ନୂଆଦିଲ୍ଲୀ ୦୪/୦୭: ପିଠି ଯନ୍ତ୍ରଣା ଏକ ଗରୁତର ସମସ୍ୟା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିକଶିତ  ଦେଶମାନଙ୍କରେ ୬୦ରୁ ୭୦ ପ୍ରତିଶତ ଲୋକେ ଏହି ସମସ୍ୟାର ସମ୍ମୁଖୀନ  ହୋଇଥାନ୍ତି । ଜାଣନ୍ତି କି? ସପ୍ତାହରେ ମାତ୍ର ଦୁଇଘଣ୍ଟା ଚାଲିବା ଦ୍ୱାରା ପିଠିର  ଯନ୍ତ୍ରଣା କମ୍‌ କରାଯାଇପାରିବ । ଅସ୍ୱାଭାବିକ ଜୀବନଶୈଳୀ ଏବଂ ଅନୁପଯୁକ୍ତ  ବସିବା ଶୈଳୀ ଯୋଗୁଁ ହାଡ଼ ଏବଂ ମାଂସପେଶୀରେ ଆର୍ଥ୍ରାଇଟିସ୍‌ ଭଳି ଗୁରୁତର  ସମସ୍ୟା ଦେଖାଦେଇଥାଏ । ପରେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଔଷଧ,  ଫିଜିଓଥେରାପି ଏବଂ ଅସ୍ତ୍ରୋପଚାର ପଦ୍ଧତିକୁ ଅନୁସରଣ କରାଯାଇଥାଏ ।  ଶରୀରରେ ସବୁଠାରୁ କମ୍‌ ଚାପ ପକାଉଥିବା ବ୍ୟାୟାମ ହେଉଛି ଚାଲିବା, ଯାହାକୁ  ସମସ୍ତେ ନିୟମିତ ଜୀବନଚର୍ଯ୍ୟାରେ ଅନ୍ତର୍ଭୁକ୍ତ କରିପାରିବେ । କେବଳ ଚାଲିବା  ଦ୍ୱାରା ଶରୀରର ବହୁ ସମସ୍ୟାର ସମାଧାନ ହୋଇଥାଏ । 

ବଢେ ରକ୍ତ ସଂଚାଳନ

ଚାଲିବା ଦ୍ୱାରା ଶରୀରରେ  ବଢିଥାଏ ରକ୍ତ ସଂଚାଳନ । ‘ଜର୍ଣ୍ଣାଲ ଅଫ ଏକ୍ସରସାଇଜ ରିହାବିଲେସନର  ପ୍ରକାଶିତ ଏକ ଅଧ୍ୟୟନରୁ  ଜଣାପଡ଼ିଛି ଯେ ଚାଲିବା  ଦ୍ୱାରା ମେରୁଦଣ୍ଡରେ ଅମ୍ଳଜାନ  ଏବଂ ପୋଷକତତ୍ତ୍ୱର ମାତ୍ରା  ବଢ଼ିଥାଏ, ଯାହା ମେରୁଦଣ୍ଡର  ପୁର୍ନଗଠନ କରିବା ସହ ନଷ୍ଟ  ହୋଇଥିବା ଜୀବକୋଷକୁ  ପୁନଶ୍ଚ କାର୍ଯ୍ୟକ୍ଷମ କରିବାରେ  ସହାୟକ ହୋଇଥାଏ । 

ଶକ୍ତ ହୁଏ ମାଂସପେଶୀ  

ହାର୍ଭାର୍ଡ ମେଡ଼ିକାଲ ସ୍କୁଲର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଚାଲିବା ଦ୍ୱାରା ଶରୀରର ମାଂସପେଶୀ ଶକ୍ତ ହେବା ସହ ମେରୁଦଣ୍ଡ ମଜଭୁତ ହୋଇଥାଏ । ଫଳରେ ପିଠିରେ କମ୍‌ ଯନ୍ତ୍ରଣା ଅନୁଭୂତ ହୋଇଥାଏ । 

ମାନସିକ ଯନ୍ତ୍ରଣା ହ୍ରାସ

 ପିଠି ଯନ୍ତ୍ରଣାର ମୂଳ କାରଣ ହେଉଛି ଚିନ୍ତା ଓ ଚାପଗ୍ରସ୍ତ ଜୀବନ । ଚାଲିବା ଦ୍ୱାରା  ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ, ଫଳରେ ଚିନ୍ତା ଦୂର ହୋଇ  ମାନସିକ ସ୍ଥିତିରେ ସୁଧାର ଆସିଥାଏ । ଆମେରିକାନ୍‌ ଜର୍ଣ୍ଣାଲ୍‌ର ପ୍ରିଭେନ୍‌ଟିଭ୍‌  ମେଡିସିନର ଏକ ଅଧ୍ୟୟନରୁ ଜଣାପଡିଛି ଦିନକୁ ୩୦ ମିନିଟ୍‌ ଏବଂ ସପ୍ତାହକୁ ୫  ଦିନ ଚାଲିବା ଦ୍ୱାରା ଆପଣଙ୍କ ମାନସିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଥାଏ । 

ଯନ୍ତ୍ରଣାକୁ କମାଏ 

ଜର୍ଣ୍ଣାଲ୍‌ ଅଫ୍‌ କ୍ଲିନିକାଲ୍‌ ରିହାବିଲେସନର ଏକ ସର୍ଭେ ଅନୁଯାୟୀ ଯେଉଁ ବ୍ୟକ୍ତି  ସପ୍ତାହରେ ମାତ୍ର ୧ ଘଣ୍ଟା ଚାଲୁଥିଲେ, ତାଙ୍କ ପିଠି ଯନ୍ତ୍ରଣା କମ୍‌ ରହିଥିଲା ଅପେକ୍ଷାକୃତ  ଚାଲୁ ନଥିବା ବ୍ୟକ୍ତିଙ୍କ ତୁଳନାରେ । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଚାଲିବା  ଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳିଥାଏ । ଯଦି ଆପଣ ନୂଆ ଚାଲିବା ଆରମ୍ଭ କରୁଥାନ୍ତି,  ତେବେ ପ୍ରଥମେ ୧୦ ରୁ ୨୦ ମିନିଟି ଚାଲନ୍ତୁ । ପରେ ଧୀରେ ଧୀରେ ସମୟକୁ କ୍ରମଶଃ  ୨ ଘଣ୍ଟା ଯାଏ ବଢାଇପାରିବେ । ଚାଲିବା ସମୟରେ ଗୋଇଠି ଓ ପିଠିରେ ଅଧିକ ଚାପ  ନ ପଡିବା ପାଇଁ ଉଚ୍ଚମାନର ଜୋତା ବ୍ୟବହାର କରିବା ଉଚିତ୍‌ । ସେହିପରି ଚାଲିବା  ଓ ଠିଆ ହେବା ସମୟରେ ଉପଯୁକ୍ତ ଶୈଳୀର ଅନୁକରଣ କରନ୍ତୁ ।