ନୂଆଦିଲ୍ଲୀ, ୩।୧୧: ତାଇୱାନ ଉପରେ ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ ବୋଲି ଚୀନକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ ରବିବାର କହିଥିଲେ, ସି ଜିନପିଙ୍ଗ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ତାଇୱାନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ । ଟ୍ରମ୍ପ କହିଛନ୍ତି, ଗୁରୁବାର ଦକ୍ଷିଣ କୋରିଆରେ ସି ଜିନପିଙ୍ଗଙ୍କ ସହ ହୋଇଥିବା ଆଲୋଚନାରେ ତାଇୱାନର ବିବାଦୀୟ ପ୍ରସଙ୍ଗ ଉଠିନଥିଲା । ଏହି ଆଲୋଚନା ମୁଖ୍ୟତଃ ଆମେରିକା-ଚୀନ ବାଣିଜ୍ୟ ଉତ୍ତେଜନା ଉପରେ କେନ୍ଦ୍ରିତ ଥିଲା । ଆଲୋଚନା ପରେ ଟ୍ରମ୍ପ ନିଶ୍ଚିତ କରିଥିଲେ ଯେ, ଚୀନ ତାଇୱାନ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ।
ଚୀନକୁ ଟ୍ରମ୍ପଙ୍କ ଧମକ:
ରବିବାର ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଦକ୍ଷିଣ କୋରିଆରେ ଅନୁଷ୍ଠିତ APEC ଶିଖର ସମ୍ମିଳନୀରେ ସି ଜିନପିଙ୍ଗଙ୍କୁ ଭେଟିଥିଲେ । ଟ୍ରମ୍ପ କହିଥିଲେ, “ସେ ଏବଂ ତାଙ୍କ ଦଳ ଜାଣନ୍ତି ଯେ ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେମାନେ ଏପରି କିଛି କରିବେ ନାହିଁ କାରଣ ସେମାନେ ପରିଣାମ ଜାଣନ୍ତି ।” ଅନ୍ୟପଟେ ଆମେରିକୀୟ ଅଧିକାରୀମାନେ ଦୀର୍ଘ ଦିନ ଧରି ଚିନ୍ତିତ ଥିଲେ ଯେ, ଚୀନ ତାଇୱାନ ବିରୁଦ୍ଧରେ ସାମରିକ ଶକ୍ତି ବ୍ୟବହାର କରିପାରେ । କିନ୍ତୁ, ଏବେ ଏହି ଦ୍ୱନ୍ଦ ଦୂର ହୋଇଛି । ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଉତ୍ତେଜନା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଚୀନର ଶତ୍ରୁମାନେ ଏହା ବିରୁଦ୍ଧରେ ଏକଜୁଟ ହେଉଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଇୱାନ ବିରୁଦ୍ଧରେ ଯେକୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ କଡ଼ା ଚେତାବନୀ ଦେଇଥିବା ବେଳେ, ଫିଲିପାଇନ୍ସ ଏବଂ କାନାଡ଼ା ଚୀନର ବର୍ଦ୍ଧିତ ପ୍ରଭାବକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ନୂତନ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛନ୍ତି ।