ଭୁବନେଶ୍ୱର, ୨୬/୧୦: ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ଓଡ଼ିଶାରେ ମାଡ଼ ହେବନି । ରାଜ୍ୟରେ ବଡ଼ ଧରଣର କ୍ଷତି ପହଞ୍ଚାଇବ ନାହିଁ । ତଥାପି ଦକ୍ଷିଣ ଓ ଉପକୂଳ ଓଡ଼ିଶାକୁ ବେଶି ପ୍ରଭାବିତ କରିବ । ୨୭ରୁ ରାଜ୍ୟରେବର୍ଷା ବଢ଼ିବ । ୨୮ ଓ ୨୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଢାଳିବା ଆଶଙ୍କା ଅଛି । ପବନ ବହିବ ୬୦-୮୦ କିଲୋମିଟର ବେଗରେ । ୩୦ରୁ ପାଗ କ୍ରମଶଃ ବଦଳିବ ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ ଅନୁସାରେ, ବାତ୍ୟା ଘନୀଭୂତ ହୋଇ ଭୀଷଣ ବାତ୍ୟା ରୂପ ନେବ । ଅର୍ଥାତ ୯୦ରୁ ୧୧୦ କିଲୋମିଟର ବେଗରେ ମାଡ଼ ହେବ ପବନ । ଆସନ୍ତା ୨୮ ତାରିଖ (ମଙ୍ଗଳବାର) ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ । ମଛଲିପଟନମରୁ କଳିଙ୍ଗପାଟନମ ମଧ୍ୟରେ କାକିନାଡ଼ାର ସାମାନ୍ୟ ଉତ୍ତରରେ ସ୍ଥଳଭାଗରେ ମାଡ଼ (ଲ୍ୟାଣ୍ଡଫଲ୍) ହେବ । ସେତେବେଳେ ସେଠାରେ ପବନ ବହୁଥିବ ୯୦ରୁ ୧୦୦ କିମି ବେଗରେ । ପବନ ଝଟକା ୧୧୦ କିମି ପର୍ଯ୍ୟନ୍ତ ଯାଇପାରେ । ମାଲକାନଗରି ଓ କୋରାପୁଟ ସୀମାରୁ କାକିନାଡ଼ା ପ୍ରାୟ ୨୦୦ କିଲୋମିଟର ଦକ୍ଷିଣ ପୂର୍ବରେ ରହିଛି । ୨୮ ରାତିରେ ଆନ୍ଧ୍ର ଅତିକ୍ରମ କରିବା ପରେ ୨୯ ତାରିଖ ସକାଳେ ମାଲକାନଗିରି ଜିଲ୍ଲା ଦେଇ ଓଡ଼ିଶାକୁ ପ୍ରବେଶ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେତେବେଳକୁ ପବନର ବେଗ ୬୦ରୁ ୮୦ କିଲୋମିଟର ଏବଂ ଧକ୍କା ୯୦ କିଲୋମିଟର ରହିପାରେ ବୋଲି ଆଇଏମ୍ଡି ହିସାବ ଦେଇଛି ।
ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ସ୍ଥିତି ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା । ପ୍ରଭାବିତ ହେବାକୁ ଥିବା ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମନ୍ତ୍ରୀ ଶ୍ରୀ ପୂଜାରୀ ଓ ଏସଆରସି ଦେଓ ରଞ୍ଜନ ସିଂ ଆଲୋଚନା କରିଛନ୍ତି । ଇତିମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇସାରିଛି । ଆଜି ଆହୁରି ଘନୀଭୂତ ହୋଇ ଅବପାତ ରୂପ ନେବ ବୋଲି ଆକଳନ କରାଯାଇଛି।
ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧ ହଜାର କିମି ଓ ବିଶାଖାପାଟଣାର ଦକ୍ଷିଣ-ପୂର୍ବରେ ୯୨୦ କିମି ଦୂରରେ ଥିଲା । ଘଣ୍ଟା ପ୍ରତି ୧୦ କିମି ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ମୁହାଁଇଥିଲା । ୨୬ ତାରିଖରେ ଗଭୀର ଅବପାତ ଓ ୨୭ ସକାଳେ ବାତ୍ୟା ରୂପ ନେବ । ଏହାପରେ ଦିଗ ବଦଳାଇ ଉତ୍ତର- ପଶ୍ଚିମରେ ଗତି କରିବ । ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବ । ୨୮ ତାରିଖ ସକାଳକୁ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ଅଛି । ସମ୍ଭାବ୍ୟ ବାତ୍ୟାର ବାହ୍ୟମଣ୍ଡଳରେ ଆନ୍ଧ୍ର ସଂଲଗ୍ନ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ରହୁଥିବାରୁ ସେଠାରେ ଅଧିକ ପ୍ରଭାବ ପଡ଼ିବ ।
