ନୂଆଦିଲ୍ଲୀ ୧୦/୦୫: ବଲିଉଡ୍ ବିଭିନ୍ନ ସମୟରେ ମା’ ଚରିତ୍ରକୁ ଭିନ୍ନ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିଆସିଛି। ଆଧିକାଂଶ ସିନେମାରେ ମା’ର ଚରିତ୍ର ସକାରାତ୍ମକ ହୋଇଥିବା ବେଳେ କିଛି ସିନେମାରେ ଦେଖିବାକୁ ମିଳିଛି ମା’ର ସ୍ୱରୂପ ଗତାନୁଗତିକ ଧାରା ଭାଙ୍ଗି ବାହାରିଆସିଛି। ଧରାବନ୍ଧା ନିୟମରୁ ମୁକୁଳି ମୁକ୍ତ ଚିନ୍ତାଧାରା ରଖିଥିବା ମା’ଙ୍କ ଦେଖା ମିଳିଛି ବଲୁଉଡର ବେଶ୍ କିଛି ସିନେମାରେ। ନୂଆ ପିଢିର ଦର୍ଶକମାନେ ଉନ୍ମୁକ୍ତ ଚିନ୍ତାଧାରା ରଖୁଥିବା ମା’ ଚରିତ୍ରକୁ ସ୍ୱୀକାର କରିନେଇଛନ୍ତି। ପରିବର୍ତ୍ତିତ ସମୟର ଦାବି ମାନି ମା’ ର ଚରିତ୍ରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି ବଲିଉଡରେ। ଏହି କ୍ରମରେ ଆସନ୍ତୁ ଜାଣିବା ସେହି କେତୋଟି ସିନେମା ଓ ସେଥିରେ ମା’ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ଅଭିନୟ ବିଷୟରେ…
ଦୃଶ୍ୟମ୍ (ତବୁ) :
ଏହି ସିନେମାରେ ତବୁ ଜଣେ କଠୋର ମହିଳା ଚରିତ୍ରରେ ଅଭିନୟ କରିଛନ୍ତି। ଏଥିରେ ସେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିଛନ୍ତି। ଯାହାଙ୍କ ମାତୃ ହୃଦୟ ବିଳପି ଉଠିଛି ନିଜର ଏକମାତ୍ର ପୁଅର ମୃତ୍ୟୁରେ। ପୁଅ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଜଣେ ମା’ କେତେ କଠୋର ହୋଇପାରେ ତାହା ଦେଖିବାକୁ ମିଳିଥିଲା ଏହି ସିନେମାରେ। ଅଜୟ ଦେବଗନ ମୁଖ୍ଯ ଚରିତ୍ରରେ ଅଭିନୟ କରିଥିଲେ ହେଁ ଜଣେ କଠୋର ପୁଲିସ ଅଧିକାରୀ ତଥା ପୁତ୍ରହରା ମା’ ଭାବେ ତବୁଙ୍କ ପ୍ରତିଟି ସଂଳାପ, ଗତିବିଧି ସିନେମାଟିକୁ ଭିନ୍ନ ଉଚ୍ଚତାକୁ ନେଇ ଯାଇଥିଲା।
ଦୋସ୍ତାନା (କିରନ ଖେର) :
ଏହି ସିନେମାରେ କିରନ ଖେର ଜଣେ ପଞ୍ଜାବୀ ମା’ ଚରିତ୍ରରେ ଅଭିନୟ କରିଥିଲେ। ନିଜ ପୁଅ ସମଲିଙ୍ଗୀ ହୋଇଥିବା ଜାଣିବା ପରେ ମା’ ଭାବରେ ପୁଅ ବିରୁଦ୍ଧରେ ଯାଇନଥିଲା କିରନଙ୍କ ଚରିତ୍ର। ବରଂ ପୁଅର ସାଥିକୁ ବି ପରିବାରର ସଦସ୍ୟ ଭାବେ ସ୍ୱୀକାର କରିଥିଲେ। କିରନଙ୍କ ଚରିତ୍ର ଦେଖାଇଥିଲା ଭାରତୀୟ ମା’ ପ୍ରାଚୀନପନ୍ଥୀ ଚିନ୍ତାଧାରାର ବନ୍ଧନରୁ ନିଜକୁ ମୁକୁଳାଇ ପାରିଛନ୍ତି।
ପା (ବିଦ୍ୟା ବାଲନ) :
ଏହି ସିନେମାରେ ଅମିତାଭ ବଚ୍ଚନଙ୍କ ମା’ ଚରିତ୍ରରେ ଅବିନୟ କରିବା ପାଇଁ କୌଣସି ଅଭିନେତ୍ରୀ ରାଜି ହେଉନଥିବା ବେଳେ ଆଗେଇ ଆସିଥିଲେ ବିଦ୍ୟା ବାଲାନ। ଏହି ସିନେମାରେ ବିଦ୍ୟାଙ୍କ ଚରିତ୍ର ଜଣେ ଏକୁଟିଆ ମା’ର ଯିଏ ପ୍ରୋଗେରିଆ ପୀଡିତ ପୁଅ ପାଇଁ ସବୁ ଘାତ ପ୍ରତିଘାତର ମୁହାଁମୁହିଁ ହେବାକୁ ପ୍ରସ୍ତୁତ। ଏହି ସିନେମାରେ ପୁଅର ଖୁସି ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ ବିଦ୍ୟାଙ୍କ ଚରିତ୍ର।
ଆହୁରି ପଢ଼ନ୍ତୁ...Nita Ambani Stunning Look : ବନାରସୀ ଶାଢୀରେ ଚମକିଲେ ନୀତା, ୫ ମାସ ଧରି ହାତରେ ହୋଇଛି ତିଆରି
ଜଜ୍ବା (ଐଶ୍ୱର୍ଯ୍ୟା ରାୟ ବଚ୍ଚନ)
ଜଣେ ସିଙ୍ଗଲ ମଦର ଚରିତ୍ରରେ ଅଭିନୟ କରିବା ସହିତ ଏହି ସିନେମା ଜରିଆରେ ଐଶ୍ୱର୍ଯ୍ୟା ବଲିଉଡରେ ପୁନଃପ୍ରବେଶ କରିଥିଲେ। ବାସ୍ତବ ଜୀବନରେ ମା’ ହେବା ପରେ କିଛିବର୍ଷ ପାଇଁ ଅଭିନୟରୁ ନିଜକୁ ଦୂରେଇ ରଖିଥିବା ଐଶ୍ୱର୍ଯ୍ୟା ଏହି ସିନେମା ଜରିଆରେ ଦମଦାର୍ ପ୍ରତ୍ୟାବର୍ତ୍ତନ କରିଥିଲେ। ଅପହୃତା ଝିଅକୁ ଫେରପାଇବା ଆଶାରା ଐଶ୍ୱର୍ଯ୍ୟାଙ୍କ ଚରିତ୍ର ଜଣେ କୁଖ୍ୟାତ ଅପରାଧିର ପକ୍ଷ ନେଇ କେସ୍ ଲଢୁଥିବାର ଦେଖିବାକୁ ମିଳିଥିଲା ଏହି ସିନେମାରେ।