ମୁମ୍ବାଇ ୧୪/୦୨: ବଲିଉଡ୍ ଅଭିନେତା ଭିକି କୌଶଲଙ୍କ ଫିଲ୍ମ ‘ଛାବା’ ବ୍ଲକ୍ବଷ୍ଟର ସାବ୍ୟସ୍ତ ହେବା ପରେ ତାଙ୍କ ହାତକୁ ଏବେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟରୁ ଅଫର୍ ଆସୁଛି। ସେ ମଧ୍ୟ ଏବେ ଦେଖିଚାହିଁ ଫିଲ୍ମ ସାଇନ୍ କରୁଛନ୍ତି। ଦର୍ଶକେ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଲଭ୍ ଆଣ୍ଡ ୱାର୍’କୁ ଅପେକ୍ଷା କରିଛନ୍ତି। ଅପରପକ୍ଷରେ ଭିକି ‘ମହାବତାର’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବା କଥା ଘୋଷଣା ହେବା ପରେ ତାଙ୍କ ପ୍ରଶଂସକମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଇତି ମଧ୍ୟରେ ଏହାର ପୋଷ୍ଟର୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।

‘ଛାବା’ ଭଳି ‘ମହାବତାର’ ରେ ମଧ୍ୟ ଭିକିଙ୍କ ଲୁକ୍ରେ ପରିବର୍ତ୍ତନ ଦେଖାଯିବ ବୋଲି ପୋଷ୍ଟରରୁ ଜଣାପଡୁଛି। ଏଥିରେ ଭଗବାନ ପର୍ଶୁରାମଙ୍କ ଭୂମିକାରେ ଅଭିନୟ କରିବା ପାଇଁ ଭିକିଙ୍କୁ ଶାରୀରିକ ସ୍ତରରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ପଡିବ ବୋଲି କୁହାଯାଉଛି। ଏହି ଫିଲ୍ମ ପାଇଁ ତାଙ୍କୁ ୧୦-୧୨ କେଜି ଓଜନ ବଢାଇବାକୁ ପଡିବ। ତେବେ ଏତେ ଶୀଘ୍ର ଭିକି ତାଙ୍କ ଓଜନ ବଢାଇବେ ନାହିଁ। କାରଣ ସେ ଏବେ ‘ଲଭ୍ ଆଣ୍ଡ ୱାର୍’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଅପ୍ରେଲରେ ଏହାର ସୁଟିଂ ସରିଯିବ। ଏହାପରେ ସେ ‘ମହାବତାର’ ପାଇଁ ନିଜକୁ ପ୍ରସ୍ତୁତ କରିବେ।

ଆହୁରି ପଢ଼ନ୍ତୁ...'ଦି ବିଟଲ୍ସ' ସହ ହଲିଉଡରେ ଡେବ୍ୟୁ କରିବେ ଫରହାନ ଅଖତର , ଏହି କଳାକାରଙ୍କ ଭୂମିକାରେ ଆସିବେ ନଜର

ଏହି ସମୟରେ ସେ ନିଜ ଓଜନ ବଢାଇବା ସହ ଯୋଦ୍ଧା ଭୂମିକା ପାଇଁ ବିଭିନ୍ନ ପ୍ରକାରର ତାଲିମ୍ ମଧ୍ୟ ନେବେ ବୋଲି ଜଣାପଡିଛି। ଦିନେଶ ବିଜାନଙ୍କ ମ୍ୟାଡକକ୍ ଫିଲ୍ମସ ଏହାର ନିର୍ମାଣ କରୁଛନ୍ତି। ଅମର କୌଶିକ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ଏହି ଫିଲ୍ମ ଆସନ୍ତା କ୍ରିସମାସ୍ ଅବସରରେ ପରଦାକୁ ଆସିବ। ଫିଲ୍ମରେ ଅତି ଉଚ୍ଚମାନର ଗ୍ରାଫିକ୍ସ ଓ ଭଏଫେକ୍ସର ବ୍ୟବହାର କରାଯିବ।