ଭୁବନେଶ୍ୱର,୦୯/୧୨: ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ଶୀତ ଲହରି ବହିପାରେ । ଅସମ୍ଭାଳ ଜାଡ଼ ସାଙ୍ଗକୁ କାଲୁଆ ପବନ ମାଡ଼ ଛଟପଟ କରିବ । ପାଣିପାଗ ବିଭାଗ (ଆଇଏମ୍‌ଡି ) ଏହି ଆକଳନ କରିଛି । ୧୩ ତାରିଖରୁ ରାଜ୍ୟରେ ଶୀତ ସାମାନ୍ୟ କମିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

୯ ତାରିଖ (ମଙ୍ଗଳବାର) ସୁନ୍ଦରଗଡ଼, ଅନୁଗୁଳ ଓ ଝାରସୁଗୁଡ଼ାରେ ଶୀତ ଲହରୀ ବହିପାରେ । ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ବି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ଲଗାତର ଦ୍ୱିତୀୟ ଦିନ ପାଇଁ ଜି.ଉଦୟଗିରିର ରାତି ତାପମାତ୍ରା ୫ ଡିଗ୍ରୀ ତଳେ ରହିଛି ।

ରବିବାର ରାତିରେ ଏଠାରେ ୪.୩ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୧.୯ ଓ କଟକରେ ରାତି ତାପମାତ୍ରା ୧୧.୮ ଡିଗ୍ରୀ ରହିଥିଲା । ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୦ ତାରିଖ ଯାଏ ଶୀତ ଜାରି ରହିବ । ଉତ୍ତର ଆଭ୍ୟନ୍ତର (ସୁନ୍ଦରଗଡ଼ ଓ ଝାରସୁଗୁଡ଼ା) ଓ ପଶ୍ଚିମ ଓଡ଼ିଶା (ସମ୍ବଲପୁରରୁ ନବରଙ୍ଗପୁର) ଓ ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । ୨୧ ତାରିଖ ପରେ ରାତି ତାପମାତ୍ରା କିଛି ବଢ଼ିପାରେ । ବାଲେଶ୍ୱରରୁ ଗଞ୍ଜାମ ଯାଏ ଉପକୂଳ ଜିଲ୍ଲା ଓ ସଂଲଗ୍ନ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ ଗଜପତି ଜିଲ୍ଲାରେ ୧୧ ତାରିଖ ରାତିରେ ଶୀତ ବଢ଼ିପାରେ ।