ଗୋପାଳପୁର ୨୭/୫: ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର (ଗୋପାଳପୁର) ଏବଂ ଚେନ୍ନାଇ ଜେଡଏସଆଇ ଦ୍ୱାରା ଦୁଇଟି ନୂଆ ମାଛ ପ୍ରଜାତିକୁ ପ୍ରଥମ ଥର ପାଇଁ ଭାରତୀୟ ଉପ ସାଗରୀୟ ସୀମାର ଗଭୀର ଜଳରାଶିରେ ଚିହ୍ନଟ କରାଯାଇଛି। ଉକ୍ତ ଦୁଇ ପ୍ରଜାତିର ମାଛକୁ କଲୋକାଙ୍ଗର ସ୍କୋଲୋସି ଏବଂ ଓପିକଥସ ଇରାବୋ ମାଛ ପ୍ରଜାତି ଭାବେ ନାମିତ କରାଯାଇଛି l
କେରଳର କୋଲ୍ଲମ୍ ସମୁଦ୍ର ତଟ ଅଞ୍ଚଳର ୫ ଶହ ରୁ ୬ ଶହ ମିଟର ଗଭୀର ଜଳରାଶିରେ ସୁନୀଲ କୁମାର ରାଜ ନାମକ ଜଣେ ବ୍ୟକ୍ତି ଟ୍ରଲରରେ ମାଛ ଧରୁଥିବା ବେଳେ ଏହି ଦୁଇଟି ନୂତନ ପ୍ରଜାତିର ମାଛ ତାଙ୍କ ଜାଲରେ ଲାଗିଥିଲେ। ପରେ ଜେଡଏସଆଇ ଉକ୍ତ ବ୍ୟକ୍ତିଙ୍କଠାରୁ ନୂତନ ପ୍ରଜାତିର ମାଛ ସଂଗ୍ରହ କରି ଅକ୍ଟୋବର ୨୦୨୩ରେ ଗୋପାଳପୁରକୁ ଆଣିଥିଲେ l ଏଠାରେ ବୈଜ୍ଞାନିକ ଡ଼ ଅନିଲ ମିହାପାତ୍ର, ଡ଼ କେ. କେ. ବିନିଶ ଏବଂ ଗବେଷକ ଡ଼ ସ୍ୱରୂପ ରଞ୍ଜନ ମହାନ୍ତି, ରାଜେଶ କୁମାର ବେହେରା, ଶ୍ଵେତା ବେଉରା, ମୌମିତା ଦାସ, ପ୍ରବୀନ ରୋଜାରିଓ ଏବଂ ସ୍ମୃତିରେଖା ଆଚାର୍ଯ୍ୟ ମିଳିତ ଭାବେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ l
ଗୋପାଳପୁର ଜେଡଏସଆଇର ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର କହିଛନ୍ତି ଏହି ପ୍ରଜାତି କଲୋକଙ୍ଗର ବଂଶର ଅନ୍ୟ ଏକ ପ୍ରଜାତି ଯାହାକି ଆଗରୁ କେବେ ଭାରତୀୟ ଜଳରାଶୁରେ ଠାବ ହୋଇ ନ ଥିଲା l ଏହି ବଂଶରୁ କେଵଳ କଲୋକାଙ୍ଗର ରାନୀସେପ୍ସ ମିଳିଥିଲା। ଏହି ନୂତନ ରିପୋର୍ଟ ଭାରତର କୋଚିଆ ମାଛ ମାନଙ୍କ ବିବିଧତା ବୃଦ୍ଧିରେ ଅନ୍ୟତମ ରହିଛି l ଜୀବନ୍ତ ଅବସ୍ଥାରେ ଏହି ମାଛଟିର ଦେହ ଗାଢ଼ କଳା ରଙ୍ଗର ଥାଏ। ସଂରକ୍ଷିତ ଅବସ୍ଥାରେ ମଧ୍ୟ ଏହି ରଙ୍ଗ ଅନୁପାତି ରହିଥାଏ, ଡେଣା ଗୁଡ଼ିକୁ ମଧ୍ୟ କଳା ରଙ୍ଗରେ ଦେଖାଯାଏ। ଜିଭ, ପାଲେଟିନ୍, ଗାସ୍ତ୍ରିକ ଅଞ୍ଚଳ ଓ ଜଥର ସମେତ ଅନ୍ତଃପାଟି କଳା ଅଟେ। ମୁଣ୍ଡ ଅଞ୍ଚଳର ଅନୁଭୂତି ସନ୍ଧାନ ରୂପୀ ରେସମ ତୁଳ୍ୟ ରୂପାନ୍ତର ଓ ଲାଟେରାଲ୍ ଲାଇନ୍ ମଧ୍ୟ କଳା ରଙ୍ଗ।