ରବିବାର (୨୬ ତାରିଖ) ଓଡ଼ିଶାରେ ବଡ଼ ବର୍ଷା ସମ୍ଭାବନା କମ୍ । କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୭ରୁ ବର୍ଷା ପରିମାଣ ବଢ଼ିବ । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୨୭ରେ ପବନ ବେଗ ଦକ୍ଷିଣ ଓଡ଼ିଶାରେ ୩୦- ୪୦ କିମି ରହିପାରେ ।
୨୮ରୁ ନିର୍ଧୁମ ବର୍ଷା ଢାଳିପାରେ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ପବନ ୬୦ରୁ ୭୦ କିମି ଏବଂ ପବନ ଝଟକା ୮୦ କିମି ପର୍ଯ୍ୟନ୍ତ ଯାଇପାରେ । ଏହି ଜିଲ୍ଲାଗୁଡ଼ିକ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ସହ ୫୦-୬୦ କିମି ପବନ ଏବଂ ପବନ ଝଟକା ୭୦ କିମି ପର୍ଯ୍ୟନ୍ତ ରହିପାରେ । ଏସବୁ ଜିଲ୍ଲା ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ସମେତ ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ ୪୦-୫୦ କିମି ଆଶଙ୍କା ଅଛି । ପବନ ଝଟକା ୬୦ କିମି ପର୍ଯ୍ୟନ୍ତ ଯାଇପାରେ ।
୨୯ ତାରିଖରେ ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇପାରେ । ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୬୦-୭୦ କିମି ବେଗରେ ପବନ ଓ ମଝିରେ ମଝିରେ ୮୦ କିମି ପର୍ଯ୍ୟନ୍ତ ପବନ ଝଟକା ରହିପାରେ । ବଲାଙ୍ଗୀର, ନୂଆପଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଓ ୫୦ରୁ ୬୦ କିମି ପବନ ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପବନ ଝଟକା ଘଣ୍ଟା ପ୍ରତି ୭୦ କିମି ପର୍ଯ୍ୟନ୍ତ ରହିପାରେ । ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ସୋନପୁର, ବରଗଡ଼ର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ସମେତ ଯାଜପୁର ଓ କେନ୍ଦ୍ରାପଡ଼ାରେ ପବନ ବେଗ ୪୦- ୫୦ କିମି ଏବଂ ଝଟକା ୬୦ କିମି ରହିପାରେ ।
୩୦ରେ ବର୍ଷା ପରିମାଣ କମିଯିବ । ତଥାପି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝରର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ପବନ ପ୍ରକୋପ ରହିବନି । ୩୧ ତାରିଖରେ ଅଳ୍ପ କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ସ୍ଥିତି ମୁକାବିଲା ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ଟିମକୁ ସଜାଗ ରଖାଯାଇଛି । କୃଷି, ଜଳସମ୍ପଦ, ଶକ୍ତି, ପ୍ରାଣୀ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ସମବାୟ, ନଗର ଉନ୍ନୟନ ସହ ସମନ୍ୱୟ ରଖାଯାଇଛି । ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ସହ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ । ଭୂସ୍ଖଳନ ଓ ସହରୀ ବନ୍ୟା ସ୍ଥିତି ମୁକାବିଲା ନେଇ ମଧ୍ୟ ସତର୍କତା ପଦକ୍ଷେପ ନିଆଯାଉଛି । ସରକାର ସବୁ ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । କେହି ଆତଙ୍କିତ ହୁଅନ୍ତୁ ନାହିଁ ।