ଭୁବନେଶ୍ୱର,୨୩/୦୯: ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ  ଅଞ୍ଚଳରେ ସୋମବାର ଲଘୁଚାପ ସୃଷ୍ଟି  ହୋଇଛି । ଆସନ୍ତା ୨୪ ଘଣ୍ଟାରେ  ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ମୁହାଇଁବ । ଏହା ପ୍ରଭାବରେ ମଙ୍ଗଳବାର ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

୨୩ ତାରିଖ(ମଙ୍ଗଳବାର) ସୁନ୍ଦରଗଡ଼  ଓ ସମ୍ବଲପୁରର କିଛି ସ୍ଥାନରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ । ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ,ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ, ସୋନପୁର, ମାଲକାନଗିରି, କୋରାପୁଟ,  ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳ  ବର୍ଷା ସମ୍ଭାବନା ଅଛି । ୨୪ ତାରିଖ  (ବୁଧବାର) ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ଆଶଙ୍କା ଅଛି ।  

​​​​​​​

୨୫ରେ କୋରାପୁଟ ଓ ମାଲକାନଗିରିରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର  ବିଭିନ୍ନ ସ୍ଥାନରେ ବି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨୫ ତାରିଖରେ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ ।  

ସୋମବାର କୋରାପୁଟରେ ସର୍ବାଧିକ  ୮୦.୮ ମିମି ବର୍ଷା ହୋଇଛି । ସମ୍ବଲପୁରରେ  ୩୯.୨, ଟିଟିଲାଗଡ଼ରେ ୩୯, ଭଦ୍ରକରେ  ୩୭, ବଲାଙ୍ଗୀରରେ ୨୪, ବୌଦ୍ଧରେ  ୨୦, ଅନୁଗୁଳରେ ୧୫, ମାଲକାନଗିରିରେ ୧୪.୬, ନୂଆପଡ଼ାରେ ୧୨ ଓ ବରଗଡ଼ରେ ୧୦ ମିମି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।