ସେହିପରି ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର ଅନ୍ୟ ଏକ ମାଛ ଓପଥସ ଇରାବୋର ବର୍ଣ୍ଣନାରେ କହିଛନ୍ତି ଯେ ଏହାକୁ ସାଧାରଣ ଭାବେ "ବ୍ବ୍ଲୋଚେଡ ସ୍ନେକ-ଇଲ" ବୋଲି କୁହାଯାଏ । ଏହି ଆବିଷ୍କାର ପୂର୍ବରୁ ଏହି ପ୍ରଜାତି ମାଛ ଭାରତୀୟ ତଟରେ ଦେଖଯାଉଥିବା ନେଇ କେବେ ରିପୋର୍ଟ ହୋଇନଥିଲା। ଏହି ପ୍ରଜାତିର ମାଛ ପ୍ରଥମ ଥର ପାଇଁ ଭାରତୀୟ ରେକର୍ଡ ଭାବେ ଗ୍ରହଣ କରାଯାଇଛି। ଏହି ପ୍ରଜାତିଟି ଓପିକଥସ ପୋଲ୍ୱୟୋପଥାଲାମୂସ ନାମକ ଅନ୍ୟ ଏକ ସମାନ ବଂଶୀୟ ପ୍ରଜାତି ସହିତ ତୁଳନିୟ। ଶରୀରରେ ଥିବା ଗାଢ଼ ଧୁସର କଳା ଅର୍ଦ୍ଧ ଚନ୍ଦ୍ରାକାର ଦାଗ ଦ୍ୱାରା ଏହିଟି ଅଲଗା ପ୍ରଜାତି ଭାବେ ଚିହ୍ନିତ ହୋଇଥାଏ। ଏହି ଦାଗ ମୁଣ୍ଡ ଅଞ୍ଚଳରେ ଛୋଟ ଛୋଟ ଓ ଅଧିକ ସଂଖ୍ୟାରେ ଥାଏ l ଯାହା ଶରୀର ଓ ପଛ ଅଞ୍ଚଳରେ ବଡ଼ ରୂପରେ ଦେଖାଯାଏ। ଶରୀରର ରଙ୍ଗ ହଳଦିଆ-ଗାଢ଼ ଧୁସର ହୋଇଥାଏ l ତଳ ଅଞ୍ଚଳ ସାଧାରଣତଃ ଧଳା ରଙ୍ଗ ରହେ। ଡୋର୍ସାଲ୍ ଫିନରେ ମଧ୍ୟ ଶରୀର ଦାଗ ଅନୁସାରେ ଅବଲମ୍ବିତ ଛାପ ଥାଏ l ଏବଂ ଅନାଲ୍ ଫିନ ପୂର୍ଣ୍ଣ ଭାବେ ଧଳା ଥାଏ। ପେକ୍ଟୋରାଲ୍ ଫିନ ଉପରେ ଛୋଟ ଛୋଟ ଦାଗ ଥାଏ।
ଏହି ପ୍ରଜାତି ପୂର୍ବରୁ ଦକ୍ଷିଣ ଆଫ୍ରିକା, ଜାପାନ, ଓଗାସାୱାରା ଦ୍ୱୀପ, ରାୟୁକ୍ୟୁ ତାଇୱାନରୁ ମିଳିଥିଲା। ଏହି ଦୁଇଟି ମାଛର ସବିଶେଷ ବିବରଣୀ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପତ୍ରିକା ଜୋନାଲ ଅଫ ମେରାଇନ ବାଇଓଲୋଜି ଆସିଓସେସନ (ୟୁକେ) ଏବଂ ନ୍ୟାସନାଲ ଏକାଡେମୀ ଅଫ ସାଇନ୍ସ ଲେଟରରେ ଆଜି ପ୍ରକାଶିତ ହୋଇଛି। ଏହି ମାଛର ଅଧିକ ତଥ୍ୟ ଜାଣିବା ପାଇଁ ଗବେଷଣା ଜାରି ରହିଛି ବୋଲି ଗୋପାଳପୁର ଜେଡଏସଆଇ କେନ୍ଦ୍ରର ବୈଜ୍ଞାନିକ ଡ଼.ମହାପାତ୍ର କହିଛନ୍ତି l