ନୂଆଦିଲ୍ଲୀ, ୧୩/୩ : ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ । ଏହା ହେଉଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ । ଏହାକୁ ଅନୁସରଣ କରି ପିଏସଏଲ, ବିବିଏଲ, ସିପିଏଲ, ବିପିଏଲ ଏବଂ ଏସଏ-୨୦ ଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । କିନ୍ତୁ ଆଇପିଏଲରେ ଭାଗ ନେବାକୁ ସବୁ ଖେଳାଳି ଉତ୍ସାହିତ ହୋଇଥାନ୍ତି । କିନ୍ତୁ ଆଇପିଏଲ ପୂର୍ବରୁ ଦି ହଣ୍ଡ୍ରେଡ୍ ଟୁର୍ଣ୍ଣାମେଣ୍ଟ ପାଇଁ ନିଜ ଦଳରେ ସନରାଇଜର୍ସ ଲିଡ୍ସ ପାକିସ୍ତାନୀ କ୍ରିକେଟର ଅବରାର ଅହମ୍ମଦଙ୍କୁ ସାମିଲ୍ କରିଛି । ଯାହାକୁ ନେଇ ଏବେ ବିବାଦ ଅଛନ୍ତି ମାଲିକାଣୀ କାବ୍ୟା ମାରାନ୍ । ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦକୁ ବ୍ୟାନ୍ କରାଯାଉ ବୋଲି ମଧ୍ୟ ସୋସିଆଲ ମିଡିଆରେ ଦାବି କରାଯାଉଛି । ଏହି ବିବିାଦ ଜୋରଦାର ହେଉଥିବାବେଳେ ଅନେକଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଏହି ଦି ହଣ୍ଡ୍ରେଡ୍ ଟୁର୍ଣ୍ଣାମେଣ୍ଟ କଣ ? ଏହା ଆଇପିଏଲ ଠାରୁ ଭିନ୍ନ କି ?

ଦି ହଣ୍ଡ୍ରେଡ୍ ଏବେ ଷଷ୍ଠ ସିଜିନ ଖେଳାଯିବ । ଇଂଲଣ୍ଡରେ ଖେଳାଯାଉଥିବା ଦି ହଣ୍ଡ୍ରେଡ୍ ଟୁର୍ଣ୍ଣାମେଣ୍ଟରେ ୧୦୦ଟି ଲେଖାଏ ବଲ୍ ଖେଳାଯାଏ । ପୁରୁଷ ଏବଂ ମହିଳା ଟୁର୍ଣ୍ଣାମେଣ୍ଟ ଏହାସାଙ୍ଗରେ ଚାଲେ । ତେବେ ନିୟମ ଅନୁସାରେ ମ୍ୟାଚରେ ଜଣେ ବୋଲର ସର୍ବାଧିକ ୧୦ଟି ବଲ ଏବଂ ସର୍ବନିମ୍ନ ୫ଟି ବଲ ପକାଇ ପାରିବେ । ଯାହାକି ଅଧିନାୟକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । ତେବେ ଟି-୨୦ରେ ଜଣେ ବୋଲର ୨୪ ବଲ ବା ୪ ଓଭର ପକାଇଥାଏ । ମାତ୍ର ଏଥିରେ ଜଣେ ବୋଲର ୨୦ ବଲ ଫୋପାଡ଼ି ପାରିବ । ଆଇପିଏଲରେ ଟାଇମ୍ ଆଉଟ୍ ସମୟ ୩ ମିନିଟ ରହିଥାଏ । ମାତ୍ର ଦି ହଣ୍ଡ୍ରେଡ୍ରେ ମାତ୍ର ୯୦ ସେକେଣ୍ଡ ରହିଥାଏ । ଏତିକି ସମୟ ମଧ୍ୟରେ କୋଚ ଖେଳାଳିଙ୍କ ସହ ରଣନୀତି ସମ୍ପର୍କରେ କଥା ହୋଇପାରିବେ ।

"ଦି ହଣ୍ଡ୍ରେଡ୍"ରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରନ୍ତି, ପ୍ରତ୍ୟେକ ଦଳ ଆଠଟି ଲିଗ୍ ମ୍ୟାଚ୍ ଖେଳନ୍ତି। ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦଳ ସିଧାସଳଖ ଫାଇନାଲକୁ ଯାଏ, ଯେତେବେଳେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳଗୁଡ଼ିକ ଏକ ଏଲିମିନେଟର ଖେଳନ୍ତି । ଲିଗ୍ ପର୍ଯ୍ୟାୟରେ ଜିତିଥିବା ପ୍ରତ୍ୟେକ ମ୍ୟାଚ୍ ଚାରି ପଏଣ୍ଟ ଅର୍ଜନ କରେ। ଯଦି ସ୍କୋର ସମାନ ହୁଏ, ତେବେ ଦୁଇ ଦଳ ମଧ୍ୟରେ ଦୁଇଟି ପଏଣ୍ଟ ବାଣ୍ଟି ଦିଆଯାଏ । ଏହା ବ୍ୟତୀତ, ବର୍ଷା କିମ୍ବା ଅନ୍ୟାନ୍ୟ କାରଣରୁ ମ୍ୟାଚ୍ ବାତିଲ ହେଲେ ମଧ୍ୟ ପଏଣ୍ଟ ବଣ୍ଟନ କରାଯାଏ।

​​​​​​​ଏହାସହ ପଢ଼ନ୍ତୁ : ସାମ୍ନାକୁ ଆସିଲା କୁଲଦୀପଙ୍କ ମେହେନ୍ଦି ଫଟୋ