ବଲାଙ୍ଗୀର/ପାଟଣାଗଡ଼,୬/୧୨ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନାରେ ଜଣେ ଆଦିବାସୀ ମହିଳାଙ୍କ ଲିଖିତ ଅଭିଯୋଗକୁ ଲରମ୍ଭା ଥାନାଧିକାରୀ ଭାନୁଶଙ୍କର ଯାଦବ ଗ୍ରହଣ ନ କରି ଫେରାଇଦେଇଛନ୍ତି । ଫଳରେ ମହିଳା ଜଣକ ଶନିବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବଲାଙ୍ଗିରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଧିକ୍ଷକ ଉପସ୍ଥିତ ନ ଥିବାରୁ ମହିଳା ଜଣକ ପୁଣି ନ୍ୟାୟ ନ ପାଇ ନିରାଶ ହୋଇ ଘରକୁ ଫେରିଛନ୍ତି।
ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଦାବକାନି ଗାଁର ଯଶୋଦା ବରିହା ଓ ତାଙ୍କ ସ୍ୱାମୀ ଉଭୟେ କୁଲି ମଜୁରୀ କରି ଚଳି ଆସୁଥିଲେ । ଗତ ତିନି ବର୍ଷ ହେବ ସିକନ୍ଦରାବାଦ ଅଞ୍ଚଳର ଜନୈକ ଇଟା ଭାଟି ମାଲିକଙ୍କ ପାଖରେ ସ୍ୱାମୀ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରିବାକୁ ଯାଇଥାନ୍ତି । ଫଳରେ ଭାଟି ମାଲିକ ଓ ଯଶୋଦାଙ୍କ ସ୍ୱାମୀ ମଧ୍ୟରେ ଭଲ ସମ୍ପର୍କ ରହି ଆସିଛି । ଏ ବର୍ଷ ମଧ୍ୟ ଯଶୋଦାଙ୍କ ପରିବାର ଯିବା ପୂର୍ବରୁ ଭାଟି ମାଲିକ ଜଣଙ୍କ ସେଠାରେ କାମ କରିବାକୁ କିଛି ଲୋକଙ୍କୁ ଆଣିବାକୁ କହିଥିଲେ । ଯଶୋଦାଙ୍କ ସ୍ୱାମୀ ଏ ବିଷୟରେ ଅନଭିଜ୍ଞ ଥିବାରୁ ତାଙ୍କ ଗାଁରେ ଥିବା ଦାଦନ ସର୍ଦ୍ଦାର ସୁଲେମାନ ଖାନଙ୍କ ପୁଅ ରୋଶନ ଖାନଙ୍କୁ ଯୋଗାଯୋଗ କରି ଇଟା ଭାଟି ମାଲିକଙ୍କ ସହ ଫୋନ ଯୋଗେ କଥା କରାଇଥିଲେ ।
ରୋଶନ ମୁଁ ଆଇନ ଅନୁଯାୟୀ କାଗଜପତ୍ର କରି ଲୋକ ପଠାଇବି ବୋଲି ମାଲିକଙ୍କୁ ବିଶ୍ୱାସ ଦେଇଥିଲା । ମାଲିକ ଜଣଙ୍କ ତା କଥାରେ ପଡ଼ି ସଙ୍ଗେସଙ୍ଗେ ଯଶୋଦା, ତାଙ୍କ ସ୍ୱାମୀ ଓ ଦିଅରଙ୍କ ଏନକାଉଣ୍ଟରେ ୫ଲକ୍ଷ ୫୦ହଜାର ଟଙ୍କା ପଠାଇଥିଲେ । ଯଶୋଦା ଓ ତାଙ୍କ ସ୍ୱାମୀ ଉକ୍ତ ଟଙ୍କା ବ୍ୟାଙ୍କରୁ ଉଠାଣ କରି ଗାଁର ପାଞ୍ଚ ଜଣଙ୍କ ଉପସ୍ଥିତିରେ ସାଢେ ପାଞ୍ଚ ଲକ୍ଷ ଟଙ୍କା ଦାଦନ ଦଲାଲ ରୋଶନ ଖାନକୁ ଦେଇଥିଲେ । ରୋଶନ ଚାଲାକି କରି ଦୁଇ ଦିନ ମଧ୍ୟରେ ଲୋକ ପଠାଇଦେବି କହିଲା । କିନ୍ତୁ ନ ପଠାଇବାରୁ ସନ୍ଦେହରେ ଯଶୋଦା, ତାଙ୍କ ବାପା ଓ ଜଣେ ସମ୍ପର୍କୀୟ ମାମୁଁ ରୋଶନ ଘରକୁ ଟଙ୍କା ମାଗିବାକୁ ଯାଇଥିଲେ । କିନ୍ତୁ ରୋଶନ ଟଙ୍କା ଫେରାଇବା ବଦଳରେ ଓଲଟା ଆଦିବାସୀ ମହିଳା ଯଶୋଦାଙ୍କୁ ଜାତିଆଣ ଆକ୍ଷେପ, ଅଶ୍ଳୀଳ ଗାଳି ଗୁଲଜ ସହ ଟଣାଓଟରା କରି ମାଡ଼ ମାରିବାକୁ ଉଦ୍ୟମ କରିଥିଲା।ମହିଳା ଜଣକ ଭୟରେ ସେଠାରୁ ଘରକୁ ଚାଲି ଆସିଥିଲେ । ଉକ୍ତ ଘଟଣାକୁ ନେଇ ଶନିବାର ଯଶୋଦା ଲରମ୍ଭା ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଥାନାଧିକାରୀ ନ୍ୟାୟ ଦେବା ପରିବର୍ତ୍ତେ ତାଙ୍କ ଅଭିଯୋଗପତ୍ର ନ ରଖି ଫେରାଇଦେଇଥିବା ଅଭିଯୋଗ ଆଣିଛନ୍ତି । ଫଳରେ ମହିଳା ଜଣଙ୍କ ଆଜି ସନ୍ଧ୍ୟା ସମୟରେ ନ୍ୟାୟ ପାଇଁ ଆରକ୍ଷୀ ଅଧିକ୍ଷକ ବଲାଙ୍ଗିରଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଧିକ୍ଷକ ଉପସ୍ଥିତ ନ ଥିବାରୁ ମହିଳା ଜଣକ ନ୍ୟାୟ ନ ପାଇ ଫେରିଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଏସପି ଅଭିଳାଷ ଜିଙ୍କୁ ଅବଗତ କରିବାରୁ ମୁଁ ବାହାରେ ଅଛି କ‘ଣ ହୋଇଛି ଦେଖୁଛି ବୋଲି କହିଥିଲେ । ତେବେ ଜଣେ ଆଦିବାସୀ ମହିଳାଙ୍କ ଅଭିଯୋଗ ପତ୍ର ନ ରଖି କାହିଁକି ଫେରେଇ ଦିଆଗଲା ଉକ୍ତ ଘଟଣା ଉପରେ ରାଜ୍ୟ ସରକାର ଦୃଢ ପଦକ୍ଷେପ ନେବାସହ ମହିଳାଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଜନସାଧାରଣ ମହଲରେ ଦାବି ହେଉଛି।