ପୁରୀ,୦୫/୦୮: ରାତିରେ ହୋଟେଲରେ ପଶି ମ୍ୟାନେଜର ଓ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ ଦୁଇ ଯୁବକ । ଏନେଇ ହୋଟେଲ ଲିଓ କାଷ୍ଟେଲ ମ୍ୟାନେଜର ତ୍ରିଲୋଚନ ବାରିକ ଓ ଅନ୍ୟ କର୍ମଚାରୀ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା କରି ତଦନ୍ତ ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ ମାନସ କୁମାର ଚକ୍ର ।
ତ୍ରିଲୋଚନଙ୍କ କହିବାନୁଯାୟୀ, ରବିବାର ବିଳମ୍ବିତ ରାତ୍ରରେ ହୋଟେଲ ମାଲିକ ବିଶ୍ୱାନନ୍ଦ ଭ୍ରମରବର ରାୟ ଓ ତାଙ୍କ ସାଥୀମାନେ ଏକ କାର ଯୋଗେ ରାତି ସାଢ଼େ ଗୋଟାଏ ବେଳେ ଭୁବନେଶ୍ୱରରୁ ପୁରୀ ଫେରୁଥିଲେ । ଭିଆଇପି ରୋଡସ୍ଥିତ ହୋଟେଲ ଅନନ୍ୟା ସମ୍ମୁଖରେ ୨ବାଇକ୍ରେ ୪ଜଣ ଯୁବକ ସେମାନଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ । ମାଲିକ ସିଟିରୋଡ ସୁନାର ଗୌରାଙ୍ଗ ନିକଟ ନିଜ ହୋଟେଲକୁ ପଳାଇଥିଲେ । ସେଠାରେ ମଧ୍ୟ ୨ଜଣ ଯୁବକ ପହଞ୍ଚି ପାଟିତୁଣ୍ଡ କରିଥିଲେ । ପିସିଆର୍ ପୁଲିସ ପହଞ୍ଚିଯିବାରୁ ସେମାନେ ଭୁଲ ମାଗି ଘଟଣାସ୍ଥଳରୁ ପଳାଇଥିଲେ । ପୁଣି ଭୋର୍ ୩ଟା ସମୟରେ ଦୁଇ ଜଣ ଯୁବକ ଆସି ହୋଟେଲରେ ପଶି ମୋତେ ଓ ମୋ’ କର୍ମଚାରୀମାନଙ୍କୁ ନିସ୍ତକୁ ମାଡ଼ ମାରିଥିଲେ । ଏସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆସି ସେମାନଙ୍କୁ କାବୁ କରି ଥାନାକୁ ନେଇଥିଲା । ମାତ୍ର ପୁଲିସ ନୋଟିସ ଦେଇ ଛାଡ଼ି ଦେଇଥିବା ଜଣାପଡ଼ିଛି ।
ବରିଷ୍ଠ ସେବାୟତଙ୍କ ପୁଅ ସମ୍ପୃକ୍ତ
ହୋଟେଲରେ ପଶି ମାଡ଼ ମାରିବା ଘଟଣାରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତଙ୍କ ପୁଅଙ୍କ ସମ୍ପୃକ୍ତିଥିବା ମ୍ୟାନେଜର ତ୍ରିଲୋଚନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ସିସିଟିଭିରେ ଆକ୍ରମଣ ବେଳର ଫଟୋ କଏଦ୍ ହୋଇଛି । ସେ ମାଡ଼ ମାରୁଥିବା ଦୃଶ୍ୟ ସ୍ପଷ୍ଟ ରହିଛି । ମାତ୍ର ଥାନାରେ ଏତଲା ଦେବା ସମୟରେ ତାଙ୍କ ନାମ ଜଣାନଥିବାରୁ ଏତଲାରେ ଉଲ୍ଲେଖ କରିପାରିନାହିଁ । ସେ ଦୋଳମଣ୍ଡପ ସାହିର ଜଗଦୀଶ ଦାସମହାପାତ୍ର ବୋଲି ଜାଣିବା ପରେ ପୁଲିସକୁ ଜଣାଇଛୁ।