ନୂଆଦିଲ୍ଲୀ, ୬।୧୧: ଫିଲିପାଇନ୍ସରେ ତାଣ୍ଡବ ରଚିଛି ଚଳିତ ବର୍ଷ ଦେଶର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଟାଇଫୁନ୍ କାଲମେଗୀ । ଝଡ଼ ବର୍ଷାରେ ଅନେକ ଧନ ଜୀବନ ନଷ୍ଟ ହୋଇଛି । ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ପବନ ବହି ଏକାଧିକ ଘର ଭାଙ୍ଗି ଯାଇଛି । ଏହି ଝଡ଼ ପ୍ରଭାବରେ ଏପର୍ଯ୍ୟନ୍ତ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗୁରୁବାର ପାଣିପାଗ ବିଭାଗ କହିଛି ଯେ, ଭିଏତନାମର ଜିଆ ଲାଇ ପ୍ରଦେଶରେ ପ୍ରବଳ ବର୍ଷା ଏବଂ ପବନ ନେଇ କର୍ତ୍ତୃପକ୍ଷ ସତର୍କ କରାଇଛନ୍ତି । ଯାହା ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି କରିପାରେ ଏବଂ ଚାଷ କାମରେ ବାଧା ଉପୁଜିପାରେ । ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର ଗୁରୁବାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଅନ୍ୟପଟେ ବର୍ଷା ଯୋଗୁଁ ବନ୍ୟା ଆସିବାରୁ ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୩ ଲକ୍ଷ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଫିଲିପାଇନ୍ସର ସବୁଠାରୁ କ୍ଷତିଗ୍ରସ୍ତ ପ୍ରଦେଶ ସେବୁରେ ବନ୍ୟା ଜଳ କମିଥିବା ବେଳେ, ଅନେକ ଘର ଭାଙ୍ଗିଯାଇଛି ।
ମଙ୍ଗଳବାର କାଲମେଗୀ ସ୍ଥଳଭାଗ ଛୁଇଁବା ପୂର୍ବରୁ ଫିଲିପାଇନ୍ସର ୨ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ‘ଟିନୋ’ ଭାବରେ ପରଚିତ ଟାଇଫୁନ୍ କାଲମେଗୀ ଫିଲିପାଇନ୍ସର ପର୍ଯ୍ୟବେକ୍ଷଣ କ୍ଷେତ୍ରରୁ ବାହାରକୁ ଚାଲିଯାଇଛି । ପାଣିପାଗ ପୂର୍ବାନୁମାନକାରୀମାନେ ମିଣ୍ଡାନାଓର ପୂର୍ବରେ ଏକ ବିକଶିତ ଝଡ଼ ଉପରେ ନଜର ରଖିଛନ୍ତି, ଯାହା ଏକ ଟାଇଫୁନରେ ପରିଣତ ହୋଇପାରେ । ଯାହା ଆଗାମୀ ସପ୍ତାହର ପ୍ରାରମ୍ଭରେ ସମ୍ଭାବ୍ୟ ପ୍ରଭାବ ବିଷୟରେ ଚିନ୍ତା ସୃଷ୍ଟି କରୁଛି ।
୮ଟି ବିମାନବନ୍ଦର ପ୍ରଭାବିତ:
ଭିଏତନାମରେ ସ୍ଥଳଭାଗ ଛୁଇଁବା ପୂର୍ବରୁ, କାଲମେଗୀ ଦକ୍ଷିଣ ଚୀନ ସାଗର ଦେଇ ଗତି କରିବା ସମୟରେ ପୁନର୍ବାର ଏହାର ଶକ୍ତି ବୃଦ୍ଧି ପାଉଥିଲା । ଏହା ପ୍ରମୁଖ କଫି ଉତ୍ପାଦନକାରୀ ଅଞ୍ଚଳ ସମେତ ଅନେକ କେନ୍ଦ୍ରୀୟ ପ୍ରଦେଶକୁ ପ୍ରଭାବିତ କରିବାର ଆଶଙ୍କା କରାଯାଉଛି, ଯେଉଁଠାରେ ବର୍ତ୍ତମାନ ଅମଳ ଋତୁ ଚାଲିଛି । ସ୍ଥାନାନ୍ତର, ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ ପ୍ରୟାସରେ ସହାୟତା ପାଇଁ କର୍ତ୍ତୃପକ୍ଷ ହଜାର ହଜାର ସୈନ୍ୟଙ୍କୁ ନିୟୋଜିତ କରୁଛନ୍ତି । ଭିଏତନାମ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ, ଡା ନାଙ୍ଗ ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ୮ଟି ବିମାନବନ୍ଦରରେ କାର୍ଯ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।