ନୂଆଦିଲ୍ଲୀ, ୨୮/୦୨: ବୁଧବାର ଅର୍ଥାତ୍ ଆଜି ଠାରୁ ସଂସଦରେ ବଜେଟ ଅଧିବେଶନ । ଉଭୟ ଗୃହକୁ ସମ୍ବୋଧିନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ଆସନ୍ତାକାଲି ସଂସଦରେ ଉପସ୍ଥାପନା ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ଫେବ୍ରୁଆରୀ ୧ ତାରିଖ (ରବିବାର)ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ । ଏହା ସୀତାରମଣଙ୍କ ଲଗାତର ୯ମ ବଜେଟ୍ ହେବ । ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୨ ପର୍ଯ୍ୟନ୍ତ ଚାଲିବ । ଲୋକସଭାରେ ୯ ବିଧେୟକ ଯଥା ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍‌-୨୦୨୫, ପ୍ରତିଭୂତି ଏବଂ ବଜାର ସଂହିତା ୨୦୨୫, ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍‌ ଆଦି ପଡ଼ିରହିଛି । ଏହି ବିଧେୟକଗୁଡ଼ିକ ଉପରେ ସଂସଦୀୟ କମିଟି ଯାଞ୍ଚ କରୁଛି । ବଜେଟ ଅଧିବେଶନରେ ଏହି ବିଲ୍‌ଗୁଡ଼ିକ ଉପରେ ଚର୍ଚ୍ଚା ହୋଇପାରେ ।

ସେପଟେ ବଜେଟ୍ ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକ ଡାକି କେନ୍ଦ୍ର ସରକାର ବିରୋଧୀଙ୍କ ସହଯୋଗ ଲୋଡ଼ିଥିଲେ । ଅଧିବେଶନରେ ୟୁପିଏ ସରକାର ଅମଳର ମନ୍‌ରେଗା ଆଇନକୁ ଫେରାଇ ଆଣିବା, ଭୋଟର ତାଲିକାରେ ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍‌ଆଇଆର୍‌), ଭାରତର ବିଦେଶ ନୀତି, ୟୁଜିସି ଗାଇଡ୍‌ଲାଇନ ବିବାଦ ଆଦି ଉପରେ ବିସ୍ତୃତ ଭାବେ ଚର୍ଚ୍ଚା କରିବା ପାଇଁ ବିରୋଧୀ ଦଳଗୁଡ଼ିକ ବୈଠକରେ ଦାବି ଉପସ୍ଥାପନ କରିଥିଲେ ।  

ତେବେ ଭିବି-ଜି ରାମ ଜି ଆଇନକୁ ବଦଳାଇ ପୁଣି ମନରେଗା କରାଯାଇପାରିବ ନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସ୍ପଷ୍ଟ କରିଥିଲେ । ଥରେ ଦେଶରେ ଆଇନ ଲାଗୁ ହୋଇଗଲା ପରେ ତାହାକୁ ପାଳନ କରିବାକୁ ହୋଇଥାଏ । ଏହାକୁ ରିଭର୍ସ ଗିଅର ଲଗାଇ ଆଉ ପଛକୁ ଅଣାଯାଇପାରି ନାହିଁ ବୋଲି ରିଜିଜୁ କହିଥିଲେ । ଅନ୍ୟପକ୍ଷରେ ବିରୋଧୀ ଦଳଗୁଡିକ ୟୁରୋପୀୟ-ସଂଘ ଏବଂ ଭାରତ ମଧ୍ୟରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ), ଓଡ଼ିଶାରେ ସଙ୍କଟରେ ଫସିଥିବା ଚାଷୀ ଏବଂ ବିଜେପି ଶାସିତ ରାଜ୍ୟରେ ବିଗୁଡ଼ୁଥିବା ଆଇନ ଶୃଙ୍ଖଳା ସ୍ଥିତି, ୧୬ ବର୍ଷରୁ କମ୍‌ ବୟସ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ବ୍ୟାନ୍‌ ଲଗାଇବା ପାଇଁ ବିଲ୍‌ ଅଣାଯିବା ଆଦି ଉପରେ ମଧ୍ୟ ଚର୍ଚ୍ଚା ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ:୨୦୨୬-୨୭ ବଜେଟରେ ଦେଶର ଆର୍ଥିକ ଅଭିବୃଦ୍ଧି ମୋଦି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ, ଜାଣନ୍ତୁ କ’ଣ କହିଲେ ଅର୍ଥନୀତିଜ୍ଞ ?