ନୂଆଦିଲ୍ଲୀ ୨୨/୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପୁଅ ଜୁନିୟର ଟ୍ରମ୍ପ୍ ଏବେ ଭାରତରେ ଅଛନ୍ତି । ଗତ ୨୦ ତାରିଖ ସେ ଆଗ୍ରା ବୁଲିଲେ । ତା’ପରେ ଅମ୍ବାନି ପରିବାରର ନିମନ୍ତ୍ରଣରେ ଗୁଜରାଟର ଜାମନଗର ସ୍ଥିତ ବନତାରା ପହଞ୍ଚିଥି । ଜୁନିୟର ଟ୍ରମ୍ପ୍ ଏକ ବିବାହରେ ଯୋଗ ଦେବାକୁ ଭାରତ ଆସିଛନ୍ତି । ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅରବପତି ଉଦ୍ୟୋଗୀ ରାମା ରାଜୁ ମଣ୍ଟେନାଙ୍କ ଝିଅ ନେତ୍ରା ମଣ୍ଟେନାଙ୍କ ବିବାହ ବାମସି ଗଡ଼ିରାଜୁଙ୍କ ସହ ହେବାକୁ ଯାଉଛି । ଉଦୟପୁର ସ୍ଥିତ ଜଗ ମନ୍ଦିରରେ ଏହି ହାଇପ୍ରୋଫାଇଲ ବିବାହ ଉତ୍ସବ ଆରମ୍ଭ ହୋଇଛି ।
ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ, ୩ ଦିନ ବିବାହ ଉତ୍ସବ ଚାଲିବ । ବାମସି ଗଡ଼ିରାଜୁ ଫୁଡ୍ ଟେକ୍ ଓ ରେସ୍ତୋରାଁ ବ୍ୟବସାୟ ସହ ଜଡ଼ିତ । ନେତ୍ରା ମଣ୍ଟେନା ଇଞ୍ଜିନିୟସ୍ ଫାର୍ମାସ୍ୟୁଟିକାଲର ସିଇଓ ଅଛନ୍ତି । ମଣ୍ଟେନା ପରିବାର ଟ୍ରମ୍ପ୍ଙ୍କର ଅତି ଘନିଷ୍ଠ । ଏହି ହାଇପ୍ରୋଫାଇଲ ବିବାହ ପାଇଁ ଉଦୟପୁରର ପିଛୋଲା ହ୍ରଦ, ଜଗ ମନ୍ଦିର, ଲୀଲା ପ୍ୟାଲେସ୍ ଭଳି ଆୟୋଜନ ସ୍ଥଳକୁ ସୁସଜ୍ଜିତ କରାଯାଇଛି । ବିବାହକୁ ନେଇ ଉଦୟପୁରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଲୀଲା ପ୍ୟାଲେସ୍ରେ ଜୁନିୟର ଟ୍ରମ୍ପ୍ ରହିବେ । ସେଠାରେ ଆମେରିକାର ଗୁଇନ୍ଦା ସେବା ଓ ଅନ୍ୟ ଏଜେନ୍ସିଗୁଡ଼ିକର ଟିମ୍ ପୂର୍ବରୁ ସୁରକ୍ଷା ଯାଞ୍ଚ୍ କରିଛନ୍ତି । ଜୁନିୟର ଟ୍ରମ୍ପ୍ଙ୍କ ସମେତ ଏହି ବିବାହରେ ଅନେକ ହାଇ-ପ୍ରୋଫାଇଲ ଅତିଥି ଯୋଗ ଦେବେ । ହଲିଉଡ୍ ଓ ବଲିଉଡ୍ର ଅନେକ ସେଲିବ୍ରିଟି ବି ରହିବେ । ଜଷ୍ଟିନ୍ ବିବର, ଜେନିଫର ଲୋପେଜ, ଟିଏଷ୍ଟୋ, ବ୍ଲାକ୍ କଫି, ସର୍କ ଡୁ ସୋଲେଇଲ ଓ ଡିଜେ ଅମନ ନାଗପାଲ ଭଳି କଳାକାର ବିବାହ ଉତ୍ସବରେ ପ୍ରଦର୍ଶନ କରିବେ । ସେହିପରି ବଲିଉଡ୍ର ଋତ୍ୱିକ ରୋଶନ, ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍, କୃତି ସାନନ୍, ରଣବୀର ସିଂହ, ଶାହିଦ କପୁର ମଧ୍ୟ ସାମିଲ ହୋଇପାରନ୍ତି ।