ଭୁବନେଶ୍ୱର, ୩୧।୧୨: ‘ମୁଁ ଫକୀର ମୋହନ ସେନାପତି । ଓଡିଆ ସାହିତ୍ୟର ବ୍ୟାସକବି । ମୁଁ ସେହି ପ୍ରଥମ ବ୍ୟକ୍ତି ଯିଏ ଓଡ଼ିଆ ଭାଷାରେ ନିଜ ଆତ୍ମକଥା ଲେଖିଥିଲି । ଯେଉଁ ସମୟରେ ଓଡିଆ ଭାଷାକୁ ପରିଚୟ ମିଳିନଥିଲା, ସେହି ସମୟରେ ମୁଁ ଓଡ଼ିଆ ଭାଷା ଉପରେ କାମ କରିଥିଲି । ହେଲେ ଓଡ଼ିଶାବାସୀ ମୋ ଗଳ୍ପ ପଢ଼ୁଛନ୍ତି, ମୋ ସ୍ୱର ଶୁଣିନଥିଲେ । କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମାଧ୍ୟମରେ ମୁଁ ସୃଷ୍ଟି ହୋଇଛି । ଏଥରକ ରାଜ୍ୟବାସୀଙ୍କୁ ମୋ କାହାଣୀ କହିବି’... । ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ବ୍ୟାସକବି ଫକୀରମୋହନ ଏହା କହୁଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ, ଏଆଇ ମାଧ୍ୟମରେ ପ୍ରଥମ ଥର ବ୍ୟାସକବିଙ୍କୁ ସୃଷ୍ଟି କରାଯାଇଛି । ଯାହାର ପ୍ରଚ୍ଛଦ ପଟରେ ରହିଛନ୍ତି ବିଶିଷ୍ଟ ଜଉ କଣ୍ଢେଇ ଶିଳ୍ପୀ କେଶୁ ଦାସ ଓ ଯୁବ ଶିଳ୍ପୀ ଆୟୁଷ୍ମାନ ଯାଦବ । ସୋସିଆଲ ମିଡିଆରେ ଏଆଇ ବ୍ୟାସକବିଙ୍କୁ ଦେଖିବାକୁ ଆଗ୍ରହ ରଖିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । 

ଗତ ମାସେ ତଳେ ଏଆଇରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅବିକଳ ମୁହଁ ଦିଶୁଥିବା ଏକ ଆକୃତି ସୃଷ୍ଟି କରାଯାଇଥିଲା । ଯାହାକୁ ତିଆରି କରିଥିଲେ ଆୟୁଷ୍ମାନ । ଆୟୁଷ୍ମାନଙ୍କ ସାଥ୍‌ ଦେଇଥିଲେ ଶିଳ୍ପୀ ଶ୍ରୀ ଦାସ । ବ୍ୟାସକବି କ’ଣ କହିବେ ଶ୍ରୀ ଦାସ ତାର ସ୍କ୍ରିପ୍ଟ ଲେଖିଥିବା ବେଳେ ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଉଛନ୍ତି । ଆୟୁଷ୍ମାନ ଭିଡିଓ ଏଡିଟିଂ କରୁଛନ୍ତି । ପ୍ରାରମ୍ଭରେ ହିନ୍ଦୀ ଭାଷାରେ ଏଆଇ ବ୍ୟାସକବିଙ୍କ ସ୍ୱର ରଖାଯାଇଛି । ଗତ ୨୫ ତାରିଖରେ ପ୍ରଥମ କରି ଏଆଇ ବ୍ୟାସକବି ଗାଉଥିବା ‘କେନେ କିସ ଜିଲ୍ଲାର ଛୁଆ ଆମେରେ’ ଗୀତର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା । ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । ଗତ ଦୁଇଦିନ ତଳେ ଏଆଇ ବ୍ୟାସକବିଙ୍କ ଆଉ ଏକ ଭିଡିଓ ଜାରି ହୋଇଛି । ଯେଉଁଥିରେ ସେ ନିଜ ବିଷୟରେ କହୁଛନ୍ତି । ଏହା ହିନ୍ଦୀ ଭାଷାରେ ନିର୍ମିତ ହୋଇଥିବା ବେଳେ ସାରା ଭାରତରେ ଏହାର ପ୍ରଚାରପ୍ରସାର ହେବ ବୋଲି ଶିଳ୍ପୀ ଶ୍ରୀ ଦାସ କହିଛନ୍ତି ।

ସେ ଆହୁରି କହିଛନ୍ତି, ବ୍ୟାସକବି ଫକୀରମୋହନ ଜଣେ ବିଶାଳ ବ୍ୟକ୍ତିତ୍ୱ । ସେ ଓଡ଼ିଆ ଜାତିର ପ୍ରାଣ । ତାଙ୍କ ବିଷୟରେ ଜାଣିବା ପାଇଁ ଏହି ଏଆଇ ଭିଡିଓ ବେଶ୍‌ ଉପାଦେୟ ହେବ । ଏବେ ପ୍ରାରମ୍ଭିକ କାମ ଚାଲିଛି । ଆଗକୁ ତାଙ୍କ ଜୀବନୀ ଉପରେ ସିରିଜ୍‌ ଏପିସୋଡ୍‌ ତିଆରି ହେବ । ଯାହାର ଅବଧି ପ୍ରାୟ ୧ ମିନିଟ୍‌ ରହିବ । କେବଳ ସେତିକିନୁହେଁ, ବ୍ୟାସକବିଙ୍କ ରଚିତ ‘ରେବତୀ’, ‘ରାଣ୍ଡିପୁଅ ଅନନ୍ତା’ ‘ମାମୁ’, ‘ଛମାଣ ଆଠଗୁଣ୍ଠ’ ଭଳି କାଳଜୟୀ ଗଳ୍ପ ଓ ଉପନ୍ୟାସ ସମ୍ପର୍କିତ ବାର୍ତ୍ତା ମଧ୍ୟ ଦିଆଯିବ । ଏବେ ହିନ୍ଦୀ ଭାଷାରେ ଭିଡିଓ ଆସୁଥିବା ବେଳେ ଆଗକୁ ଓଡିଆ, ସାନ୍ତାଳୀ ଓ ଅନ୍ୟ ପ୍ରାନ୍ତୀୟ ଭାଷାରେ ଏଆଇ ବ୍ୟାସକବିଙ୍କ ଭିଡିଓ ସଭିଙ୍କ ପାଖରେ ପହଞ୍ଚିବ ବୋଲି ଶିଳ୍ପୀ ଶ୍ରୀ ଦାସ କହିଛନ୍ତି । ଶିଳ୍ପୀଦ୍ୱୟଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରାଯାଇଛି । ପ୍ରକାଶଥାଉକି, ଏଆଇରେ ବରପୁତ୍ରଙ୍କ ସୃଷ୍ଟି କରିବା କୌଣସି ନୂଆ କଥା ନୁହେଁ, ଏହା ପୂର୍ବରୁ ଏଆଇ ମାଧ୍ୟମରେ ଜାତିର ପିତା ମହାତ୍ମା ଗାନ୍ଧି, ସୁଭାଷ ଚନ୍ଦ୍ର ବୋଷ, ଜବାହରଲାଲ ନେହରୁଙ୍କ ଭଳି ବରପୁତ୍ର ସୃଷ୍ଟି କରାଯାଇଛି । ତେବେ ବରପୁତ୍ରଙ୍କ ଭିଡିଓକୁ ନେଇ ଫାଇଦା ଉଠାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।