ଭୁବନେଶ୍ୱର,୧/୫ : ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଶୁକ୍ରବାର ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଶୁଭାରମ୍ଭ ହୋଇଯାଇଛି । ରାୟଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ପିଏମ୍ଜିଏସ୍ୱାଇ-୪ରେ ଓଡ଼ିଶାର ୮ଟି ଜିଲ୍ଲା ପାଇଁ ପ୍ରାୟ ୧୭୦୦କୋଟି ଟଙ୍କାରୁ ଊର୍ଦ୍ଧ୍ଵ ବ୍ୟୟ ବରାଦ କରାଯିବ। ଏଥିରେ ୮୯୮ଟି ଗାଁରେ ୧୭୦୨କିଲୋମିଟର ପକ୍କା ରାସ୍ତା ନିର୍ମାଣ କରାଯିବ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲା ପାଇଁ ଅନେକ ନୂତନ ସଡ଼କ ପ୍ରକଳ୍ପ ଘୋଷଣା କରିବା ସହ ଏକାଧିକ ପାନୀୟ ଜଳ ଓ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି ।
- ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV)ର ଶୁଭାରମ୍ଭ
- ପିଏମ୍ଜିଏସ୍ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ
- ୮ଟି ଜିଲ୍ଲାର ୮୯୮ଟି ଗାଁକୁ ମିଳିବ ୧୭୦୨ କିଲୋମିଟର ପକ୍କା ରାସ୍ତା
- ରାୟଗଡ଼ା ବିକାଶ: ୨୦୦ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
- ୧୦୪.୫୬ କୋଟି ଟଙ୍କାର ୧୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ
- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡିଶା ପାଇଁ ୬୩୦ କୋଟି
- ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ-ଜଳବିଭାଜିକା ବିକାଶ ଉପାଦାନରେ ଓଡିଶା ପାଇଁ ୩୦ କୋଟି ଟଙ୍କା ମଞ୍ଜୁର
- ଓଡ଼ିଶା ପାଇଁ ବିକାଶର ପେଡ଼ି : ପାନୀୟ ଜଳ ଓ ଭିତ୍ତିଭୂମି ଉପରେ ଜୋର୍ ଦେଲେ କେନ୍ଦ୍ରମନ୍ତ୍ରୀ ଚୌହାନ
- ଓଡ଼ିଶା ଆସିବ ବୈଜ୍ଞାନିକ ଦଳ, ଗଢ଼ା ହେବ ‘ସିଡ୍ ଭିଲେଜ୍’: କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ
ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିକୁ ସାକାର କରିବା ପାଇଁ ରାଜ୍ୟ ସରକାର PMGSY-IV ମାଧ୍ୟମରେ ଅଣ-ସଂଯୋଜିତ ଗ୍ରାମଗୁଡ଼ିକୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ପର୍ଯ୍ୟାୟରେ କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବଙ୍ଗପୁର, ରାୟଗଡ଼ା ଓ ସମ୍ବଲପୁର ଭଳି ୮ଟି ଜିଲ୍ଲାର ୮୯୮ଟି ଗ୍ରାମକୁ ସବୁ ଦିନିଆ ପକ୍କା ରାସ୍ତା ଯୋଗାଇ ଦିଆଯିବ । ଏଥିପାଇଁ ୧୭୦୨କିଲୋମିଟର ଦୈର୍ଘ୍ୟର ୮୨୭ଟି ନୂତନ ରାସ୍ତା ନିର୍ମାଣ ହେବ, ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଯଥାକ୍ରମେ ୬୦:୪୦ଅନୁପାତରେ ଅର୍ଥ ବିନିଯୋଗ କରିବେ । ଏହି ଶୁଭ ଅବସରରେ ଓଡ଼ିଶା ପାଇଁ କେନ୍ଦ୍ରୀୟ ସହାୟତାର ବଡ଼ ଘୋଷଣା କରାଯାଇଛି । ଏହା ସହିତ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧିନରେ ୬୩୦କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା-ଜଳ ବିଭାଜିକା ବିକାଶ ଉପାଦାନ (WDC-PMKSY 2.0) ପାଇଁ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଏହି ଅବସରରେ ବିଶେଷ କରି ଦୁର୍ଗମ ଅଞ୍ଚଳରେ ବିକାଶ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ପିଏମ୍ଜିଏସ୍ୱାଇ-୪ରେ କେବଳ ରାୟଗଡ଼ ଓ ମାଲକାନଗିରି ଜିଲ୍ଲାରେ ୪୪୨ଟି ନୂତନ ରାସ୍ତା ନିର୍ମାଣ କରାଯିବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲାରେ ଅନେକ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। କୋଲନରା, ମୁନିଗୁଡା ଓ ରାୟଗଡ ବ୍ଲକରେ ୯୭ କୋଟି ଟଙ୍କା ବ୍ୟୟରେ ୩ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଛି, ଯାହାଦ୍ୱାରା ୯୮ଟି ଗାଁର ଜନସାଧାରଣ ଉପକୃତ ହେବେ। ରାୟଗଡ଼ା, କାଶିପୁର, କେ. ସିଙ୍ଗପୁର, କୋଲନରା ଓ ମୁନିଗୁଡ଼ା ବ୍ଲକ ଅଞ୍ଚଳରେ ୧୦୪ କୋଟି ୫୬ ଲକ୍ଷ ଟଙ୍କା ବିନିଯୋଗରେ ୧୩ଟି ନୂଆ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ସଡ଼କ ଓ ସେତୁ ପ୍ରକଳ୍ପଗୁଡ଼ିକ ଦ୍ୱାରା ସୁଦୂର ଗ୍ରାମାଞ୍ଚଳଗୁଡ଼ିକ ମୁଖ୍ୟ ସ୍ରୋତ ସହ ଯୋଡ଼ି ହୋଇପାରିବେ।
