ନୂଆଦିଲ୍ଲୀ ୧୭/୦୫: ବାଣିଜ୍ୟ ଓ ରେୟାର ଆର୍ଥ ଉପରେ ଏକ ଠୋସ୍ ଚୁକ୍ତି ଆଶା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍ ଗସ୍ତରେ ଆସିଥିଲେ । ସୋୟାବିନ୍ ଓ ବୋଇଂ ବିମାନ ଉପରେ ଚୁକ୍ତିକୁ ବାଦ୍ ଦେଲେ ଟ୍ରମ୍ପ୍ ଖାଲି ହାତରେ ବେଜିଂ ଛାଡ଼ିଛନ୍ତି । ଗତ ଶୁକ୍ରବାର ଟ୍ରମ୍ପ୍ ଓ ତାଙ୍କ ଟିମ୍ ଏୟାର ଫୋର୍ସ ୱାନ୍ ବିମାନରେ ଫେରିବା ବେଳେ କୌଣସି ଗୋଟିଏ ଚୀନ୍ ସାମଗ୍ରୀ ସାଙ୍ଗରେ ଆଣିନାହାନ୍ତି । ଏପରିକି କୌଣସି ସ୍ମାରକୀ ମଧ୍ୟ ନୁହେଁ । ଟ୍ରମ୍ପ୍ଙ୍କ ସହିତ ଚୀନ୍ ଗସ୍ତରେ ଯାଇଥିବା ହ୍ୱାଇଟ୍ ହାଉସ୍ କର୍ମଚାରୀ ଓ ଆମେରିକୀୟ ରିପୋର୍ଟରଙ୍କ ସମେତ ଆମେରିକୀୟ ପ୍ରତିନିଧିମାନେ ସମସ୍ତ ଚୀନ୍ ଉପହାରକୁ ବିମାନ ନିକଟରେ ଥିବା ଡଷ୍ଟବିନ୍କୁ ଫିଙ୍ଗି ଦେଇଥିଲେ ।
ତେବେ ଏହା ନୂଆ ଘଟଣା ନ ଥିଲା । ଅନେକ ପିଢ଼ି ଧରି ବେଜିଂରେ ଆମେରିକୀୟ ପ୍ରତିନିଧିମାନେ ଏହି ଧାରାକୁ ଅନୁସରଣ କରିଆସୁଛନ୍ତି । ଏ ଥର ସର୍ବସାଧାରଣରେ ଏହା ଘଟିଛି । ଦୁଇ ଦିନିଆ ଚୀନ୍ ଗସ୍ତରେ ଥିବା ଆମେରିକୀୟ ପ୍ରତିନିଧିମାନଙ୍କୁ ଚୀନ୍ କର୍ତ୍ତୃପକ୍ଷ ଉପହାର ସ୍ୱରୂପ ଯାହା ଦେଇଥିଲେ, ସେ ସବୁକୁ ସେମାନେ ଡଷ୍ଟ୍ବିନ୍ରେ ଫିଙ୍ଗିଦେଲେ । ଏହି ଉପହାର ମଧ୍ୟରେ ବର୍ନର ଫୋନ୍, ଲାପେଲ ବ୍ୟାଜ୍, ପ୍ରେସ୍ ନିମନ୍ତ୍ରଣ ଓ ସ୍ମାରକୀ ଆଦି ଥିଲା । ଏହା ପଛର କାରଣ ହେଉଛି, ଚୀନ୍ର ସମ୍ଭାବ୍ୟ ଗୁପ୍ତଚର ନୀତି ଓ ଟ୍ରାକିଂର ପ୍ରତିରୋଧ । ଗୁପ୍ତଚର ରଣନୀତି ପାଇଁ ଚୀନ୍ ବେଶ ଜଣାଶୁଣା ଏବଂ ଆମେରିକା ସହିତ ତା’ର ଏହି ଖେଳ ଖୁବ୍ ପୁରୁଣା ।
ଆମେରିକୀୟ ପ୍ରତିନିଧିମଣ୍ଡଳ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଥିଲା, ଚୀନ୍ର କୌଣସି ସାମଗ୍ରୀ ବିମାନରେ ପ୍ରବେଶ କରିପାରିବ ନାହିଁ । ହ୍ୱାଇଟ୍ ହାଉସ୍ ସିକ୍ୟୁରିଟି ଓ ସିକ୍ରେଟ୍ ସର୍ଭିସ ଏହାକୁ ଲାଗୁ କରିଥିଲା । ନ୍ୟୁୟର୍କ ପୋଷ୍ଟର ହ୍ୱାଇଟ୍ ହାଉସ୍ ସମ୍ବାଦଦାତା ଏମିଲି ଗୁଡିନ୍ ଟ୍ୱିଟ୍ ଜରିଆରେ ଏହା ଲୋକଲୋଚନକୁ ଆଣିଛନ୍ତି । ପ୍ରକୃତ କଥା ହେଉଛି ଆମେରିକା ଓ ଚୀନ୍ ମଧ୍ୟରେ ଗୁଇନ୍ଦାଗିରି ଓ ସାଇବର ସୁରକ୍ଷା ଚିନ୍ତା ଅନ୍ୟତମ ସବୁଠୁ ବଡ଼ ଓ ପୁରୁଣା ସମସ୍ୟା । ୱାଶିଂଟନ୍ ଯିବା ପୂର୍ବରୁ ଟ୍ରମ୍ପ୍ ସାମ୍ବାଦିକ ସମ୍ମିଳନୀରେ ଖୋଲାଖୋଲି ସ୍ୱୀକାର କଲେ ଯେ ଆମେରିକା ଓ ଚୀନ୍ ପରସ୍ପରର ଗୁଇନ୍ଦାଗିରି କରନ୍ତି । ଆମେରିକୀୟ ଭିତ୍ତିଭୂମି ଉପରେ ସାଇବର ଆକ୍ରମଣ ବିଷୟରେ ସି ଜିନ୍ପିଙ୍ଗଙ୍କୁ ପଚାରିବା ପ୍ରଶ୍ନର ଉତ୍ତରରେ ଟ୍ରମ୍ପ୍ ଏହା କହିଲେ । ଏହି ମାମଲା ସୁରକ୍ଷା ପ୍ରୋଟୋକଲର ଅଂଶ ହୋଇଥିଲେ ହେଁ, ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଭୂ-ରାଜନୈତିକ ବିଶ୍ଳେଷକ ଜୁର୍ଗେନ ନଡିଟ୍ କହିଛନ୍ତି, ଚୀନ୍ ଏକମାତ୍ର ଦେଶ ଯାହାଠୁ ଟ୍ରମ୍ପ୍ କୌଣସି ଲାଞ୍ଚ କିମ୍ବା ଉପହାର ଗ୍ରହଣ କରିବେ ନାହିଁ ।
ଆହୁରି ପଢ଼ନ୍ତୁ...ତାଇଓ୍ବାନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବ କି ଆମେରିକା ? ଜିନପିଙ୍ଗ୍ଙ୍କ ସହ ସାକ୍ଷାତ ପରେ ଟ୍ରମ୍ପ କହିଲେ...