ଭୁବନେଶ୍ୱର, ୨୭/୦୫ : ଗଞ୍ଜେଇ ନୂଆ ରୂପ ‘ତରଳ ଗଞ୍ଜେଇ’ ମଧ୍ୟ ‘ହାସ ଅଏଲ’ ବା ‘ହାସିସ ଅଏଲ’ ଭାବେ ପରିଚିତ । ସାଧାରଣ ଗଞ୍ଜେଇ ପତ୍ର ବା କଲି ରେ ୫ରୁ ୨୫ ପ୍ରତିଶତ ଟିଏଚସି (ଟେଟ୍ରାହାଇଡ୍ରୋକାନାବିନୋଲ Tetrahydrocannabinol) ଥିବା ବେଳେ ‘ତରଳ ଗଞ୍ଜେଇ’ରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଟିଏଚ୍ସି ଥାଏ । ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ ଔଷଧ ପ୍ରସ୍ତୁତିରେ ଏହାର ଆବଶ୍ୟକତା ଥାଏ । ଏଡ଼ସ୍ ରୋଗୀ, କ୍ୟାନ୍ସର ରୋଗୀଙ୍କ କେମୋଥେରାପି ସମୟରେ ଏହାର ବ୍ୟବହାର ହୋଇଥାଏ । ଅପରପକ୍ଷରେ ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ହାଇ ଷ୍ଟାଟସ୍ରେ ପରିଣତ ହୋଇଛି । ସାଧାରଣ ଗଞ୍ଜେଇଠାରୁ ଏହା ଅଧିକ ଆକାଶରେ ଉଡ଼ାଇଥାଏ ।
ସାଧାରଣ ଗଞ୍ଜେଇର ଧୂଆଁ, ଗନ୍ଧ ଥିବା ବେଳେ ଏହା ବାସନାହୀନ । ଫୁସଫୁସ ପାଇଁ ଏହା କମ୍ କ୍ଷତିକାରକ । କିନ୍ତୁ ହୃତପିଣ୍ଡର ଗତିକୁ ବହୁ ଅଧିକ ବୃଦ୍ଧି କରିଥାଏ, ଯାହାକି ଜୀବନ ପ୍ରତି ଅତ୍ୟନ୍ତ କ୍ଷତିକାରକ । ଆନ୍ତର୍ଜାତିକ ବଜାରରେ ଏହାକୁ ସେବନ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରରେ ଉପଲବ୍ଧ ହେଉଛି । ସିଗାରେଟରେ ଗୋଟିଏ ଟୋପା ପକାଇ ଟାଣିଲେ ନିଶା ବହୁଗୁଣ ହୋଇଥାଏ । କେହି କେହି ଜିଭ ତଳେ ଗୋଟିଏ ଟୋପା ପକାଇ ନିଶାର ମଜା ନେଇଥାନ୍ତି । ଏହାକୁ ଇଞ୍ଜେକ୍ସନ ମାଧ୍ୟମରେ ନେଉଛନ୍ତି । ଆଜମା ରୋଗୀ କ୍ୟାପସୁଲ ଇନ୍ହେଲ୍ କରିବା ଭଳି ଏହାର ଛୋଟ କ୍ୟାପସୁଲକୁ ଇନ୍ହେଲ କରାଯାଉଛି । ଛୋଟ ଷ୍ଟିଲ କିମ୍ବା ଆଲୁମିନିୟମ ପ୍ଲେଟରେ ଗୋଟିଏ ଟୋପା ପକାଇ ତାହାକୁ ଗରମ କରି ମଧ୍ୟ କେତେକ ଶୁଂଘିଥାନ୍ତି । ପାଶ୍ଚାତ୍ୟ ବଜାରରେ ‘ଲିକ୍ୱିଡ୍ ଗଞ୍ଜା ଭେପ୍’ ନିଶାଡ଼ିଙ୍କ ପ୍ରିୟ । ଏହାର ଅନ୍ୟ ନାମ ‘ଉଇଡ ପେନ୍’ ବା ‘ଡାବ୍ ପେନ୍’ । ଏଥିରେ ଏକ କ୍ୟାଟ୍ରିଜ ଥାଏ ଯାହାକୁ ରିଫିଲ୍ କରିହେବ । ଏହାକୁ ଗରମ କରିବାକୁ ବ୍ୟାଟେରୀ ମଧ୍ୟ ଲାଗିଥାଏ । କିଛି ସମୟ ମଧ୍ୟରେ ଏହାକୁ ଆଘ୍ରାଣ କରିବା ବେଶ୍ ସହଜ ହୋଇଥାଏ । ଯୁବପିଢ଼ିଙ୍କ କ୍ଲବରେ ଏହାର ପ୍ରଚଳନ ଅଧିକ । ବିଦେଶୀ ମାନେ ଅନେକ ସମୟରେ ‘ହାସ ଅଏଲ୍’କୁ ଦେହରେ ମସାଜ କରିଥାନ୍ତି ।
ଏହି ଖବରଟିକୁ ପଢନ୍ତୁ- ଗଞ୍ଜେଇ କିଲୋ ୧ ଲକ୍ଷ, ତରଳରେ ୧୫ ଲକ୍ଷ... ମାଲ୍ ପାଇଁ ଦେଶବିଦେଶରୁ ବରାଦ, ଆନ୍ଧ୍ର ଛାଡ଼ି ଓଡ଼ିଶାରେ ବେପାରୀଙ୍କ ଆଡ୍ଡା
ନିଶାଡ଼ିଙ୍କ ପ୍ରିୟ ଏହି ‘ତରଳ ଗଞ୍ଜେଇ’ ସ୍ମରଣ ଶକ୍ତି ହ୍ରାସ କରିବା ସହ, ଦେହକୁ ପାରାଲାଇଜ କରିଥାଏ । ହୃଦସ୍ପନ୍ଦନକୁ ଦ୍ରୁତ କରିବା ସହ ବନ୍ଦ ହେବାର ଆଶଙ୍କା ରହିଛି । ଏହାର ପ୍ରସ୍ତୁତି ଶୈଳୀ ମଧ୍ୟ ସ୍ୱତନ୍ତ୍ର । ଶୁଖିଲା ଗଞ୍ଜେଇରେ ଭିନ୍ନ ଭିନ୍ନ ପ୍ରକାର କେମିକାଲ ମିଶାଇ ତାହାକୁ କିଛି ଦିନ ରଖାଯାଇଥାଏ । ଏହାପରେ ଏକ ପ୍ରେସ୍ ମେସିନରେ ତାହାକୁ ପ୍ରେସ କରି ତେଲ ବାହାର କରାଯାଇଥାଏ । ଏହାବାଦ୍ ବାହାରୁଥିବା ବର୍ଜ୍ୟ ଗଂଜେଇକୁ କମ୍ ଦରରେ ମଧ୍ୟ ବିକ୍ରି କରାଯାଉଛି । ପ୍ରାୟତଃ ଏକ କ୍ୱିଣ୍ଟାଲ ଗଞ୍ଜେଇରୁ ଏକ ଲିଟର ‘ତରଳ ଗଞ୍ଜେଇ’ ପ୍ରସ୍ତୁତ ହେଉଥିବା କୁହାଯାଉଛି । ଆବଶ୍ୟକ କେମିକାଲ ଅନେକ ସମୟରେ ରାଜ୍ୟ ବାହାରୁ ଅଣାଯାଉଛି । କେତେକ କ୍ଷେତ୍ରରେ ଇଥାନଲ ମିଶାଯାଉଛି । ଅନ୍ୟ କେତେକ ଘର ଚଟାଣ ସଫା ହେଉଥିବା କେମିକାଲ, ନେଲ୍ ପଲିସ୍ ରିମୁଭର ଆଦି ମିଶାଇ ନିମ୍ନମାନର ‘ତରଳ ଗଞ୍ଜେଇ’ କରୁଛନ୍ତି । ଏକ ପ୍ରକାର କେମିକାଲ୍ ମିଶାଇ ତାହାକୁ ଉଚ୍ଚ ତାପମାତ୍ରାରେ ଗରମ କରି ମଧ୍ୟ ପ୍ରସ୍ତୁତ କରିବା ଶୈଳୀ କେତେକ ଆଦରଥାନ୍ତି । ଯାହାକି ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ଅଭିନୀତ ତେଲଗୁ ଚଳଚ୍ଚିତ୍ର ‘ଘାଟୀ’ରେ ପ୍ରଦର୍ଶିତ ହୋଇଛି ।