ନୂଆଦିଲ୍ଲୀ,୧୮/୧୧: ନିଜ ପୁଅର ବାହାଘରକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ରାଜସ୍ଥାନ କୋଟାର ଏକ ଦମ୍ପତି ଏକ ନିଆରା କାମ କରିଛନ୍ତି । ସେମାନେ ରୁମାଲରେ ବିବାହର ନିମନ୍ତ୍ରଣକୁ ପ୍ରିଣ୍ଟ କରାଇଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କର ଏହି ଆଇଡିଆକୁ ପସନ୍ଦ କରୁଥିବାବେଳେ ସେହି ନିମନ୍ତ୍ରଣପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହେଉଛି ।
ସୂଚନା ଅନୁସାରେ, ମହେଶ ରାନିୱାଲ ଏବଂ ତାଙ୍କ ପତ୍ନୀ ମମତା କୋଟାର ଅକ୍ଷରଧାମ କଲୋନୀର ବାସିନ୍ଦା । ଚଳିତମାସ ୨୪ ତାରିଖରେ ସେମାନଙ୍କ ପୁଅ ତରୁଣର ବିବାହ ଅନୁଷ୍ଠିତ ହେବ । ମମତାଙ୍କ ଅନୁସାରେ, ବିବାହ ଭଳି ପବିତ୍ର ଉତ୍ସବରେ ନିମନ୍ତ୍ରଣ କାର୍ଡର ଅନେକ ଗୁରୁତ୍ୱ ରହିଥାଏ । ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବଙ୍କୁ ନିମନ୍ତ୍ରଣ କାର୍ଡ ଜରିଆରେ ହିଁ ବିବାହ ଉତ୍ସବକୁ ଆସିବାକୁ ଆମନ୍ତ୍ରିତ କରାଯାଇଥାଏ । ତେବେ ଦୁଃଖର କଥା ହେଲା ବିବାହ ସରିବା ପରେ ନିମନ୍ତ୍ରଣ କାର୍ଡକୁ ଅଧିକାଂଶ ସମୟରେ ଲୋକେ ରାସ୍ତାରେ ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଥାଏ । ସେଥିରେ ଦେବାଦେବୀଙ୍କ ଫଟୋ ଥିବାବେଳେ ତା’ ଉପରେ ଲୋକେ ଚଢ଼ି କରି ଯାଆନ୍ତି । ଏହି ଦୃଶ୍ୟ ତାଙ୍କୁ ଜମା ଭଲ ଲାଗେ ନାହିଁ । ତେଣୁ ନିଜ ପୁଅ ବାହାଘର ଲାଗି ଭିନ୍ନ ଢଙ୍ଗର ନିମନ୍ତ୍ରଣ ପତ୍ର କରିବାକୁ ସେମାନେ ଚାହୁଁଥିଲେ । ବହୁ ଚିନ୍ତା କରିବା ପରେ ଶେଷରେ ରୁମାଲରେ ନିମନ୍ତ୍ରଣ ପ୍ରିଣ୍ଟ କରିବାର ବିଚାର ସେମାନଙ୍କ ମନକୁ ଆସିଲା । ବିବାହ ପରେ ଅତିଥିମାନେ ସେହି ରୁମାଲକୁ ଫିଙ୍ଗି ନଦେଇ ପୁଣି ବ୍ୟବହାର କରିବେ ବୋଲି ସେମାନେ ଭାବିଲେ । ଏହାପରେ କୋଟାରେ ଏକ ପ୍ରିଣ୍ଟିଂ ପ୍ରେସ୍ରେ ତାକୁ ସ୍ୱତନ୍ତ୍ର ଭାବେ ଛପାଗଲା । ମହେଶଙ୍କ ଅନୁସାରେ, ରୁମାଲ ନିମନ୍ତ୍ରଣ କାର୍ଡ ଦେଖିବାକୁ ସାଧାରଣ ବିବାହ କାର୍ଡ ଭଳି । ତାର ଗୋଟିଏ ପଟରେ ବିବାହର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କିତ ବିବରଣୀ ରହିଛି । ଥରେ ଧୋଇଦେଲେ ରୁମାଲଟି ପୁଣି ବ୍ୟବହାର ଉପଯୋଗୀ ହୋଇପାରିବ ।