ନୂଆଦିଲ୍ଲୀ, ୨୭/୦୭: ପଶ୍ଚିମ ଏସିଆ ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ଭିଡିଓ କନ୍ଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ। ଏଥିରେ ଇରାନ ଯୁଦ୍ଧ ଯୋଗୁ ବିଗୁଡ଼ୁଥିବା ସ୍ଥିତି ଏବଂ ଭାରତ ଉପରେ ପଡ଼ୁଥିବା ପ୍ରଭାବ ଉପରେ ଆଲୋଚନା ହୋଇପାରେ । ତେବେ ନିର୍ବାଚନୀ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଏଥିରେ ସାମିଲ ହେବେ ନାହିଁ । ମୋଦି ଗତ ୨୪ ତାରିଖରେ ରାଜ୍ୟସଭାରେ କହିଥିଲେ ଯେ, ଇରାନ ଯୁଦ୍ଧ ଜାରି ରହିଲେ ଏହାର ପରିଣାମ ଭୟଙ୍କର ହୋଇପାରେ । ଆଗାମୀ ସମୟ କରୋନା ମହାମାରୀ ଭଳି ଆମର ପରୀକ୍ଷା ନେଇପାରେ । ତେଣୁ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ମିଳିମିଶି କାମ କରିବାକୁ ପଡ଼ିବ ।
ଏହି ବୈଠକରେ ଆଗକୁ ଆସୁଥିବା ଜଟିଳ ସ୍ଥିତି ପାଇଁ ଆବଶ୍ୟକ ପ୍ରସ୍ତୁତି, ଯୋଗାଣ ଶୃଙ୍ଖଳ, ଶକ୍ତି ସୁରକ୍ଷା, ବିଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଆଦି ଉପରେ ଫୋକସ୍ କରାଯାଇପାରେ । ବୈଶ୍ୱିକ ଅନିଶ୍ଚିତତା ଭିତରେ ଆକସ୍ମିକ ଯୋଜନା ଏବଂ ଆନ୍ତରିକ ସ୍ଥିରତା ବଜାୟ ରଖିବା ଉପରେ ବି ଚର୍ଚ୍ଚା ହୋଇପାରେ । ଏବେ ନିର୍ବାଚନୀ ରାଜ୍ୟଗୁଡ଼ିକରେ ଆଦର୍ଶ ଆଚରଣ ବିଧି ଲାଗୁ ଯୋଗୁ ସେହି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ ନାହିଁ । ସେହି ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କ ସହ କ୍ୟାବିନେଟ ସଚିବାଳୟ ମାଧ୍ୟମରେ ପୃଥକ ଭାବେ ବୈଠକ କରାଯିବ ।
ଅଧିକ ପଢ଼ନ୍ତୁ :- ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ : ଗ୍ୟାସ୍ ଓ ତେଲ ପରେ ଏବେ ମହଙ୍ଗା ହେବ ଔଷଧ
ଇରାନ ଯୁଦ୍ଧ ପ୍ରଭାବରେ ଭାରତରେ ତୈଳ, ଶକ୍ତି ସଙ୍କଟ ଦେଖାଦେଇଛି । ଇରାନ ହୋର୍ମୁଜ ପ୍ରଣାଳୀ ଦେଇ ତୈଳ ଜାହାଜ ଯାତାୟାତ ରୋକିଥିବାରୁ ବୈଶ୍ୱିକ ସ୍ତରରେ ଏହି ସଙ୍କଟ ଉପୁଜିଛି । ତେବେ ଭାରତରେ ଅନ୍ୟୁନ ୨ ମାସ ପର୍ଯ୍ୟନ୍ତ ଇନ୍ଧନ ମହଜୁଦ ଥିବା କେନ୍ଦ୍ର ସରକାର ଗୁରୁବାର ଦେଶବାସୀଙ୍କୁ ଆଶ୍ୱସ୍ତ କରାଇଛନ୍ତି ।