ନୂଆଦିଲ୍ଲୀ,୨୯/୧୨; ରୁଷ୍ -ୟୁକ୍ରେନ୍ ଯୁଦ୍ଧରେ ପଡ଼ିବ ଯବନିକା । ସରିବ ୪ ବର୍ଷ ଧରି ଚାଲିଥିବା ଘମାଘୋଟ ଲଢେଇ । ଯୁଦ୍ଧ ବନ୍ଧ ନେଇ ଶେଷ ପର୍ଯ୍ୟାୟରେ ରହିଛି ଆଲୋଚନା । ଫ୍ଲୋରିଡ଼ାରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଶାନ୍ତି ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦ ସୁତ୍ରୀ ପିସ୍ ପ୍ଲାନ୍ ଉପରେ ୯୫ ପ୍ରତିଶତ ସହମତି ହୋଇଛି । ଜେଲେନସ୍କିଙ୍କ ସହ ବୈଠକ ପରେ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ 'ଶାନ୍ତି ଚୁକ୍ତି'ର ବହୁତ ନିକଟତର ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆଲୋଚନା ପୂର୍ବରୁ ଟ୍ରମ୍ପ ୨ ଘଣ୍ଟା ଫୋନ୍‌ରେ ପୁଟିନ୍‌ଙ୍କ ସହ ଆଲୋଚନା କରିଥିଲେ । ​​​​​​

ବୈଠକ ପରେ ଟ୍ରମ୍ପ-ଜେନେନସ୍କି ପ୍ରେସ୍‌ମିଟ୍ କରି ଆଲେଚନା ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ''ଆମର ଭଲ ଆଲୋଚନା ହୋଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲୁ । ପୁଟିନଙ୍କ ସହ ଫୋନ୍‌ରେ ଏକ ସକାରାତ୍ମକ ଫୋନ୍ ଆଲୋଚନା ହୋଇଥିଲା । ଆମେ ଅନେକ ପଏଣ୍ଟ ଉପରେ ଆଲୋଚନା କରିଥିଲୁ । ମୁଁ ଭାବୁଛି ଆମେ ଶାନ୍ତିର ବହୁତ ନିକଟତର ହେଉଛୁ । ରାଷ୍ଟ୍ରପତି ଏବଂ ମୁଁ ବର୍ତ୍ତମାନ ୟୁରୋପୀୟ ନେତାମାନଙ୍କ ସହିତ କଥା ହୋଇଛୁ । ଆମେ ଏହି ଯୁଦ୍ଧକୁ ସମାପ୍ତ କରିବାରେ ଅଗ୍ରଗତି କରିଛୁ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମ୍ଭବତଃ ସବୁଠାରୁ ଘାତକ ଯୁଦ୍ଧ ।'' ଏକ ଶାନ୍ତି ଚୁକ୍ତିନାମା ପାଇଁ କେତେ ସମୟ ଲାଗିପାରେ ବୋଲି ପଚରାଯିବାରୁ, ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଯଦି ସବୁକିଛି ଠିକ୍ ଠାକ୍ ହୁଏ, ତେବେ ଏହା କିଛି ସପ୍ତାହ ମଧ୍ୟରେ ହୋଇପାରିବ । କିନ୍ତୁ ଯଦି ପରିସ୍ଥିତି ଆହୁରି ଖରାପ ହୁଏ, ତେବେ ଏହା ହେବ ନାହିଁ, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହେବ ।''

ଶାନ୍ତି ଚୁକ୍ତି ଉପରେ ୯୫% ସହମତି- ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ବୈଠକକୁ ସକାରାତ୍ମକ ବୋଲି କହି କହିଛନ୍ତି ଯେ, ସମସ୍ତ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ୨୦-ସୂତ୍ରୀ ଶାନ୍ତି ଯୋଜନାରେ ୯୫ ପ୍ରତିଶତ ସହମତି ହୋଇଛି । ଆମେରିକା-ୟୁକ୍ରେନ ସୁରକ୍ଷା ଗ୍ୟାରେଣ୍ଟି ଉପରେ ୧୦୦ ପ୍ରତିଶତ ସହମତି ହୋଇଛି ।  ଆମେରିକା-ୟୁରୋପ-ୟୁକ୍ରେନ ସୁରକ୍ଷା ଗ୍ୟାରେଣ୍ଟି ଉପରେ ପ୍ରାୟ ସହମତି ହୋଇଛି ।

ୟୁକ୍ରେନ ଶାନ୍ତି ପାଇଁ ପ୍ରସ୍ତୁତ- ଜେଲେନସ୍କି ଟ୍ରମ୍ପଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ୟୁକ୍ରେନ୍ ଶାନ୍ତି ପାଇଁ ପ୍ରସ୍ତୁତ । ସାମରିକ ଦିଗରେ ୧୦୦ ପ୍ରତିଶତ ସହମତି ହୋଇଛି । "ସ୍ଥାୟୀ ଶାନ୍ତି'' ହାସଲ କରିବାରେ ସୁରକ୍ଷା ଗ୍ୟାରେଣ୍ଟି ଏକ ମାଇଲଖୁଣ୍ଟ ବୋଲି ଆମେ ସହମତ ହୋଇଥିଲୁ, ଏବଂ ଆମର ଦଳଗୁଡ଼ିକ ଏହି ଦିଗଗୁଡ଼ିକ ଉପରେ କାମ ଜାରି ରଖିବେ। "
​​​​​​​