ନୂଆଦିଲ୍ଲୀ: ଏବେ ଓଡ଼ିଶା ଭଳି ପଶ୍ଚିମବଙ୍ଗରେ ମିଳିବ ୫ ଟଙ୍କିଆ ଆହାର। ହେଲେ ଭାତ ଡାଲମା ନୁହେଁ ବରଂ ଭାତ-ମାଛ ମିଳିବ। ଏନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଏଥିପାଇଁ ରାଜ୍ୟର ୪୦୦ଟି ସ୍ୱତନ୍ତ୍ର କ୍ୟାଣ୍ଟିନର ବ୍ୟବସ୍ଥା କରାଯାଇଛି, ଯେଉଁଠି ମାତ୍ର ୫ ଟଙ୍କାରେ ମାଛ-ଭାତ ଯୋଗାଇ ଦିଆଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି।

କଲ୍ୟାଣୀରେ ଆୟୋଜିତ ଏକ ପ୍ରଶାସନିକ ବୈଠକରେ ଲୋକଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସବସିଡିଯୁକ୍ତ ଖାଦ୍ୟ ପୁରା ପଶ୍ଚିମବଙ୍ଗରେ ସ୍ଥାପିତ ସ୍ୱତନ୍ତ୍ର ଭାବରେ ନିର୍ଦ୍ଦିଷ୍ଟ କ୍ୟାଣ୍ଟିନ ମାଧ୍ୟମରେ ଯୋଗାଇ ଦିଆଯିବ । ପଶ୍ଚିମବଙ୍ଗରେ ମମତା ସରକାର ସମୟରେ କ୍ୟାଣ୍ଟିନ ହୋଇଥିଲା। ଏଠାରେ ୫ ଟଙ୍କାରେ ଅଣ୍ଡା-ଭାତ ମିଳୁଥିଲା । କିନ୍ତୁ ଏବେ ସେହି ୫ ଟଙ୍କାରେ ଭାତ-ମାଛ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ଶୁଭେନ୍ଦୁଙ୍କ ଏହି ଘୋଷଣା ଟିଏମସିର ଅଭିଯୋଗର ଉତ୍ତର ଦେବାକୁ କରାଯାଇଥିବା କୁହାଯାଉଛି। କାରଣ ନିର୍ବାଚନ ସମୟରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସମେତ ଦଳୀୟ ନେତା ମାନେ ପ୍ରଚାର କରିଥିଲେ ଯେ, ବିଜେପି ଆସିଲେ ମାଛ, ମାଂସ ଏବଂ ଅଣ୍ଡା ଉପରେ ସମ୍ପୂର୍ଣ୍ଣ ନିଷେଧ କରିବ। ଫଳରେ ବଙ୍ଗାଳୀ ମାନେ ତାଙ୍କର ପ୍ରିୟ ଖାଦ୍ୟ ଖାଇବାରୁ ବଞ୍ଚିତ ହେବେ।