ନୀଳଗିରି, ୨/୬ : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ସଜନାଗଡ଼ରେ ଦୁଇ ଯୁବ ରାଜନେତାଙ୍କୁ ନେଇ ରାଜନୀତି ସରଗରମ। ବିଜେପିରେ ସାମିଲ ହୋଇପାରନ୍ତି ବିଜେଡି କର୍ମୀ ସଞ୍ଜୀବ ନାୟକ ଓ ଦୀପ୍ତିକାନ୍ତ ଦାସ। ତାଙ୍କ ସହ ହଜାରେରୁ ଉର୍ଦ୍ଧ୍ଵ ସମର୍ଥକ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି।
ସୂଚନାଯୋଗ୍ୟ, ସଜନାଗଡ଼ ସ୍ଥିତ ଭୂଦାରଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସିଂ ତାଙ୍କ ପାଣ୍ଠିରୁ ଏକ ଥଣ୍ଡା ପାନୀୟ ଜଳ ମେସିନ ପ୍ରଦାନ କରିଥିଲେ। ଆଜି ଏହାର ଉଦଘାଟନ ଉତ୍ସବ ଥିବାବେଳେ ମୁଖ୍ୟ ଅତିଥିଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଉତ୍ସବରେ ଜିଲ୍ଲାପରିଷଦ ସଭ୍ୟା ରଞ୍ଜିତା ସିଂଙ୍କ ସମେତ ସ୍ଥାନୀୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ। ତେବେ ଏହି ଉତ୍ସବରେ ବିଜେଡି କର୍ମୀ ସଞ୍ଜୀବ ନାୟକ ଓ ଦୀପ୍ତିକାନ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ। ମନ୍ଦିରର ଉନ୍ନତିକରଣ କଥା ଶୁଣି ସେ ସେଠାରେ ପହଞ୍ଚିଥିଲେ। ବିଧାୟକ ମଧ୍ୟ ତାଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଜେଡି କର୍ମୀ ସଞ୍ଜୀବ ନାୟକ ଓ ଦୀପ୍ତିକାନ୍ତ ଦାସ ସାମିଲ ହେବାପରେ ଉଭୟ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ସଜନାଗଡ଼ରେ ହଜାରେରୁ ଉର୍ଦ୍ଧ୍ଵ ସମର୍ଥକ ଆନୁଷ୍ଠାନିକ ଭାବେ ଶଙ୍ଖ ଛାଡ଼ି ପଦ୍ମ ଧରିବେ ବୋଲି ଆଲୋଚନା ହେଉଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ କିଛି ସରପଞ୍ଚ ମଧ୍ୟ ବିଜେଡି ଛାଡି ବିଜେପିରେ ମିଶିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।