ପୁରୀ,୨୬/୦୬: ରଥ ଚାଳନା ବେଳେ ରଥକୁ  ରୋକିବା ମୁସ୍କିଲ୍‌ ହୋଇଯାଏ । ରଥ ଚାଳନା ବନ୍ଦ  ସୂଚନା ମିଳିଲେ ମଧ୍ୟ ଶ୍ରଦ୍ଧାଳୁମାନେ ଜାଣି ନପାରି ରଥ  ଟାଣିନିଅନ୍ତି । ଏଣୁ ବ୍ରେକ୍‌ ପଡ଼ି ଚକର ଗତି ରୋଧ କରାଯାଏ । ଚଳିତ ବର୍ଷ ତିନି ରଥ ପାଇଁ ତିନୋଟି ନୂତନ  ବ୍ରେକ୍‌ ତିଆରି କରାଯାଉଛି । ଶାଳ ଗଣ୍ଡିକୁ ବାରିସିରେ  ହାଣି ଚଉପଟ କରୁଛନ୍ତି ବିଶ୍ୱକର୍ମା। ଏହାପରେ  ଇଂଜିନିୟରଙ୍କ ଦ୍ୱାରା ସ୍ୱତନ୍ତ୍ର ଶୈଳୀରେ ରଥ ବ୍ରେକ୍‌  ପ୍ରସ୍ତୁତ ହେବ ।  

ଶୁକ୍ରବାର ଚାଳିରେ ଶାଳ କାଠକୁ କାଟି  ‘ମାଲ’ ତିଆରି ହେଉଛି । ଠାକୁରେ ଚାରମାଳରେ ପହଣ୍ଡି  ହୋଇ ଓହ୍ଲାଇବେ । ଚାରମାଳ ତଳେ ରହିବ ମାଲ । ତିନି ରଥ ବିଶ୍ୱକର୍ମା ମିଶି ଠାକୁରଙ୍କ ଏହି ସେବା କରୁଛନ୍ତି । ରଥରେ ନିର୍ମାଣକାରୀ କନକମୁଣ୍ଡି କାମ କରୁଛନ୍ତି ।  ଏଥିରେ ଚୁନାଟପଟା ଲଗାଯାଇଛି । ଚାରିନାହାକାରେ  ପଟା ବାଡ଼ିଆ ହୋଇ ଚୁନାଟପଟା ଲାଗିଲେ କନକମୁଣ୍ଡି ପ୍ରସ୍ତୁତ ହେବ । ରଥରେ ବେଦ ତିଆରି ଜାରି ରହିଛି । ରୂପକାରମାନେ ପ୍ରଭା ଖୋଦେଇ ଜାରି ରଖିଛନ୍ତି । ରଥ  ଓ ରଥରେ ଅଧିଷ୍ଠିତ ହେବାକୁ ଥିବା ମୂର୍ତ୍ତରେ ରଙ୍ଗ  ଦେଉଛନ୍ତି ଚିତ୍ରକର ସେବକ । ଓଝା ସେବକମାନେ  ଦୋଳବେଦି ଶାଳରେ ବିଭିନ୍ନ ରକମର କଣ୍ଟା ତିଆରୁଛନ୍ତି । 

 

ଅଧିକ ପଢ଼ନ୍ତୁ : - Rath Yatra 2026 : ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି