ଭୁବନେଶ୍ୱର,୧୫/୦୮: ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଆଗକୁ ଆଉ ୨ଟି  ଲଘୁଚାପ ଆସିପାରେ । ଗୋଟିଏ ୧୯ ତାରିଖବେଳକୁ ଓ ଅନ୍ୟଟି  ୨୭ ତାରିଖବେଳକୁ । ଏହି ଟ୍ରିପଲ୍‌ ଲଘୁଚାପ ପ୍ରଭାବରେ  ଓଡ଼ିଶାରେ ମୌସୁମୀର ନିଅଣ୍ଟିଆ ବର୍ଷା ଭରଣା ହୋଇପାରେ । 

ଲଘୁଚାପ ଓ ମୌସୁମୀ ଟ୍ରଫ୍‌ ପ୍ରଭାବରେ ରାଜ୍ୟରେ ଆସନ୍ତା  ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ରହିବ । ବିଶେଷ କରି ଦକ୍ଷିଣ  ଓଡ଼ିଶାରେ ଅଧିକରୁ ଅଧିକ ବର୍ଷା ହୋଇପାରେ । ଶୁକ୍ରବାର  ସ୍ୱାଧୀନତା ଦିବସରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ  ଗଜପତି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳ  ବର୍ଷା ସମ୍ଭାବନା ଅଛି । ଏହାବାଦ୍‌ ଅନେକ ଜିଲ୍ଲାରେ ଘଡ଼ଘଡ଼ି  ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ । ଶନିବାର ଦକ୍ଷିଣ  ଓଡ଼ିଶାର ଅନେକ ସ୍ଥାନ ଓ ଉତ୍ତରର ଅଳ୍ପ କିଛି ଜାଗାରେ ବର୍ଷା  ହେବ । କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା,  ଗଜପତି, କଳାହାଣ୍ଡି, ଗଞ୍ଜାମ ଓ କନ୍ଧମାଳରେ ପ୍ରବଳ ବର୍ଷା  ହୋଇପାରେ । କେତେକ ସ୍ଥାନରେ ଘଡ଼ଘଡ଼ି ସହ ଅସରାଏ ବର୍ଷା  ହୋଇପାରେ । ରବିବାର, ସୋମବାର ବି ଏଭଳି ପାଗ ସମ୍ଭାବନା  ଅଛି । ମଙ୍ଗଳବାରଠାରୁ ବର୍ଷା ପ୍ରକୋପ କମିବ ।  

ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ  ଆସନ୍ତା ୧୯ ତାରିଖବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରର  ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳରେ  ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ହୋଇପାରେ । ଏହା ଉତ୍ତର  ଓଡ଼ିଶା ଆଡ଼କୁ ଗତି କରିବା ସମ୍ଭାବନା ଅଛି । ସେହିପରି  ୨୭ ତାରିଖବେଳକୁ ଗାଙ୍ଗେୟ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା  ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି ।