ଭୁବନେଶ୍ୱର୧୨/୦୮:  ଅଣଛାତ୍ର  ମୁକ୍ତ ହୋଇପାରୁନି ଉତ୍କଳ ବିଶ୍ୱବିଦ୍ୟାଳୟ  କ୍ୟାମ୍ପସ । ସନ୍ଧ୍ୟା ହେବା ମାତ୍ରେ ଜମୁଛି  ନିଶାଡ଼ିଙ୍କ ଆଡ୍ଡା । କେବଳ କ୍ୟାମ୍ପସ  ନୁହେଁ, ହଷ୍ଟେଲକୁ କିଛି ଜଣ କବ୍‌ଜା କରି  ନେଇଛନ୍ତି । ଏପରି ବାରମ୍ବାର ଅଭିଯୋଗ  ହେଉଛି । କର୍ତ୍ତୃପକ୍ଷ ବାରମ୍ବାର ପୁଲିସ  ଲଗାଇ ତଡ଼ୁଛନ୍ତି, ପୁଣି ସମାନ ଅବସ୍ଥା ।  ଅନେକ ପିଲା ନିଜ ନାଁରେ ହଷ୍ଟେଲ  ଆବେଦନ କରୁଛନ୍ତି । ସିଟ୍‌ ଆବଣ୍ଟନ  ପରେ ତାକୁ ବାହାର ଲୋକଙ୍କୁ ବିକ୍ରି  କରୁଛନ୍ତି । ଏପରି ଅଭିଯୋଗ ହୋଇଛି ।  ଏହାକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି।  ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ନେବାକୁ ଅଣ୍ଟା ଭିଡ଼ିଛନ୍ତି ସତ କିନ୍ତୁ  ଏହା କେତେ କାର୍ଯ୍ୟକାରୀ ହେବ ତାହା  ଦେଖିବାକୁ ରହିଲା । 

ସୋମବାର ଭୋର୍‌  ୩ଟା ୪୫ ମିନିଟ୍‌ରେ ଉତ୍କଳ  ବିଶ୍ୱବିଦ୍ୟାଳୟର ୩ ନମ୍ବର ଛାତ୍ରାବାସ  ଅର୍ଥାତ୍‌ ଫକୀରମୋହନ ଛାତ୍ରାବାସର  ଦ୍ୱିତୀୟ ମହଲା କରିଡରରୁ ଜଣେ  ୪୦ ବର୍ଷର ଯୁବକ ପଡ଼ି ମୃତ୍ୟୁବରଣ  କରିଥିବା କଥା ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଛନ୍ତି । ଉଲ୍ଲେଖ କରାଯାଇଛି, ୪ଜଣ ଅଣଛାତ୍ର  ହଷ୍ଟେଲରେ ମଦ-ମାଂସ ଆସର  ଜମାଇଥିଲେ । ଉକ୍ତ ୪୦ ବର୍ଷୀୟ ଯୁବକ  ଅଧିକ ନିଶାସକ୍ତ ଥିଲେ । କରିଡରରେ  ଚାଲିବା ସମୟରେ ଭାରସାମ୍ୟ  ହରାଇ ମୃତ୍ୟୁବରଣ କରିଛନ୍ତି । ଉକ୍ତ  ଅଣଛାତ୍ରମାନେ ହଷ୍ଟେଲର ଯେଉଁ  ରୁମ୍‌ରେ ରହନ୍ତି ତାକୁ ଅନ୍ୟ ଛାତ୍ରଙ୍କ  ନାମରେ ଆବଣ୍ଟନ କରାଯାଇଛି । ତେବେ  କ୍ୟାମ୍ପସ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ  କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି । ଏଣିକି  ଶିକ୍ଷାର୍ଥୀଙ୍କ ଆବଶ୍ୟକତାକୁ ଭିତ୍ତି କରି  ହଷ୍ଟେଲ୍‌ ସିଟ୍‌ ଆବଣ୍ଟନ କରାଯିବ ।  

ସେମାନଙ୍କ ଆବେଦନକୁ ବିଚାରକୁ  ନିଆଯିବ । ହଷ୍ଟେଲରେ ଯେଉଁ ସବୁ  ରୁମ୍‌କୁ ଛାତ୍ରଛାତ୍ରୀଙ୍କ ନାମରେ ଆବଣ୍ଟନ  କରାଯାଇଛି, ସେ ରୁମ୍‌ରେ କିଏ ରହୁଛି  ଆଉ କିଏ ଭଡ଼ାରେ ଲଗାଇଛନ୍ତି ତାକୁ  ଚିହ୍ନଟ କରାଯିବ । ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ହଷ୍ଟେଲ  ଅନ୍ତେବାସୀ ରାତି ସମୟରେ ରୁମ୍‌  ବାହାରେ ବୁଲିବେ ନାହିଁ । ସେମାନଙ୍କ  ରୁମ୍‌ରେ ଅଣଛାତ୍ର ଯଦି ରହନ୍ତି  ତେବେ ସେମାନଙ୍କ ବିରୋଧରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।   ଏଭଳି ଅଭାବନୀୟ ଘଟଣା ଘଟିବା  ପରେ ଫକୀର ମୋହନ ଛାତ୍ରାବାସରୁ  ବିଦ୍ୟୁତ୍‌ ଓ ପାଣି ସଂଯୋଗ କାଟି  ଦିଆଯାଇଛି । ଯେଉଁଥିରେ ଦର୍ଶାଯାଇଛି  ଯେ, ନବୀକରଣ କାମ ପାଇଁ ସଂଯୋଗ  ବିଚ୍ଛିନ୍ନ କରାଯିବ । 

ଅନ୍ୟପଟେ ଏବିଭିପି କହିଛି,  ଉତ୍କଳ ବିଶ୍ୱବିଦ୍ୟାଳୟରେ ନିଶା  କାରବାର ବଢ଼ୁଛି । ହଷ୍ଟେଲ୍‌ ରୁମ୍‌ ବିକ୍ରି  କରାଯାଉଛି ବା ଭଡ଼ାରେ ଲାଗୁଛି । ନିଦ୍ଦିଷ୍ଟ  ଛାତ୍ର ସଂଗଠନର ବ୍ୟକ୍ତିମାନେ ଏପରି  କାର୍ଯ୍ୟରେ ଲିପ୍ତ ଅଛନ୍ତି । ସେମାନେ  କ୍ୟାମ୍ପସରେ ଅରାଜକତା ସୃଷ୍ଟି କରୁଛନ୍ତି ।