ଚେନ୍ନାଇ, ୦୫/୦୧: ପୁରୁଷ ହକି ଇଣ୍ଡିଆ ଲିଗ୍ରେ (ଏଚ୍ଆଇଏଲ) ବେଦାନ୍ତ କଳିଙ୍ଗ ଲାନସର୍ସ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଦଳ ସିଜନର ପ୍ରଥମ ମ୍ୟାଚ୍ରେ ୪-୨ ଗୋଲରେ ରାଞ୍ଚି ରୟାଲ୍ସକୁ ପରାଜିତ କରିଥିଲା । ସେମିତି ଅନ୍ୟ ଏକ ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସ ୩-୧ ଗୋଲରେ ସୁରମା ହକି କ୍ଲବ୍ ପରାସ୍ତ କରିଥିଲା ।
କଳିଙ୍ଗ ଲାନସର୍ସ-ରାଞ୍ଚି ରୟାଲ୍ସ
ପ୍ରଥମ କ୍ୱାର୍ଟରରେ ରାଞ୍ଚି ବେଶ ଭଲ ପ୍ରଦର୍ଶନ କରିଥିଲା । ପ୍ରଥମ ଓ ନବମ ମିନିଟ୍ରେ ୨ଟି ଗୋଲ୍ ଦେଇ ରାଞ୍ଚି ଅଗ୍ରଣୀ ଲାଭ କରିଥିଲା । କଳିଙ୍ଗ ଲାନସର୍ସର ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ୭ମ ମିନିଟ୍ ପ୍ରଥମ ଗୋଲ ପରିଶୋଧ କରିଥିଲା । ଏହି ଭାଗରେ ଉଭୟ ଦଳ ୩ଟି ଗୋଲ୍ ସ୍କୋର କରିଥିଲେ ।
ଦ୍ୱିତୀୟ କ୍ୱାର୍ଟରରେ ଲାନସର୍ସ ଏକାକୀ ୩ଟି ଗୋଲ୍ ଦେଇ ମ୍ୟାଚକୁ ନିୟନ୍ତ୍ରଣକୁ ନେଇଥିଲା । ୧୬ ଓ ୨୬ ମିନିଟରେ ଗୁରସାହିବଜିତ ସିଂ ଏବଂ ହେଣ୍ଡ୍ରିକ୍ସ ୨୮ ମିନିଟ୍ରେ ଗୋଲ ସ୍କୋର କରିଥିଲେ । ପ୍ରଥମାର୍ଦ୍ଧରେ ଲାନସର୍ସ ୪-୨ ଗୋଲରେ ଅଗ୍ରଣୀ ହୋଇଥିଲା । ପରବର୍ତ୍ତୀ ୨ଟି କ୍ୱାର୍ଟର ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ବହୁ ପ୍ରୟାସ କରି ରାଞ୍ଚି ଆଉ ପ୍ରତ୍ୟାବର୍ତ୍ତନ କରିପାରି ନଥିଲା । ଶେଷରେ ଲାନସର୍ସ ୨ଟି ଗୋଲରେ ଅଗ୍ରଣୀ ରହି ବିଜୟୀ ହୋଇଥିଲା ।
ବେଙ୍ଗଲ ଟାଇଗର୍ସ-ସୁରମା ହକି କ୍ଲବ
ଏହି ମ୍ୟାଚଟି ଏକତରଫା ରହିଥିଲା । ବେଙ୍ଗଲ ଦଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରି ଖେଳିଥିଲା । ଶେଷରେ ଦଳ ୩-୧ ଗୋଲରେ ମ୍ୟାଚ୍ ବିଜୟୀ ହୋଇଥିଲା ।
ବେଙ୍ଗଲ ପକ୍ଷରୁ ୩୩ ମିନିଟରେ ସୁଖଜିତ ସିଂ, ୪୫ ମିନିଟରେ ଅଭିଷେକ ଓ ୬୦ ମିନିଟରେ ଗୁରସେୱାକ ସିଂ ଗୋଲ୍ ଦେଇ ଦଳକୁ ଜିତାଇଥିଲେ । ୫୪ ମିନିଟରେ ସୁରମା ପକ୍ଷରୁ ପ୍ରଭଜୋତ ସିଂ ଗୋଟିଏ ଗୋଲ ପରିଶୋଧ କରିଥିଲେ ।
ଚେନ୍ନାଇରେ ପ୍ରଥମ ପର୍ଯ୍ୟାୟ, ରାଞ୍ଚିରେ ଦ୍ୱିତୀୟ ଏବଂ ଭୁବନେଶ୍ୱରରେ ଅନ୍ତିମ ପର୍ଯ୍ୟାୟ ଲିଗ୍ ଖେଳାଯିବ । ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଲିଗ ପର୍ଯ୍ୟାୟ ଏବଂ ୨୩ରୁ ନକ୍ ଆଉଟ୍ ଏବଂ ୨୬ରେ ଫାଇନାଲ ଖେଳାଯିବ । ସୋମବାର ଗୋଟିଏ ମ୍ୟାଚ ଦିଲ୍ଲୀ ଏସଜି ପାଇପର୍ସ ଓ ଏଚଆଇଏଲ୍ ଗଭର୍ଣ୍ଣିଂ କାଉନସିଲ ଦଳ ମଧ୍ୟରେ ଖେଳାଯିବାର ସୂଚୀ ରହିଛି ।
ମହିଳାରେ ବେଙ୍ଗଲ ଜିତିଲା
ରାଞ୍ଚିରେ ଚାଲିଥିବା ମହିଳା ହକି ଇଣ୍ଡିଆ ଲିଗ୍ରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯାଇଥିଲା । ବେଙ୍ଗଲ ଟାଇଗର୍ସ ୧-୦ ଗୋଲରେ ରାଞ୍ଚି ରୟାଲ୍ସକୁ ହରାଇଥିଲା । ୩୭ ମିନିଟରେ ବେଙ୍ଗଲ ବିଜୟୀ ଗୋଲ ସ୍କୋର କରିଥିଲା ।
ସୋମବାର ସୁରମା ହକି କ୍ଲବ୍ ଓ ରାଞ୍ଚି ରୟାଲ୍ସ ମୁହାଁମୁହିଁ ହେବେ । ଦିଲ୍ଲୀ ସର୍ବାଧିକ ୧୦ ପଏଣ୍ଟ ସହ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ବେଙ୍ଗଲ ୮ ପଏଣ୍ଟ ସହ ଦ୍ୱିତୀୟ ଏବଂ ରାଞ୍ଚି ୬ ପଏଣ୍ଟ ସହ ୬ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିବାବେଳେ ଶେଷ ସ୍ଥାନରେ ରହିଥିବା ସୁରମା ହକି କ୍ଲବ ପଏଣ୍ଟ ଖାତା ଖୋଲି ପାରି ନାହିଁ ।