ଭୁବନେଶ୍ୱର,୦୬/୦୮: ୬ ଓ ୭ ତାରିଖରେ ରାଜ୍ୟର କିଛି ସ୍ଥାନରେ ଅଧିକ  ବର୍ଷା ହୋଇପାରେ । ୬ରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ ।  ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା  ସମ୍ଭାବନା ଅଛି । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି । ୬ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ଭାରୀ ବର୍ଷା ହୋଇପାରେ ।  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼  ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । 

୭ ତାରିଖରେ  କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ମୟୂରଭଞ୍ଜରେ  ଭାରୀ ବର୍ଷା ହୋଇପାରେ । ୮ତାରିଖରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ  ବର୍ଷା ସମ୍ଭାବନା ଅଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ  ବର୍ଷା ହୋଇପାରେ । ୯ ତାରିଖରେ ବି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ  ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ ଅଛି ।  ଆସନ୍ତା ୧୩ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର  ପଶ୍ଚିମ ବଙ୍ଗୋପସାଗର ବା ଏହାର ଦକ୍ଷିଣରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ  ୨୪ରୁ ୪୮ ଘଣ୍ଟାରେ ଏହା ଲଘୁଚାପ ରୂପ  ନେବ । ଏହା ବର୍ଷା କରାଇବ । କେନ୍ଦ୍ରୀୟ  ଓଡ଼ିଶା ଓ ଦକ୍ଷିଣ ଉପକୂଳରେ ମଧ୍ୟମ  ପରିମାଣର ବର୍ଷା ହୋଇପାରେ । ପଶ୍ଚିମ  ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ  ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଅଛି ।