ପାଟଣା : କେନ୍ଦୁଝର ଜିଲ୍ଲାର ସାଇବର ପୁଲିସ ନକଲି ସିମ୍ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ୨ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ପାଟଣା ଥାନା ସାହାରପଡ଼ା ବ୍ଲକର ସାହାରପଡ଼ା ପ୍ରଧାନ ସାହି ଅଞ୍ଚଳର ଧୀରଜ ମହାନ୍ତ ଓ କପୁଣ୍ଡି ଗ୍ରାମର ଲଳିତ କୁମାର ମହାନ୍ତ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ ଧୀରଜଙ୍କର ପାଟଣା ବଜାର ଓ ସାହାରପଡ଼ା ବଜାରରେ ମୋବାଇଲ ଦୋକାନ ଥିବାବେଳେ ଉଭୟ ଶତାଧିକ ସିମ୍ କାର୍ଡକୁ ବିଭିନ୍ନ ଲୋକଙ୍କ ନାମରେ କରାଇ ବାହାର ରାଜ୍ୟକୁ ପଠାଇଥିବା ଜଣାପଡିଛି । ଦିଲ୍ଲୀ ସାଇବର ଅପରାଧ ଶାଖା ପକ୍ଷରୁ ସୂଚନା ଆସିବା ପରେ ୪ ଦିନ ହେବ ସାଇବର ପୁଲିସ ପାଟଣା ଅଞ୍ଚଳରେ ନକଲି ସିମ୍ ବିକ୍ରି କରିଥିବା ଅଭିଯୋଗରେ ତନାଘନା ଚଳାଇ ଥିଲେ।
ଅଭିଯୋଗ ଆଧାରରେ ୩ ଜଣରୁ ଅଧିକ ଯୁବକଙ୍କୁ ନେଇ ପଚରା ଉଚୁରା ଚଳାଇଥିଲେ । ଗୁରବାର ଦିନ ୨ ଜଣଙ୍କୁ ସାଇବର ପୁଲିସ ଦ୍ୱାରା ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତୀଶ ମହାପାତ୍ର ସୂଚନା ଦେଇଛନ୍ତି । ଉକ୍ତ ଏଜେଣ୍ଟ ରାଜ୍ୟ ଓ ରାଜ୍ୟ ବାହାରେ ଶତାଧିକ ନକଲି ସିମ୍ ବିକ୍ରି କରୁଥିବା ଜଣାପଡିଛି। ଏହି ନକଲି ସିମ୍କୁ ବ୍ୟବହାର କରି ଅପରାଧିକ କାର୍ଯ୍ୟ ଚାଲିଥିବା ସୂଚନା ମିଳିଛି ।
ଅଭିଯୁକ୍ତଙ୍କ ଦ୍ୱାରା ଶତାଧିକ ସିମ୍କାର୍ଡ ଆକ୍ଟିଭ କରାଯାଇଥିବା ବେଳେ ମୋବାଇଲ ଦୋକାନରୁ ଗୋଟିଏ ଫିଙ୍ଗର ପ୍ରିଣ୍ଟ ସ୍କାନର, ୫ ଟି ମୋବାଇଲ ଓ ୧୦ଟି ସିଲ୍ ସିମ କାର୍ଡ ଜବତ କରାଯାଇଛି ।