ଭୁବନେଶ୍ଵର, ୨୪/୦୬ : ଅନୁଗୋଳ ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଆଜି ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଏହି ରାୟ ଦେଇଛନ୍ତି। ଅଦାଲତ ପୋକ୍ସୋ ଆଇନର ଧାରା–୬ ସମେତ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡ ସହ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନାନୁଯାୟୀ, ୨୦୨୪ ମସିହା ଅଗଷ୍ଟ ୬ ତାରିଖରେ ଅନୁଗୋଳ ଅଞ୍ଚଳରେ ଜଣେ ୨୧ ବର୍ଷୀୟା ଯୁବତୀ ଓ ଜଣେ ନାବାଳିକାଙ୍କୁ ବଳପୂର୍ବକ ମଦ୍ୟପାନ କରାଇବା ପରେ ଉଭୟଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ମାମଲା ରୁଜୁ ହେବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିତୁ ସାହୁ, ହୃଦୟ ଚନ୍ଦ୍ର ପ୍ରଧାନ, ଅସିତ କୁମାର ସାହୁ ଓ ଦୀପୁ ଓରଫ ଦିବ୍ୟରଞ୍ଜନ ଅମାନ୍ତଙ୍କୁ ଗିରଫକରିଥିଲା। ଅନୁଗୋଳ ଜିଲ୍ଲା ଏସପି ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସବ୍-ଇନ୍ସପେକ୍ଟର ସଂଘମିତ୍ରା ଶତପଥୀ ମାମଲାର ତଦନ୍ତ କରିଥିଲେ। ମାମଲା ରୁଜୁ ହେବାର ମାତ୍ର ୫୯ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ତଦନ୍ତ ସମୟରେ ସଂଗୃହୀତ ପ୍ରମାଣ, ସାକ୍ଷ୍ୟ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ଦ୍ରୁତ ଫରେନସିକ୍ ଟେଷ୍ଟ, ସମୟୋପଯୋଗୀ ଚାର୍ଜସିଟ୍ ଦାଖଲ ଯୋଗୁଁ ଦୋଷୀମାନଙ୍କୁ ଶୀଘ୍ର ଦଣ୍ଡିତ କରାଯାଇଛି। 

ମହିଳା ଓ ଶିଶୁଙ୍କ ବିରୋଧରେ ଘଟୁଥିବା ଜଘନ୍ୟ ଅପରାଧ ପ୍ରତି ଓଡ଼ିଶା ପୁଲିସ ‘ଜିରୋ ଟଲରେନ୍ସ’ ନୀତି ଗ୍ରହଣ କରିଛି। ବୈଜ୍ଞାନିକ, ଦ୍ରୁତ, ପୀଡ଼ିତା-କେନ୍ଦ୍ରିକ ଓ ପ୍ରମାଣଭିତ୍ତିକ ତଦନ୍ତ ମାଧ୍ୟମରେ ଅପରାଧୀଙ୍କୁ ଆଇନର କାଠଗଡ଼ାକୁ ଆଣି କଠୋର ଦଣ୍ଡ ସୁନିଶ୍ଚିତ କରିବା ପ୍ରତି ଓଡ଼ିଶା ପୁଲିସର ଦୃଢ଼ ପ୍ରତିବଦ୍ଧତାକୁ ଏହି ରାୟ ପୁନର୍ବାର ପ୍ରତିଫଳିତ କରିଛି।

ଆହୁରି ପଢନ୍ତୁ- Bahuda Yatra 2026 : ନୀଳକନ୍ଦରକୁ ବାହୁଡ଼ିବେ ବାହୁଡ଼ାବ୍ରହ୍ମ, ଗୁଣ୍ଡିଚା ଘରୁ ପହଣ୍ଡି ଆରମ୍ଭ

🔴LIVE | ବାହୁଡ଼ା ଯାତ୍ରାରେ ତିନି ଠାକୁର, ଜଗନ୍ନାଥଙ୍କ ପହଣ୍ଡି | Return Car Festival 2026​​​​​​​