ନୂଆଦିଲ୍ଲୀ,୦୩/୦୬: ଆଉ କିଛି ଘଣ୍ଟା ପରେ  ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍‌ସ  ମଧ୍ୟରେ ଆଇପିଏଲ୍‌ ଟାଇଟଲ ପାଇଁ ଲଢ଼େଇ ହେବ ।  ଫାଇନାଲ ସହ ଦୁଇ ଦଳର ଭାବପ୍ରବଣତା ଜଡ଼ିତ ।  ୧୮ ବର୍ଷ ହେଲା ସେମାନେ ଟ୍ରଫି ଜିତିବା ପାଇଁ ଅପେକ୍ଷା  କରିଛନ୍ତି। ଗୋଟିଏ ଦଳର ସ୍ୱପ୍ନ ପୂରଣ ହେବ ଆଉ  ଗୋଟିଏ ଦଳକୁ ନିରାଶ  ହେବାକୁ ପଡ଼ିବ । ଅହମ୍ମଦାବାଦରେ ମଙ୍ଗଳବାର ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଯଦି ବର୍ଷା ହୁଏ, ଖେଳ ହୋଇ  ନପାରେ ତେବେ କ’ଣ ହେବ? ଏ ପ୍ରଶ୍ନ ସମସ୍ତଙ୍କ  ମନକୁ ଆସୁଥିବ ନିଶ୍ଚିତ । 

ଜାତୀୟ ଗଣମାଧ୍ୟମର  ରିପୋର୍ଟ ଅନୁସାରେ, ‘ଫାଇନାଲରେ ବର୍ଷା ବାଧକ  ସାଜିଲେ ଅତିରିକ୍ତ ୧୨୦ ମିନିଟର ସହାୟତା ନିଆଯାଇ ପାରିବ। ଯଦି ସଂପୂର୍ଣ୍ଣ ଦିବସଟି ଧୋଇ ଯାଏ, ତେବେ  ୪ ତାରିଖ ରିଜର୍ଭ ଡେ’ରେ ଫାଇନାଲ ଖେଳାଯିବ ।  ସେହିପରି ରିଜର୍ଭ ଡେ’ ଯଦି ବର୍ଷାରେ ଧୋଇ ଯାଏ  ତାହା ହେଲେ ଲିଗ୍‌ ପର୍ଯ୍ୟାୟରେ ଦୁହିଁଙ୍କ ମଧ୍ୟରୁ ପଏଣ୍ଟ  ଟେବୁଲରେ ଯେଉଁ ଦଳ ଶୀର୍ଷରେ ରହିଥିବ ତାହାକୁ  ବିଜେତା ଘୋଷଣା କରାଯିବ । ଏମିତି ହେଲେ ପଞ୍ଜାବ  କିଙ୍ଗ୍‌ସ ଚାମ୍ପିଅନ ହେବ । କାରଣ ଲିଗ୍‌ ପର୍ଯ୍ୟାୟରେ ଦଳ  ଟେବୁଲର ଶୀର୍ଷ ସ୍ଥାନରେ ରହିଥିଲା।’