ଗଡ଼ମଧୁପୁର, ୨୨/୭ : ମା ବାପା ପୁଅ ଟିଏ ପାଇଁ କେତେ ଦିଅଁ ଦେବତା ପୂଜା ପାଠ, ଓଷା ବ୍ରତ କରି ପାଇଥାଆନ୍ତି l ପୁଅ ଟିଏ ଆସିଲେ କୁଳ ବଞ୍ଚାଇ ବା ସହିତ ବାର୍ଦ୍ଧକ୍ୟ ବେଳେ ବାପାମାଆକୁ ପୋଷିବ ଏବଂ ମଲାବେଳେ ମୁହଁରେ ନିଆଁ ଦେବ, ବାପା ମାଆଙ୍କର ଏମିତି କେତେ କେଜାଣି ମନ ଭିତରେ କଳ୍ପନା ଜଳ୍ପନା  ଉଙ୍କି ମରୁଥାଏ l ମାତ୍ର ବିଧିର ବିଧାନ ସେହି ପୁଅ ଯଦି ବାର୍ଦ୍ଧକ୍ୟ ବେଳେ ବାପା ମା ଙ୍କ ବୋଝ ଶୁଝିବା ବଦଳରେ ବୋଝ ହୋଇଯାଏ  ତେବେ ଆଖିର ଲୁହକୁ ଓଠରେ ପିଇ ନିଜ ଭାଗ୍ୟକୁ ଆଦରି ରହି ଥାଆନ୍ତି ବାପାମାଆ l  ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ମଧୁପୁର ଗଡ଼ ପଞ୍ଚାୟତ ଭୁବନପୁର ଗାଁରେ l  

ଗାଁ ର ତ୍ରିଲୋଚନ ମଲିକଙ୍କ ୨ ପୁଅ ସତ୍ୟଜିତ (୧୦) ଓ ବିଶ୍ୱଜିତ (୮) ବର୍ଷ ର ୨ ଜଣ ଶିଶୁପୁତ୍ର ଦୁନିଆକୁ ଠିକ ଭାବରେ ବୁଝିବା ଆଗରୁ ଆଜକୁ ସାତ ବର୍ଷ ହେବ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପଡି ରହିଛନ୍ତି l ଏହି ରୋଗ ପାଇଁ ଏମାନେ ବର୍ଷରେ ପ୍ରାୟ ୪/୫ ମାସ ଧରି ସରକାରୀ ହେଉ ବା ବେସରକାରୀ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି l ଉଭୟଙ୍କୁ ଏହିରୋଗ ପ୍ରାୟ ୭ ବର୍ଷ ଧରି ଗ୍ରାସି ସାରିଛି l ଏମାନେ ଜନ୍ମ ହେବାର ପ୍ରାୟ ୩ବର୍ଷ ପର୍ଯ୍ୟନ୍ତ ନିରୋଗୀ ଥିଲେ କୌଣସି ଲକ୍ଷ୍ୟଣ ମଧ୍ୟ ଏମାନଙ୍କ ସ୍ୱାସ୍ଥ୍ୟରେ ପରିଲକ୍ଷିତ ହେଉନଥିଲା କୌଣସି ଅସୁବିଧା ନ ଥିଲା l ତିନି ବର୍ଷ ପରେ ଧୀରେ ଧୀରେ ବଡ଼ ପୁଅ ସତ୍ୟଜିତକୁ ଓ କିଛି ବର୍ଷ ପରେ ସାନ ପୁଅ ବିଶ୍ୱଜିତ ଏହି ଅଜଣା ରୋଗରେ ପୀଡିତ ହେବାକୁ ବସିଲେ l ଏହାର ଲକ୍ଷଣ ହେଉଛି ଶରୀରର ପ୍ରତିଟି ଜଏଣ୍ଟ ସ୍ଥାନ ଗୁଡ଼ିକ ପ୍ରବଳମାତ୍ରାରେ ବିନ୍ଧିବା ସହ ଉକ୍ତ ସ୍ଥାନ ଗୁଡ଼ିକ ଫୁଲିଯାଏ l ଶରୀର ମଧ୍ୟରେ ଠିକ ଭାବରେ ରକ୍ତ ସଂଚାଳନ ହୁଏ ନାହିଁ ଓ ରକ୍ତ ତିଆରି ହେବା ମଧ୍ୟ ବନ୍ଦ ହୋଇଯାଏ l ଶରୀର ବୃଦ୍ଧି ପାଇବାର ବହୁତ କଷ୍ଟ ହୁଏ l  ଏମାନଙ୍କୁ ଚିକିତ୍ସା ନିମିତ୍ତ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର କହିଥିଲେ ଯେ ଏମାନେ (ସିକେଲ ସେଲ ) ରୋଗରେ ଆକ୍ରାନ୍ତ l

ବହୁତ ଅଳ୍ପ ଲୋକମାନଙ୍କ ମଧ୍ୟରେ ଏହି (ସିକେଲସେଲ ) ରୋଗ ଦେଖାଯାଏ l ଏହି ରୋଗ କେବଳ ବଂଶଗତରୁ ବ୍ୟାପିଥାଏ l ଓଡିଶା ରାଜ୍ୟରେ ଏହି ରୋଗକୁ ଚିକିତ୍ସା କରାଇବାରେ ଘରୋଇ ଚିକିତ୍ସାଳୟ ହେଉ ବା ସରକାରୀ ସ୍ତରରେ କୌଣସି ସୁବିଧା କରାଯାଇନାହିଁ   l ଯେତେବେଳେ ଏହି ଦୁଇ ଭାଇଙ୍କ ଦେହରେ ଏହି ରୋଗ ବାହାରେ ସେମାନେ କଟକ ବଡ଼ ଡାକ୍ତର ଖାନାରେ ଭଲ ହେବା ପାଇଁ  ଭର୍ତ୍ତି ହୋଇଥାନ୍ତି । ମାସେ ଦୁଇ ମାସ ପରେ ସାମାନ୍ୟ ସ୍ୱାସ୍ଥ୍ୟର ପରିବର୍ତ୍ତନ ହେବା ପରେ ଘରକୁ ନେଇ ଆସନ୍ତି l ଦୀର୍ଘ ସାତ ବର୍ଷ ଧରି ଦୁଇ ପୁଅକୁ ସୁସ୍ଥ କରିବାକୁ ଯାଇ ବାପା ଯାହା ରୋଜଗାର କରେ ସେଥିରୁ ଅଧାରୁ ଅଧିକ କେବଳ ପୁଅମାନଙ୍କ ସ୍ୱାସ୍ଥ୍ୟ ଚିନ୍ତାରେ ହିଁ ରଖିଥାଏ l ବିଗତ ପ୍ରାୟ ସାତ ବର୍ଷ ଧରି ଦୁଇ ପୁଅକୁ ଚିକିତ୍ସା କରିବାକୁ ଯାଇ ସର୍ବସ୍ୱ ବିକ୍ରି କରିସାରିବାପରେ ମଧ୍ୟ ଦୁଇ ପୁଅଙ୍କୁ ଭଲ ନ କରିପାରିବାରୁ ମାନସିକ ସ୍ତରରେ ଏବେ ଭାଙ୍ଗି ପଡିଛନ୍ତି l ରୋଜଗାରର ସର୍ବସ୍ୱ ହାରିବା ପରେ ଏବେ ନିଜ ଭାଗ୍ୟକୁ ଆଦରି ସହ ପରିବାର ସହିତ ଧର୍ମଶାଳାର ନବାଗତ ଯୁବ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିକଟରେ ଗୁହାରି କରିଥିବା ଦେଖିବାକୁ ମିଳିଛି l ତେବେ ଏହି ନିଷ୍ପାପ ଦୁଇ ଶିଶୁପୁତ୍ରଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟାକୁ ଦୂର କରିବାକୁ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି l