​​​​​​​ଫିରିଙ୍ଗିଆ, ୨୭।୧୦ :  କୋମଳମତି ଶିଶୁଙ୍କ ପାଇଁ ପାଠ ପଢିବା, ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ଅନ୍ୟାନ୍ୟ ସୁବିଧା ପାଇଁ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରା ଯାଉଛି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ କେଉଁଠି ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି ଗୃହ ନଥିବାରୁ ମଣ୍ଡପରେ କିମ୍ବା ଭଡା ଘରେ ପାଠ ପଢା ହେଉଛି ତ କେଉଁଠି ପାଣି ନଥିବାରୁ କୋମଳ ମତି ଅଙ୍ଗନବାଡିର ଛାତ୍ରଛାତ୍ରୀ ବିଲ ମଝିରେ ଥିବା ଚୁଆ ପାଣିକୁ ବର୍ଷ ତମାମ ପିଉଥିବା ଦେଖିବାକୁ ମିଳୁଛି l ଏମିତି ଏକ ଅଙ୍ଗନବାଡି କେନ୍ଦ୍ର ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ପକାରୀ ପଞ୍ଚାୟତର ଜିଣିଙ୍ଗପଡ଼ା ଅଙ୍ଗନବାଡି କେନ୍ଦ୍ରରେ l

ଏହି ଅଙ୍ଗନବାଡି କେନ୍ଦ୍ର ଗୃହ ନଥିବାରୁ ଦୀର୍ଘ ବର୍ଷ ଧରି ଗାଁ ମଣ୍ଡପରେ  ଅଙ୍ଗନବାଡି କେନ୍ଦ୍ରର କୋମଳ ମତି ଶିଶୁ ମାନେ ପାଠ ପଢୁଥିଲେ ବାରମ୍ବାର ଲିଖିତ ଅଭିଯୋଗ ପରେ ପ୍ରଶାସନ ତରଫରୁ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ହୋଇଛି l ଗୃହ ନିର୍ମାଣ ସହ ଘର ଉପରେ ଏକ ବିରାଟ ପାଣି ଟାଙ୍କି ମଧ୍ୟ ରଖା ଯାଇଛି ଶୌଚାଳୟ ବ୍ୟବସ୍ଥା ସହ ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ପାଇଁ ଓ୍ବାରିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ବୈଦ୍ୟୁତିକ ସରଞ୍ଜାମ ସହ  ଏଲଇଡି ଟିଭି ପିଲାଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ହେଲେ ଗୃହ ନିର୍ମାଣରେ ଦୀର୍ଘ ବର୍ଷ ପରେ ବି ବିଦ୍ୟୁତ ସଂଯୋଗ ନ ହୋଇ ସବୁ ଜିନିଷ ପଡ଼ି ରହି ନଷ୍ଟ ହେବାକୁ ବସିଛି l

ଗ୍ରାମବାସୀ ଏବଂ ଅଙ୍ଗନବାଡି କେନ୍ଦ୍ର ତରଫରୁ ବିଦ୍ୟୁତ ସଂଯୋଗ ପାଇଁ ଟଙ୍କା ଡିପୋଜିଟ କରିଥିଲେ ମଧ୍ୟ ବିଦ୍ୟୁତ ବିଭାଗୀୟ ଅଧିକାରୀ ବିଦ୍ୟୁତ ସଂଯୋଗ କରି ନାହାନ୍ତି l ସମସ୍ତ ବ୍ୟବସ୍ଥା ଥିଲେ ମଧ୍ୟ ଅଙ୍ଗନବାଡି କେନ୍ଦ୍ରରେ ପିଇବା ପାଣି ନଥିବାରୁ କୋମଳ ମତି ଶିଶୁ ମାନେ ଅଙ୍ଗନବାଡି କେନ୍ଦ୍ର ଠାରୁ ଦୂରରେ  ବିଲ ମଝିରେ ଥିବା ଚୁଆ ପାଣି ପ୍ରତିଦିନ ପିଉଥିବା ଦେଖିବାକୁ ମିଳିଛି l ଅଙ୍ଗନବାଡି କେନ୍ଦ୍ରରେ ୨୦ ଜଣ ପିଲା ଅଛନ୍ତି ଅଙ୍ଗନବାଡି କର୍ମୀ ରଇବାରୀ କହଁର ଓ ସହାୟିକା ନମିତା ମଲିକ ଅଛନ୍ତି 0୧୩ ମସିହାରୁ ଏହି ଅଙ୍ଗନବାଡି କେନ୍ଦ୍ର ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପିଇବା ପାଣି ର ବ୍ୟବସ୍ଥା ହୋଇ ପାରି ନାହିଁ ତେଣୁ ଅସୁବିଧା କୁ ଦୃଷ୍ଟି ଦେଇ ଏହି ଅଙ୍ଗନବାଡି କେନ୍ଦ୍ରରେ ପିଇବା ପାଣି ବ୍ୟବସ୍ଥା କରିବା ସହ ବିଦ୍ୟୁତ ସଂଯୋଗ କରିବାକୁ ଜିଣିଙ୍ଗପଡ଼ା ଗ୍ରାମବାସୀ ଦାବୀ କରିଛନ୍ତି l