ନୂଆଦିଲ୍ଲୀ, ୨୭।୬: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଆସିଥିବା ବିନାଶକାରୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୯୨୦ରେ ପହଞ୍ଚିଛି । ଅନ୍ୟୁନ ୩୦୦୦ ଜଣ ଆହତ ହୋଇଛନ୍ତି । ଗୁରୁବାର ଆସିଥିବା ଭୂକମ୍ପରେ ଅଧିକାଂଶ ଲୋକେ ଘରେ ଥିଲେ ଏବଂ ଫିପା ୱର୍ଲ୍ଡ କପ୍ ମ୍ୟାଚ୍ ଦେଖୁଥିଲେ । ତେଣୁ ଧ୍ୱଂସାବଶେଷ ତଳେ ହଜାର ହଜାର ସଂଖ୍ୟାରେ ଲୋକେ ଚପି ରହିଥିବା ଆଶଙ୍କା କରାଯାଉଛି । ଚାରିଆଡ଼େ ଧ୍ୱଂସସ୍ତୂପର ଛବି ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଧ୍ୱଂସାବଶେଷ ତଳୁ ଚିତ୍କାର ମଧ୍ୟ ଶୁଣିବାକୁ ମିଳୁଛି । ଆତ୍ମୀୟସ୍ୱଜନଙ୍କୁ ଖୋଜିବା ଲାଗି ଲୋକେ ନିଜେ ନିଜେ ଖୋଳି ଆବର୍ଜନା ହଟାଇବାକୁ ଚେଷ୍ଟା କରୁଛନ୍ତି । ଭୂମିକମ୍ପ ଯୋଗୁ ୫୦ ହଜାରରୁ ଅଧିକ ଲୋକ ନିଖୋଜ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଆମେରିକୀୟ ଜିଓଲୋଜିକାଲ ସର୍ଭେ ଅନୁସାରେ ଭୂକମ୍ପରେ ୧୦ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି । ଏହି ବିପଦ ସମୟରେ ଭାରତ ଭେନେଜୁଏଲାକୁ ସହାୟତାର ହାତ ବଢ଼ାଇଛି । ଭାରତୀୟ ସେନା ‘ଅପରେସନ ଅମିସ୍ତାଦ’ ଆରମ୍ଭ କରି ଭୂକମ୍ପ ପୀଡ଼ିତଙ୍କ ନିକଟରେ ସହାୟତା ପହଞ୍ଚାଇବାକୁ ଟିମ୍ ପଠାଇଛି । ସେମାନେ ଭେନେଜୁଏଲାରେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସହଯୋଗ କରିବେ ।

ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏକ୍ସରେ ଏକ ପୋଷ୍ଟ କରି ଅପରେସନ ଅମିସ୍ତାଦରେ ଭାରତୀୟ ବାୟୁସେନାର ଦୁଇଟି ସି-୧୭ ବିମାନ ସହାୟତା ସାମଗ୍ରୀ ଧରି ଭେନେଜୁଏଲା ଅଭିମୁଖେ ବାହାରିଥିବା ଜଣାଇଛନ୍ତି । ଏଥିରେ ଭାରତୀୟ ସେନାର ଫିଲ୍ଡ ହସ୍ପିଟାଲ ୟୁନିଟ୍ ସହ ପ୍ରାୟ ୩୫ ଟନ୍ରୁ ଅଧିକ ସହାୟତା ସାମଗ୍ରୀ, ଔଷଧ ଏବଂ ଚିକିତ୍ସା ଉପକରଣ ରହିଛି । ଏହି କଠିନ ସମୟରେ ଭାରତ ଭେନେଜୁଏଲା ସହ ଛିଡ଼ା ହୋଇଥିବା ଜୟଶଙ୍କର କହିଛନ୍ତି । ଏହି ବିପର୍ଯ୍ୟୟ ଯୋଗୁ ଭେନେଜୁଏଲା ଅର୍ଥବ୍ୟବସ୍ଥାର ପ୍ରାୟ ୯.୫ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି । କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ଜ ଦେଶରେ ଜରୁରିକାଳୀନ ସ୍ଥିତି ଲାଗୁ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ୍ରିଗ୍ଜଙ୍କ ସହ କଥା ହୋଇ ସହାୟତା କରିବା ଲାଗି କହିଛନ୍ତି ।

ଏହା ବି ପଢ଼ନ୍ତୁ... America Attack on Iran: ଇରାନ ଉପରେ ଆମେରିକାର ବଡ଼ ଆକ୍ରମଣ; ମିସାଇଲ୍ ଓ ଡ୍ରୋନ୍ ସେଣ୍ଟରକୁ ଟାର୍ଗେଟ୍; ହୋର୍ମୁଜରେ ଜାହାଜ ଉପରେ ଆକ୍ରମଣର ନେଲା ପ୍ରତିଶୋଧ

ଆମେରିକା ସମେତ ମେକ୍ସିକୋ, କାତାର, ବ୍ରାଜିଲ, ସ୍ପେନ୍, ପର୍ତ୍ତୁଗାଲ, କାନାଡା ଆଦି ଦେଶରୁ ଭେନେଜୁଏଲାରେ ପହଞ୍ଚିଥିବା ସହାୟତା ଟିମ୍କୁ ରୋଡ୍ରିଗ୍ଜ ସ୍ୱାଗତ କରିଛନ୍ତି । ଏଥିସହ ରୋଡ୍ରିଗ୍ଜ ଭୂକମ୍ପ ପୀଡ଼ିତଙ୍କ ପରିବାରକୁ ଭେଟିଛନ୍ତି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଲାଗି ଭଗ୍ନାବଶେଷକୁ ହଟାଇବା କାମ ଜାରି ରହିଛି । ଭେନେଜୁଏଲାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଲା ଗୁଆଇରା ରାଜ୍ୟ । ଏହି ରାଜ୍ୟରେ ୭୦ ହଜାରରୁ ଊଦ୍ଧ୍ୱର୍ ପରିବାର ପ୍ରଭାବିତ ହୋଇଛନ୍ତି । ୨୫୦ରୁ ଊଦ୍ଧ୍ୱର୍ ଅଟ୍ଟାଳିକା ଭାଙ୍ଗିଛି । ଭେନେଜୁଏଲାରେ ଉଦ୍ଧାର ଏବଂ ସହାୟତା ଅଭିଯାନ ଦ୍ରୁତ କରିବା ଲାଗି ଜାତିସଂଘ ଅତିରିକ୍ତ ରେସ୍କ୍ୟୁ ଟିମ୍ ପଠାଇବାକୁ ନିଷ୍ପତ୍ତି ନେଇଛି । ଏଥିସହ ଭେନେଜୁଏଲାକୁ ସହାୟତା ପାଣ୍ଠିରୁ ୧୫ ନିୟୁତ ଡଲାର ଜାରି କରିଛି । ଜାତିସଂଘର ମାନବୀୟ ସହାୟତା ମୁଖ୍ୟ ଟମ୍ ଫ୍ଲେଚର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଦେଇଛନ୍ତି ।