ଗ୍ରାମୀଣ ଅର୍ଥନୀତିକୁ ସଜାଡ଼ିବା ପାଇଁ ରାଜ୍ୟ ସରକାର ‘Mission Powar’ (Power-Water-Road) ଅଭିଯାନ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଯୋଜନାରେ ୫୦ରୁ ଅଧିକ ଜନ ସଂଖ୍ୟା ଥିବା କ୍ଷୁଦ୍ର ପଡ଼ା ଗ୍ରାମ ଗୁଡ଼ିକୁ ପକ୍କା ରାସ୍ତା, ବିଜୁଳି ଓ ପାନୀୟ ଜଳ ଯୋଗାଇ ଦିଆଯିବ । ଚଳିତ ବର୍ଷ ବଜେଟରେ ପଞ୍ଚାୟତିରାଜ ବିଭାଗ ପାଇଁ ୩୪,୧୦୪କୋଟି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୧୦,୨୦୪କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ୨୦୩୬ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ସଡ଼କ ନିର୍ମାଣରେ ସ୍ୱଚ୍ଛତା ଓ ଗୁଣାତ୍ମକ ମାନ ରକ୍ଷା କରିବା ପାଇଁ ଏକ ସୁଦୃଢ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ୨୦୨୬-୨୭ଆର୍ଥିକ ବର୍ଷ ପାଇଁ ରାସ୍ତା ରକ୍ଷଣାବେକ୍ଷଣ ନିମନ୍ତେ ବଜେଟରେ ୫୫୦କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ 'Incentive' ଆକାରରେ ମିଳିଥିବା ୧୫୦କୋଟି ଟଙ୍କା ମଧ୍ୟ ପୁରୁଣା ରାସ୍ତାର ମରାମତି ପାଇଁ ବିନିଯୋଗ କରାଯିବ । ରାଜ୍ୟ ସରକାରଙ୍କ ନୂତନ ଅଭିଯାନ ‘Mission Powar’ (Power-Water-Road) ମାଧ୍ୟମରେ ୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଛୋଟ ପଡ଼ା, ଗାଁକୁ ପକ୍କା ରାସ୍ତା ଦ୍ୱାରା ସଂଯୋଗ କରାଯିବ। ଚଳିତ ବର୍ଷ ୯,୭୦୦କିଲୋମିଟର ନୂତନ ରାସ୍ତା ଓ ୩୫୦ଟି ନୂଆ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଶେଷରେ, ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଓଡ଼ିଶା ଗଢ଼ିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଶିବରାଜ୍ ସିଂହ ଚୌହାନ ନିଜ ଅଭିଭାଷଣରେ କହିଛନ୍ତି ଯେ, ସରକାର କେବଳ ପ୍ରତ୍ୟେକ ଗ୍ରାମକୁ ସଡ଼କ ପଥରେ ଯୋଡ଼ିବା ପାଇଁ ଆସିନାହାଁନ୍ତି, ବରଂ ପ୍ରତିଟି ହୃଦୟ ସହ ହୃଦୟକୁ ଯୋଡ଼ିବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ। ସର୍ବାଙ୍ଗୀନ ବିକାଶ ଓ ପ୍ରଗତି ହିଁ ବର୍ତ୍ତମାନ ସରକାରଙ୍କ ପ୍ରମୁଖ ପ୍ରତୀକ। ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, କୌଣସି ବି ଗ୍ରାମ ଆଉ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିବ ନାହିଁ। କୃଷି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଏକ ପ୍ରସ୍ତାବ ରଖିଛନ୍ତି । କେନ୍ଦ୍ର ସରକାର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ବୈଜ୍ଞାନିକ ଦଳ ପଠାଇବେ । ଏହି ବିଶେଷଜ୍ଞମାନେ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ‘ସମନ୍ୱିତ କୃଷି ବ୍ୟବସ୍ଥା’ (Integrated Farming)ର ସମୀକ୍ଷା କରିବେ । କେବଳ ଧାନ ଚାଷ ନୁହେଁ, ବରଂ ଚାଷୀମାନେ ଯେପରି ସମସ୍ତ ପ୍ରକାରର ଅର୍ଥକାରୀ ଫସଲ ଉତ୍ପାଦନ କରି ଅଧିକ ରୋଜଗାର କରିପାରିବେ, ସେଥିପାଇଁ ସରକାର ମାର୍ଗଦର୍ଶନ ପ୍ରଦାନ କରିବେ। ଓଡ଼ିଶାର ପ୍ରତ୍ୟେକ କୃଷି ଭିତ୍ତିକ ଗ୍ରାମକୁ ଏକ ‘ବିହନ ଗ୍ରାମ’ (Seed Village) ଭାବେ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ଇଚ୍ଛା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ , ରାୟଗଡ଼ା ବିଧାୟକ ଆପାଲା ସ୍ୱାମୀ କାଡ୍ରାକା, ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗୋ ଏବଂ ବିଷମକଟକ ବିଧାୟକ ନୀଳମାଧବ ହିକକା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର (MoRD) ନିର୍ଦ୍ଦେଶିକା ରୀନା ନାଗର, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଜାମିନୀ ଷଡଙ୍ଗୀ ଏବଂ ରାୟଗଡ଼ା ଜିଲ୍ଲାପାଳ କୁଲକର୍ଣ୍ଣି ଆଶୁତୋଷ ପ୍ରମୁଖ ଉପସ୍ଥିତ ଥିଲେ ।