ଭୁବନେଶ୍ୱର,୨୯/୦୯: ମଙ୍ଗଳବାର ଯାଏ ପାଗ ଶୁଖିଲା ରହିବ ।  ଏହା ପରଠାରୁ ଆରମ୍ଭ ହୋଇଯିବ  ବର୍ଷା । ଅକ୍ଟୋବର ୧ ତାରିଖରେ  ଉତ୍ତର ଓଡ଼ିଶା ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି  ହେବ । ଏହା ପ୍ରଭାବରେ ଦକ୍ଷିଣ  ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ୨ ତାରିଖରେ ଦକ୍ଷିଣ  ଓଡ଼ିଶା ସମେତ ଉପକୂଳ ଓଡ଼ିଶା  ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ  ଅଧିକ ବର୍ଷା ହୋଇପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

୧ ତାରିଖରେ ମାଲକାନଗିରି,  କୋରାପୁଟ, ରାୟଗଡ଼ା, ଗଜପତି ଓ  ଗଞ୍ଜାମରେ ଅଧିକ ବର୍ଷା ହୋଇପାରେ ।  ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ  ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା  ସମ୍ଭାବନା ଅଛି। ୨ ତାରିଖରେ  କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା,  କୋରାପୁଟ, ମାଲକାନଗିରି, ଗଞ୍ଜାମ,  ଗଜପତି, କଟକ, ମୟୂରଭଞ୍ଜ,  କେନ୍ଦୁଝର, ନୟାଗଡ଼, ଖୋର୍ଦ୍ଧା ଓ  ପୁରୀରେ ଅଧିକ ବର୍ଷା ହୋଇପାରେ ।  ୩ରେ ନବରଙ୍ଗପୁର, ନୂଆପଡ଼ା,  ବଲାଙ୍ଗିର, କଳାହାଣ୍ଡି ଓ ବରଗଡ଼ରେ  ଅଧିକ ବର୍ଷା ହୋଇପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବରିଷ୍ଠ କୃଷି ପାଣିପାଗ  ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକ ଆକଳନ କରି  କହିଛନ୍ତି, ୩୦ ତାରିଖରେ କେନ୍ଦ୍ରୀୟ  ବଙ୍ଗୋପସାଗରରେ ଲଘୁଚାପ ହେବ ।  ୨ ତାରିଖ ସୁଦ୍ଧା ଏହା ଅବପାତ ରୂପ  ନେବ । ପରେ ଏହା ଦକ୍ଷିଣ ଓଡ଼ିଶା  ଉପକୂଳକୁ ମୁହାଁଇବ । କିନ୍ତୁ ଏହା  ଉପକୂଳରୁ ଦୂରରେ ରହିବ । ୩  ତାରିଖରେ ଏହା ଦକ୍ଷିଣ ଓଡ଼ିଶା  ଉପକୂଳ ବା ସଂଲଗ୍ନ ଉତ୍ତର  ଆନ୍ଧ୍ର ଉପକୂଳ ସ୍ପର୍ଶ କରିପାରେ ।

୩୦ ତାରିଖରେ ପାଗ ଶୁଖିଲା  ରହିବ । ଅକ୍ଟୋବର ୧ ତାରିଖ ବା  ନବମୀରେ ଉତ୍ତର ଉପକୂଳରେ ବିକ୍ଷିପ୍ତ  ବର୍ଷା ହୋଇପାରେ । ପୁରୀ, ଗଞ୍ଜାମ,  ନୟାଗଡ଼ ଓ ଗଜପତିରେ ହାଲୁକାରୁ  ସ୍ୱଳ୍ପ ବର୍ଷା ହୋଇପାରେ । ଅକ୍ଟୋବର  ୨ ତାରିଖ ବା ଦଶମୀରେ ମଧ୍ୟାହ୍ନ  ଯାଏ ପୁରୀ ଓ ଗଞ୍ଜାମ ଜିଲ୍ଲା ସମେତ  ସମୁଦ୍ର ସଂଲଗ୍ନ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହୋଇପାରେ । ଦଶହରା ଦିନ ମଧ୍ୟାହ୍ନ  ପରେ ବର୍ଷା ବଢ଼ିବ । ୩ ତାରିଖରେ  ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ସେ ଚାଷୀଙ୍କୁ ପରାମର୍ଶ ଦେଇ  କହିଛନ୍ତି, ସଅଳ ଲାଗିଥିବା ଧାନ ଗଛର ଲିଙ୍ଗ ସଞ୍ଚାର ହୋଇଥିଲେ ଦ୍ୱିତୀୟ ଶୀର୍ଷ ସାର (ୟୁରିଆ)  ପ୍ରୟୋଗ କରନ୍ତୁ । ଠିକ୍‌ ସମୟରେ ଅନୁମୋଦିତ ସାର ନ ପକାଇଲେ କେଣ୍ଡାର ଧାନ ସଂଖ୍ୟା କମିଯିବ ।