ୱାଶିଂଟନ୍‌, ୧୦/୦୩: ଆମେରିକା ମିସୌରି ରାଜ୍ୟର ଜଣେ ବିଚାରପତି  କୋଭିଡ୍‌-୧୯ ମହାମାରୀ ତଥ୍ୟକୁ ଚୀନ୍‌  ଆରମ୍ଭରୁ ଦୁନିଆ ପାଇଁ ଲୁଚାଇଥିଲା ବୋଲି  କହିଛନ୍ତି । ସାରା ବିଶ୍ୱକୁ ଭ୍ରମିତ କରିବା ପାଇଁ ଜଜ୍‌ ଷ୍ଟିଫେନ୍‌ ଏନ୍‌ ଲିବାଗ୍‌ ଚୀନ୍‌କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିଲାଗି ଚୀନ୍‌  ଉପରେ ସେ ୨୪ ବିଲିୟନ ଡଲାର(ପ୍ରାୟ  ୨ ଲକ୍ଷ ୯ ହଜାର ୧୬୦ କୋଟି ଟଙ୍କା)  ଟଙ୍କା ଜରିମାନା ଲଗାଇଛନ୍ତି ।  

୨୦୨୦ରେ ମିସୋରି ଆଟର୍ଣ୍ଣି  ଜେନେରାଲଙ୍କ ପକ୍ଷରୁ ଚୀନ୍‌ ସରକାରଙ୍କ ବିରୋଧରେ ପିଟିସନ ଫାଇଲ  ହୋଇଥିଲା । ଚୀନ୍‌ ସରକାର କୋଭିଡ୍‌ ଭୂତାଣୁ ବାବଦରେ ତଥ୍ୟ ଲୁଚାଇବା ଏବଂ ଦୁନିଆରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ କିଟ୍‌ ଯୋଗାଣରେ  ବାଧା ଉପୁଜାଇଥିବା ପିଟିସନରେ ଦର୍ଶାଯାଇଥିଲା । ଏଥିସହ ମହାମାରୀ ଯୋଗୁ ଦୁନିଆ ବିପଦରେ ପଡ଼ିଥିବାବେଳେ  ଚୀନ୍‌ ସଭିଁଙ୍କୁ ଭ୍ରମିତ କରିବାରେ ଲାଗିଥିଲା ବୋଲି ଅଭିଯୋଗ ହୋଇଥିଲା । 

ବିଚାରପତି ଲିମ୍ବାଗ୍‌ କହିଥିଲେ, ଚୀନ୍‌  ଦ୍ୱାରା ପିପିଇ କିଟ୍‌ର ବୈଶ୍ୱିକ ଯୋଗାଣରେ ବାଧା ସୃଷ୍ଟି କରାଯାଇଥିଲା । ବିଶ୍ୱକୁ ଏହି ଏସୀୟ ଦେଶ ଭ୍ରମିତ କରିବା ସହ ପିପିଇ  କିଟ୍‌ ରଖିବା ଲାଗି ଏକଚାଟିଆ କାର୍ଯ୍ୟରେ ଲିପ୍ତ ଥିଲା । ଏଥିଯୋଗୁ ଆମେରିକାରେ ମହାମାରୀ ମୁକାବିଲା କରିବା ଲାଗି ପର୍ଯ୍ୟାପ୍ତ ଉପକରଣ କ୍ରୟ କରିବା ଏକପ୍ରକାର  ଅସମ୍ଭବ ହୋଇପଡ଼ିଥିଲା । ଏଥିପାଇଁ  ଚୀନ୍‌ର ଶାସକ କମ୍ୟୁନିଷ୍ଟ ଦଳ, ସେଠାକାର  ସରକାର,ସ୍ୱାସ୍ଥ୍ୟ ଏଜେନ୍ସି ଏବଂ ସେଠାକାର  ଲାବ୍‌ ଦାୟୀ । ଚୀନ୍‌ ରାଜ୍ୟ ଏବଂ ସଂଘୀୟ  ଏକାଧିକାର ବିରୋଧ ଆଇନ ଉଲ୍ଲଂଘନ  କରିଥିଲା । ଏହା ଦ୍ୱାରା ମିସୌରୀ ଟିକସ  ହରାଇବା ସହ ପିପିଇ କିଟ୍‌ ବାବଦ ଖର୍ଚ୍ଚ  ବୃଦ୍ଧି ଯୋଗୁ ଯଥେଷ୍ଟ କ୍ଷତି ସହିଥିବା  ବିଚାରପତି ଲିମ୍ବାଗ କହିଥିଲେ । 

ମିସୌରୀ ଆଟର୍ଣ୍ଣି ଜେନେରାଲ ଆଣ୍ଡ୍ର‌୍ୟୁ  ବେଲି କହିଛନ୍ତି, ଅଦାଲତ ଐତିହାସିକ  ରାୟ ଦେଇଛନ୍ତି । ଚୀନ୍‌ ଅଦାଲତରେ  ହାଜର ହେବାକୁ ମନା କରିଥିଲା । ହେଲେ  କୋଭିଡ୍‌ ଯୋଗୁ ହୋଇଥିବା ଆର୍ଥିକ କଷ୍ଟ  ଏବଂ ଅସରନ୍ତି ଦୁଃଖର ଉତ୍ତରଦାୟିତ୍ୱରୁ  ଚୀନ୍‌ ବର୍ତ୍ତି ପାରିବ ନାହିଁ । ଏଠାରେ ଥିବା  ଚୀନ୍‌ର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରାଯିବ  ଏବଂ ସବୁ ରାଶି ଅସୁଲ ହେବ । 

ଏ ନେଇ  ୱାଶିଂଟନ୍‌ରେ ଥିବା ଚୀନ୍‌ ଦୁତାବାସର  ଜଣେ ମୁଖପାତ୍ର କହିଛନ୍ତି, ମିସୌରୀ  ଅଦାଲତଙ୍କ ରାୟକୁ ଚୀନ୍‌ କେବେ ବି  ସ୍ୱୀକାର କରିବ ନାହିଁ । ଏଭଳି ମକଦ୍ଦମା  ସମ୍ପୂର୍ଣ୍ଣ ଅବାସ୍ତବିକ । ଏଥିଯୋଗୁ ଚୀନ୍‌ର  ସ୍ୱାର୍ଥ କ୍ଷତିଗ୍ରସ୍ତ ହେଲେ ଅନ୍ତର୍ଜାତୀୟ  ଆଇନ ଅନୁସାରେ ଏହା ବିରୋଧରେ  ଦୃଢ଼ ପଦକ୍ଷେପ ନିଆଯିବ ।