ଭୁବନେଶ୍ୱର ୨୨/୦୯: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ନେଲା ଲଘୁଚାପ ରୂପ। ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଆସନ୍ତା ୨୫ ତାରିଖ ପାଖାପାଖି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ୨୬ ଅବପାତରେ ପରିଣତ ହେବାର ଆକଳନ କରାଯାଇଛି ।
ଲଘୁଚାପ ପ୍ରଭାବରେ ସୋମବାର କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।
ଓଡ଼ିଶା ଉପରେ ପାଣିପାଗର ସ୍ଥିତି#Odisha #weatheralert pic.twitter.com/9lb4kUeEAB
— Meteorological Centre, Bhubaneswar (@mcbbsr) September 22, 2025
୨୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ଏହା ପ୍ରଭାବରେ ୨୭ ତାରିଖ ଯାଏ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୨୩ ଓ ୨୪ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୫ରୁ ୨୭ ଯାଏ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।
ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୪ ବା ୨୫ ତାରିଖରେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ ।୨୬ରେ ଏହା ଗୋପାଳପୁର ଓ ବିଶାଖପାଟଣା ମଝିରେ ଉପକୂଳ ଛୁଇଁବ । ଏହା ଅବପାତ ରୂପ ନେବ । ରାଜ୍ୟରେ ୨୩ ତାରିଖ ଯାଏ ବର୍ଷା ଲାଗି ରହିବ । ୨୪ରୁ ବର୍ଷା ବଢ଼ିବ । ୨୫ରୁ ଭାରୀ ବର୍ଷା ହେବ । ଜିଏଫ୍ଏସ୍ ମଡେଲ ଆକଳନ କହୁଛି, ଚାଇନା ସାଗରରେ ଏକ ଲଘୁଚାପ ହୋଇଛି । ଏହା ଗଭୀର ଅବପାତ ରୂପ ନେବ । ୩୦ରେ ଏହାର କିଛି ଅଂଶବିଶେଷ ମିଆଁମାରରେ ପହଞ୍ଜି ଓଡ଼ିଶା ଉପକୂଳକୁ ମୁହାଁଇବ । କିନ୍ତୁ ଅନ୍ୟ ମଡେଲ ଏହି ପୂର୍ବାନୁମାନ କରିନାହାନ୍ତି । ୨୬ ବା ୨୭ରେ ବାତ୍ୟା ସ୍ଥିତି ସୃଷ୍ଟି ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଇଏମଡି ବୁଲେଟିନ୍ରେ ଆକଳନ କରିଛି । କିନ୍ତୁ ୨୪ ଓ ୨୫ ତାରିଖ ବେଳକୁ ଏହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।