ମୁମ୍ବାଇ ୨୭/୦୧: ଭିକି କୌଶଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛାବା’ର ରିଲିଜକୁ ଦର୍ଶକ ଅପେକ୍ଷା କରିଛନ୍ତି। ଜାନୁଆରୀ ୨୨ ରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ଭିକି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି ଯେ ‘ଛାବା’ ରିଲିଜ୍ ହେବା ପୂର୍ବରୁ ଏହାକୁ ଏକ୍ସପର୍ଟ୍ସଙ୍କୁ ଦେଖାଯାଉ।

ଲକ୍ଷ୍ମଣ ଉଟେକରଙ୍କ ନିର୍ଦ୍ଦେଶିତ ଏହି ଐତିହାସିକ ଡ୍ରାମାକୁ ନେଇ ଉଦୟ ସାମନ୍ତ ତାଙ୍କ ଏକ୍ସ ଆକାଉଣ୍ଟରୁ ପୋଷ୍ଟ କରିଛନ୍ତି। ସେ ମରାଠୀରେ ଲେଖିଛନ୍ତି, “ଧର୍ମ ଏବଂ ସ୍ୱାଧୀନତାର ରକ୍ଷକ ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ହିନ୍ଦୀ ଫିଲ୍ମ ନିର୍ମାଣ କରିବା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ। ଛତ୍ରପତିଙ୍କ ଇତିହାସକୁ ଦୁନିଆକୁ ବୁଝାଇବା ପାଇଁ ଏଭଳି ପ୍ରୟାସ ଆବଶ୍ୟକ । ତେବେ ଫିଲ୍ମରେ କିଛି ଆପତ୍ତିଜନକ ଦୃଶ୍ୟକୁ ନେଇ ଅନେକ ଲୋକ ନିଜର ମତ ପ୍ରକାଶ କରିଛନ୍ତି।"

ସେ ଆହୁରି ଲେଖିଛନ୍ତି, “ମୋ ଅନୁଯାୟୀ ଫିଲ୍ମଟିକୁ ଏକ୍ସପର୍ଟ୍ସଙ୍କୁ ନ ଦେଖାଇ ରିଲିଜ୍ କରିବା ଉଚିତ୍ ନୁହେଁ । ମହାମହିମଙ୍କ ସମ୍ମାନକୁ ଆଘାତ କରୁଥିବା କୌଣସି ଜିନିଷକୁ ବରଦାସ୍ତ କରାଯିବ ନାହିଁ। ଆମର ଦାବି ହେଉଛି ଯେ ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକ ଏ ବାବଦରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆପତ୍ତିଜନକ ଜିନିଷଗୁଡ଼ିକୁ ହଟାଇବା ଉଚିତ୍। ଫିଲ୍ମ ଦେଖିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ, ନଚେତ୍ ଏହି ଫିଲ୍ମ ରିଲିଜ ହେବ ନାହିଁ!"