ପୁରୀ, ୨୭/୦୩: ମାସ ମାସ କାଳ ପ୍ରତୀକ୍ଷାର ଅନ୍ତ ଘଟିଲା । ଆୟୋଜକ ଓ କଳାକାରଙ୍କ ପ୍ରସ୍ତୁତି ସରିଲା । କେବଳ ରେଖାସୁନ୍ଦରୀ(ଠାକୁରଙ୍କ ପାଟ କନା)ଙ୍କୁ ଅପେକ୍ଷା । ରେଖାସୁନ୍ଦରୀ ପ୍ରାପ୍ତି ପରେ ବାହାରିବ ଯାତ । ଶ୍ରୀରାମ ଲୀଳା ନୀତି ପାଇଁ ଶ୍ରୀଜଗନ୍ନାଥ ଆଜ୍ଞାପତ୍ର ହେଉଛି ରେଖାସୁନ୍ଦରୀ । କାଳିକାଦେବୀ ସାହି ଆଖଡ଼ା କର୍ମକର୍ତ୍ତାଙ୍କୁ ଠାକୁରଙ୍କ ଆଜ୍ଞା ମିଳିବ । ମହାପ୍ରଭୁଙ୍କ ଶ୍ରୀରାମ ଲୀଳା ସାଙ୍ଗକୁ ପାରମ୍ପରିକ କଳା ପ୍ରଦର୍ଶନରେ ଦୁଲୁକିବ ପୁରୀ ଦାଣ୍ଡ । ବୀରବାଦ୍ୟ ସାଙ୍ଗକୁ ହରିବୋଲ ଧ୍ୱନିରେ କମ୍ପିବ ଆଠ ସାହି । ମଲ୍ଲୀ ଓ ଅତର ବାସ୍ନାରେ ମହକିବ ଶ୍ରୀକ୍ଷେତ୍ର । ଏହି କ୍ଷଣକୁ ଚାହିଁ ବସିଛନ୍ତି ଉତ୍କଣ୍ଠିତ ଦର୍ଶକ । ଶୁକ୍ରବାର ସର୍ବବୃହତ ମୁକ୍ତାକାଶ ମହୋତ୍ସବ ସାହିଯାତ୍ରାର ଆଦ୍ୟ ପର୍ବ । କାଳିକାଦେବୀ ସାହିଆଙ୍କ ପକ୍ଷରୁ ସମ୍ପନ୍ନ ହେବ ଶ୍ରୀରାମ ଜନ୍ମ ଲୀଳା ।
ସାହିଯାତ ଅବସରରେ ପ୍ରାଚୀନ ସଂସ୍କୃତିକୁ ମନେ ପକାଇ ଅତିଥି ଅଭ୍ୟାଗତର ମଜ୍ଜିବେ ପୁରୀବାସୀ । ପ୍ରଥମ ଦିନରେ ମାଟିମଣ୍ଡପ ସାହି ଓ କାଳିକାଦେବୀ ସାହି ଉତ୍ସବମୁଖର ହୋଇଉଠିବ । ଦକ୍ଷିଣକାଳୀ ଇଷ୍ଟେଟ ତଥା କାଳିକାଦେବୀ ସାହି ଆଖଡ଼ା ସମ୍ପାଦକ ପ୍ରଫୁଲ କୁମାର ଖୁଣ୍ଟିଆ କୁହନ୍ତି ଠାକୁରଙ୍କ ନୀତି ପାଇଁ ଶ୍ରୀରାମ, ଶ୍ରୀଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଋଷ୍ୟଶୃଙ୍ଗ ଋଷିଙ୍କ ଚରିତ୍ର ସହ ଭୁଆଷିକ ବାହାରୁଛନ୍ତି । ଗଣ୍ଡମାଳ ଜାଗାରୁ ଏମାନେ ବାହାରି କାଳିକାଦେବୀ ସାହି ହୋଇ ଦକ୍ଷିଣକାଳୀ ମନ୍ଦିର ଦେଇ ସିଂହଦ୍ୱାର ପଟେ ଶ୍ରୀମନ୍ଦିରକୁ ଯିବେ । ସେହି ସମୟରେ ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପ ସରିଥିବ । ମହାପ୍ରଭୁଙ୍କ ନୀତି ସରିଲେ ସେମାନେ ରାଜାନଅରକୁ ଯିବେ । ପୁନଃ ନିଜ ସାହିକୁ ଫେରି ପଟୁଆର ବାହାରିବ । ୮ ସାହି ମୁରବି ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ସାହିରେ ସ୍ୱାଗତ କରାଯିବ । ଆଗରେ ନିଶାଣ ରହି ଅତିଥିଙ୍କ ଗହଣରେ ପଟୁଆର ବାହାରି ମାଟିମଣ୍ଡପ ସାହିରେ ପହଞ୍ଚିବ । ବିଭିନ୍ନ ଅନୁଷ୍ଠାନରୁ ୧୫ଟି ପ୍ରାୟ ନାଗା, ମେଢ଼ ଓ ନଅସିରା ଆଦି ଚରିତ୍ର ସାହିଯାତରେ ବାହାରୁଥିବା ସମ୍ପାଦକ ଶ୍ରୀ ଖୁଣ୍ଟିଆ କହିଛନ୍ତି ।
ଅଧିକ ପଢ଼ନ୍ତୁ :- ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ନବମୀ ନୀତି, ଅପରାହ୍ନ ୫ରୁ ରାତି ୧୦ଟା ଯାଏ ଦର୍ଶନ ମନା