କଟକ,୨୩/୦୬: ଏସସିବି ମେଡିକାଲକୁ ରବିବାର ଚିକିତ୍ସା ପାଇଁ ଆସିଥିବା ଜଣେ ବିଚାରାଧୀନ କଏଦୀ ଆଇସିୟୁ ନପାଇବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ନରେଶ (୪୫ ବର୍ଷ)। ତାଙ୍କ ଘର ହରିୟାଣା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ନରେଶ ଏକ ଚୋରି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ବନ୍ଦୀ ଭାବେ ଥିଲେ। ଅସୁସ୍ଥ ହେବାରୁ ଜେଲ୍ ପକ୍ଷରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ନରେଶଙ୍କୁ ଡାକ୍ତର ଭୁବନେଶ୍ୱର ଏମ୍ସ ପଠାଇଥିଲେ। ସେ ରବିବାର ଏମ୍ସରୁ ସ୍ଥାନାନ୍ତର ହୋଇ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସତ୍ତ୍ୱେ ତାଙ୍କୁ ଆଇସିୟୁ ମିଳିପାରି ନଥିଲା। ଉପଯୁକ୍ତ ଚିକିତ୍ସା ନପାଇ ଶେଷରେ ନରେଶ ନ୍ୟୁ ମେଡିସିନ ୱାର୍ଡ ଚଟଣାରେ ପଡ଼ି ପଡ଼ି ସୋମବାର ସକାଳେ ଆଖି ବୁଜିଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।