଇଥିଲା । ଏହାସହ ଚାପି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା l ଘଟଣାଟି ଗତ ୨୨ତାରିଖ ସୋମବାର ଅପରାହ୍ନରେ ଘଟିଥିଲା । ସେଠିକାର ପୁଲିସ ଶବ ବ୍ୟବଛେଦ ପରେ ଆଜି ଯୁବକର ନିଜ ଗ୍ରାମ ମାଲକାନଗିରି ପଡ଼ିଆକୁ ପଠାଇଛନ୍ତି । ଖବରଟି ପଡ଼ିଆ ଅଞ୍ଚଳରେ ପ୍ରଘଟ ହେବା ପରେ ସଦର ମହକୁମାରେ ଦୁଃଖର ଛାୟା ଖେଳିଯାଇଛି ।