ଭୁବନେଶ୍ୱର, ୨୧/୧୧: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ବିହାରରେ ଏନଡିଏକୁ ବିପୁଳ ସମର୍ଥନ ମିଳିବା ପରେ ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଏହାକୁ ନେଇ ବିଜେପିର ନେତା ଓ କର୍ମୀମାନେ ବେଶ ଉତ୍ସାହିତ ହୋଇ ତାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ଭିଡ଼ କରିଥିଲେ । ବିହାର ବିଜୟର ବିନ୍ଧାଣୀ କଟକ, ପୁରୀ ଓ ଭଦ୍ରକରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି । ସେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇଥିଲା ବେଳେ ବାଟରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।
ଏହି ଅବସରରେ ବିମାନବନ୍ଦରରେ ଗଣମାଧ୍ୟମକୁ ଧର୍ମେନ୍ଦ୍ର କହିଛନ୍ତି, ବିହାରରେ ୨୦ ବର୍ଷ ପରେ ମଧ୍ୟ ଜନସାଧାରଣ ଏନଡିଏକୁ ବାଛିଛନ୍ତି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱକୁ ବଡ଼ ସ୍ୱୀକୃତି । ମୋଦିଙ୍କ ଦିଗଦର୍ଶନରେ ଏନଡିଏ ବିହାରରେ ନିର୍ବାଚନ ଲଢ଼ୁଥିଲା । ଏ ଅଦ୍ଭୂତପୂର୍ବ ବିଜୟ ପାଇଁ ସେ ବିହାରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ନୂଆପଡ଼ାରେ ବିଜେପିର ବିଜୟ ପାଇଁ ସେ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବିଜେପିର କର୍ମକର୍ତ୍ତାଙ୍କୁ ଶୁଭେଛା ଜଣାଇଥିଲେ । ସେ କହିଛନ୍ତି, ଏନଡିଏ କଲ୍ୟାଣକାରୀ ଶାସନ ଦେଉଛି । କଂଗ୍ରେସ ବିଭାଜନ ରାଜନୀତି ଚଳାଇଛି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନା ସଫଳ ହେବାକୁ ଯାଉଛି । ଲୋକଙ୍କ ସମର୍ଥନ ବିଜେପିକୁ ମିଳିବା ହିଁ ଆମ ପାଇଁ ବଡ଼ ଆଶୀର୍ବାଦ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।